ରାଜ୍ୟ ସଂଗ୍ରହାଳୟରେ ଖୋଲିବ ‘ଚଳଚ୍ଚିତ୍ର ଗ୍ୟାଲେରି’

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଦେଖିବାକୁ ମିଳିବ ୧୪ଟି ରାଜବଂଶର ମୁଦ୍ରା। ନଖ ସଦୃଶ ମୁଦ୍ରାଠୁ ଆରମ୍ଭ କରି ଆଠେଣି ଆକୃତିର ମୁଦ୍ରା ଦେଖିବାକୁ ମିଳିବ। ସଂଗ୍ରହାଳୟରେ ବହୁ ମୁଦ୍ରା ସଂରକ୍ଷିତ ଥିଲେ ହେଁ, ସୁରକ୍ଷା ଦୃଷ୍ଟିରୁ ପ୍ରଦର୍ଶନ କରିବା ସମ୍ଭବ ହେଉନଥିବା ବେଳେ ସେଗୁଡ଼ିକୁ ପ୍ରତିକୃତି ଓ ଫଟୋକୁ ନେଇ ନୂଆ ରୂପରେ ଆତ୍ମ ପ୍ରକାଶ କରିବ ‘ମୁଦ୍ରା ଗ୍ୟାଲେରି’। ଏଥିସହ ନୂତନ ଭାବେ ଏକ ଚଳଚ୍ଚିତ୍ର ଗ୍ୟାଲେରି ସ୍ଥାପିତ ହେବ। ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ରାଜ୍ୟ ସଂଗ୍ରହାଳୟ ପରିସରରେ ଏହି ଦୁଇ ନୂଆ ଗ୍ୟାଲେରି ଲୋକାର୍ପିତ ହେବ। ପୂର୍ବ ବର୍ଷ ‘ପାଇକ ଗ୍ୟାଲେରି’ ଖୋଲିଥିବା ବେଳେ ଚଳିତ ବର୍ଷ ଆଉ ଗୋଟିଏ ନୂଆ ଗ୍ୟାଲେରି ଯୋଡ଼ି ହେବା ସହ ମୁଦ୍ରା ଗ୍ୟାଲେରିର ପରିସର ବଢ଼ିବ। ମୁଦ୍ରା ଗ୍ୟାଲେରିରେ ମୁଦ୍ରା ସମେତ ଭାରତୀୟ ରାଜାମାନଙ୍କ ଅମଳରେ ପ୍ରଚଳିତ ମୁଦ୍ରା, ସେକାଳ ରାଜବଂଶର ଇଷ୍ଟଦେବ, ସେତେବେଳର ଅକ୍ଷର, ଗଙ୍ଗବଂଶୀୟ ମୁଦ୍ରାରେ ଥିବା ବୃଷଭ ଚିତ୍ର, ପଦ୍ମଫୁଲ ଭଳି ଚିତ୍ରର ବୈଶିଷ୍ଟ୍ୟକୁ ଜାଣିବା ପାଇଁ ଏହି ଗ୍ୟାଲେରି ସୁଯୋଗ ଦେବ ବୋଲି ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ କହିଛନ୍ତି। ଓଡ଼ିଆ ଚଳଚ୍ଚିତ୍ରକୁ ୮୦ ବର୍ଷ ପୂରିବା ପରେ ଓଡ଼ିଆ ସିନେମାର ପୋଷ୍ଟରକୁ ନେଇ ସଂଗ୍ରହାଳୟ ପରିସରରେ ପ୍ରଦର୍ଶିତ ହୋଇଥିବା ବେଳେ ତାହାକୁ ନେଇ ଏକ ଗ୍ୟାଲେରିର ପରିକଳ୍ପନା କରାଯାଇଥିଲା। ଏହି ଫଟୋଗୁଡ଼ିକ ଯେପରି ବାସ୍ତବ ଅନୁଭବ ଦେବ, ସେଗୁଡ଼ିକୁ କଲ୍‌ଚର କରାଯାଇ ନୂତନ ଭାବେ ନିର୍ମିତ ଚଳଚ୍ଚିତ୍ର ଗ୍ୟାଲେରିରେ ସ୍ଥାନିତ କରାଯିବ। ଏଥିସହ ୧୯୩୬ରୁ ଆରମ୍ଭ କରି ଏଯାବତ ଅଭିନୟରେ ସକ୍ରିୟ ଥିବା ଅଭିନେତା ଅଭିନେତ୍ରୀଙ୍କ ଫଟୋ ମଧ୍ୟ ରହିବ। ପ୍ରଚ୍ଛଦପଟ ଗାୟକ/ଗାୟିକା ବାଣୀ ଜୟରାମ, ଏସ୍‌ ଜାନକୀ, ପ୍ରଫୁଲ୍ଲ କର, ସିକନ୍ଦର ଆଲାମ, ଅକ୍ଷୟ ମହାନ୍ତି, ତୃପ୍ତି ଦାସ, ଭୁବନେଶ୍ୱରୀ ମିଶ୍ରଙ୍କ ଭଳି କଣ୍ଠଶିଳ୍ପୀଙ୍କ ବି ଫଟୋ ସ୍ଥାନିତ କରାଯିବ। ଗୀତର ହାଲକା ରେକର୍ଡିଂ ସହ ଏହି ସୁଦୃଶ୍ୟ ଗ୍ୟାଲେରି ଉପଭୋଗର ସୁଯୋଗ ମିଳିବ। ଏଥିସହ ଚଳିତ ବର୍ଷ ସଂଗ୍ରହାଳୟ ଦିବସ ପରିପ୍ରେକ୍ଷୀରେ ଓଡ଼ିଶାର ୫ଜଣ ବିଶିଷ୍ଟ ସଂଗ୍ରାହକ ସେମାନଙ୍କ ସଂଗୃହୀତ ଜିନିଷ ପ୍ରଦର୍ଶନ କରିବେ। ଦିଆସିଲି, ରେଳ ଟିକେଟ୍‌, ମୁଦ୍ରାଠୁ ଆରମ୍ଭ କରି କିଛି ନିଆରା ପ୍ରଦର୍ଶନୀ ଦେଖିବାକୁ ମିଳିବ। ଏହି ଅବସରରେ ସଂଗ୍ରହାଳୟର ପୂର୍ବତନ କ୍ୟୁରେଟର ପଣ୍ଡିତ ନୀଳମଣି ମିଶ୍ରଙ୍କ ଲିଖିତ ପ୍ରବନ୍ଧାବଳୀର ଏକ ସଂକଳନ ‘ପଣ୍ଡିତ ନୀଳମଣି ସଂଚୟନ’ ଏହି ଅବସରରେ ଲୋକାର୍ପିତ ହେବ।

ସମ୍ବନ୍ଧିତ ଖବର