ଭୁବନେଶ୍ବର: ତଳେ ପଡ଼ି ଖତ ହେଉଛି ଅମୂଲ୍ୟ ଫଟୋ। କିଛି ପାଣି ପଡ଼ି ଫୁଲି ଗଲାଣି ତ ଆଉ କିଛି ଫଟୋରେ ଉଈ ଚରିଗଲେଣି। କାନ୍ଥରେ ଝୁଲି ରହିଥିବା କିଛି ଚଳଚ୍ଚିତ୍ର ପୋଷ୍ଟର ଉପରେ ଇଞ୍ଚେ ବହଳର ଧୂଳି ଜମିଗଲାଣି। ଆଉ କିଛି ଛବି ଡଷ୍ଟବିନ୍‌ରେ ନିଜର ପରିଚୟ ଖୋଜୁଛି। ଭଙ୍ଗାରୁଜା କୋଠରି ଯେମିତି ଭୂତକୋଠି ପାଲଟିଛି। ଦିନେ ଚଳଚ୍ଚିତ୍ରପ୍ରେମୀଙ୍କୁ ଟାଣି ଆଣୁଥିବା ଚଳଚ୍ଚିତ୍ର ଗ୍ୟାଲେରି ଆଜି ନିଜର ପରିଚୟ ଖୋଜୁଛି।

Advertisment

ଓଡ଼ିଆ ସିନେମା ୯୦ ବର୍ଷରେ ପାଦ ଦେଇଥିଲେ ହେଁ ୨୮ ଏପ୍ରିଲ ୧୯୩୬ ‘ସୀତା ବିବାହ’ ଚଳଚ୍ଚିତ୍ରରୁ ଆଜି ପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରର ସମସ୍ତ ତଥ୍ୟ ଖୋଜିଲେ ମିଳୁନାହିଁ। ସିନେମା ପାଇଁ ସଂଗ୍ରହାଳୟ କିମ୍ବା ଅଭିଲେଖାଗାର ନାହିଁ। ସିନେପ୍ରେମୀଙ୍କ ବାରମ୍ବାର ଦାବି ପରେ ଓଡ଼ିଆ ଚଳଚ୍ଚିତ୍ରର ୮୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସଂଗ୍ରହାଳୟର ଉପର ମହଲାରେ ଏକ ‘ଚଳଚ୍ଚିତ୍ର  ଗ୍ୟାଲେରି’ ନିର୍ମାଣ କରାଯାଇଥିଲା। ୧୯୩୬-୧୯୮୬ ମସିହା ପର୍ଯ୍ୟନ୍ତ ୫୦ ବର୍ଷର ତଥ୍ୟକୁ ଏଠାରେ ସ୍ଥାନ ଦିଆଯାଇଥିଲା। ମୁଖ୍ୟତଃ ଖବରକାଗଜରେ ପ୍ରକାଶ ପାଇଥିବା ଚଳଚ୍ଚିତ୍ରଗୁଡ଼ିକର କଳାଧଳା ଓ ରଙ୍ଗୀନ ପୋଷ୍ଟରଗୁଡ଼ିକୁ ସଂଗ୍ରହ କରାଯାଇ ଚଳଚ୍ଚିତ୍ର ଗ୍ୟାଲେରିରେ ସ୍ଥାନ ଦିଆଯାଇଥିଲା। ଏଥିସହ ୮୦ଟି ଚଳଚ୍ଚିତ୍ର ନିର୍ମାଣ ସମୟର ଫଟୋ, ଷ୍ଟୁଡ଼ିଓରେ ଗୀତ ରେକଡିଂ, ଡବିଂ ସମୟର ମୂଲ୍ୟବାନ ଫଟୋ ରଖାଯାଇଥିଲା। ବଡ଼ କଥା ହେଲା ଫଟୋଟି କେଉଁ ସମୟର , ସେ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଥିଲା।

ଅଳିଆଗଦାରେ ଓଡ଼ିଆ ସିନେମା ଫଟୋ, ପୋଷ୍ଟର
ଖତ ‌ହେଉଛି ଅମୂଲ୍ୟ ଛବି

ଏଠାରେ ଦର୍ଶକ ବସି ଏଲ୍‌ଇଡିରେ ପୁରୁଣା ଗୀତ ଦେଖିବାର ସୁଯୋଗ ମଧ୍ୟ ରହିଥିଲା। ହେଲେ ପ୍ରାୟ ୫ ବର୍ଷ ହେବ ଏହି ଗ୍ୟାଲେରିକୁ ବନ୍ଦ କରି ଦିଆଯାଇଛି। ଗୋଟିଏପଟେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଆବଶ୍ୟକ ନଥିବା ଗ୍ୟାଲେରିକୁ ଭାଙ୍ଗି ଅଯଥା ଖର୍ଚ୍ଚ କରାଯାଉଛି। ବ୍ୟୟ ବହୁଳ ଭାବେ ନୂଆ ଗ୍ୟାଲେରି ତିଆରି କରାଯାଉଛି। ହେଲେ ଓଡ଼ିଆ ଚଳଚ୍ଚିତ୍ରର ଗରିମା ବହନ କରୁଥିବା ଏହି ଗ୍ୟାଲେରିକୁ କାହିଁକି ବନ୍ଦ କରିଦିଆଗଲା, ତାର ଉତ୍ତର କାହା ପାଖରେ ନାହିଁ। ‘ମାୟା ମିରିଗ’, ‘ କିଏ ଜିତେ, କିଏ ହାରେ’, ‘ଦେଖ୍‌ ଖବର, ରଖ୍‌ ନଜର’, ‘ଅଗ୍ନିପରୀକ୍ଷା’, ‘ଅଭିମାନ’, ‘ଧରିତ୍ରୀ’ ଭଳି କିଛି ପୋଷ୍ଟର କାନ୍ଥରେ ଝୁଲୁଥିବା ବେଳେ ଆଉ ସବୁ ଅଳିଆଗଦାରେ ପଡ଼ିରହିଛି। ଏନେଇ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ କ୍ଷୋଭ ପ୍ରକାଶ କରି କହିଛନ୍ତି, ଆମ ସିନେମା ୯୦ ବର୍ଷରେ ପାଦଦେଲାଣି। ହେଲେ ନଥିକରଣ ଦିଗଟି ଅତି ଦୁର୍ବଳ। ସିନେମା ଅଭିଲେଖାଗାର କିମ୍ବା ସଂଗ୍ରହାଳୟ ନାହିଁ। ରାଜ୍ୟ ସଂଗ୍ରହାଳୟରେ ଥିବା ଗ୍ୟାଲେରିକୁ ବନ୍ଦ କରିଦିଆଗଲା। ଏ ଦିଗରେ ସରକାର ଚିନ୍ତା କରିବା ଆବଶ୍ୟକ। ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ହଳଧର ନାୟକ କହିଛନ୍ତି, ଏମ୍ପର୍କରେ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।