ଭୁବନେଶ୍ୱର: ରାଜ୍ୟ ସଂଗ୍ରହାଳୟରେ ପଶିବା ମାତ୍ରେ ଡାଇନୋସର ଗର୍ଜନ ଦର୍ଶକଙ୍କୁ ସ୍ୱାଗତ କରୁଥିଲା। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହି ରଡ଼ି ଶୁଣି ଏହା ନିକଟକୁ ପଳାଇ ଯାଉଥିଲେ। ଉଚ୍ଚ ସ୍ୱରରେ ଗର୍ଜନ କରିବା ସହିତ ନିଜ ଶରୀରକୁ ଏପାଖ ସେପାଖ କରୁଥିବାରୁ ଏହା ସତ ଭଳି ବୋଧ ହେଉଥିଲା। ଏଥିପାଇଁ ଏହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଯିଏ ବି ଆସୁଥିଲା ଏହା ନିକଟରେ ଫଟୋ ଓ ଭିଡିଓ କରୁଥିଲା। ହେଲେ ନିର୍ମାଣ ହେବାର ବର୍ଷେ ନପୁରୁଣୁ ଏହା ଅଚଳ ହୋଇପଡ଼ିଛି। ଡାଇନୋସର ଆଉ ଗର୍ଜନ କରୁନାହିଁ। ଲୋକ ତାହା ମୁଁହରେ ବୋତଲ, ପଥର, କାଠି ଆଦି ପକାଉଛନ୍ତି। ଏପରିକି ଏହାର ଗୋଡ଼ ଓ ଅନ୍ୟାନ୍ୟ ଅଂଶ ମଧ୍ୟ ନଷ୍ଟ ହେଲାଣି। ସେହିପରି ଏହା ନିକଟରେ ଥିବା ଵାଟର୍ ଫାଉଣ୍ଟେନ୍ ମଧ୍ୟ ଅଚଳ ପଡ଼ିଛି।
ଏନେଇ ସଂଗ୍ରହାଳୟର ଅଧିକ୍ଷକ ଭାରତୀ ପାଲଙ୍କ କହିବା ଅନୁଯାୟୀ ଖୁବ ଶୀଘ୍ର ଡାଇନୋସରର ମରାମତି କରାଯିବା ସହିତ ଏହାର ଚାରିପଟକୁ ସୁରକ୍ଷିତ କରାଯିବ। ସେହିପରି ସଂଗ୍ରହାଳୟରେ ଟେରୋକୋଟା ଓ ହରେକୃଷ୍ଣ ମହତାବ ଗ୍ୟାଲେରି ଖୋଲିବାକୁ ଯାଉଛି। ଏଥିସହିତ ବାହାରେ ଷ୍ଟୋନ୍ ଗାର୍ଡେନ୍ ହେବାକୁ ଯାଉଛି। ଏଥିପାଇଁ ପରିସରରେ ଏକ କୁତ୍ରିମ ପୁଷ୍କରିଣୀ ଖୋଲା ଯିବ। ଏଥିପାଇଁ ପଥର ମଧ୍ୟ ଅଣାସରିଛି। ପଥରକୁ ଛୋଟଛୋଟ ଖଣ୍ଡରେ କାଟି ଏହାକୁ ବିଭିନ୍ନ ରୂପ ଓ ରଙ୍ଗ ଦିଆଯିବ। ଏବେ ବର୍ଷା ଦିନେ ଥିବାରୁ କାମ ଟିକେ ପଛେଇଛି। ଖୁବ ଶୀଘ୍ର କାମ ହେବ ବୋଲି ସେ କହିଛନ୍ତି।