କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଷ୍ଟେଟ୍ ଅଫ ଦି ଆର୍ଟ ପରୀକ୍ଷାଗାର !

ସପ୍ତାହ ଭିତରେ ରିପୋର୍ଟ ପ୍ରଦାନ କରିବେ ୩ଜଣିଆ କମିଟି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ରାଜ୍ୟର ଷ୍ଟେଟ୍ ଅଫ ଦି ଆର୍ଟ ପରୀକ୍ଷାଗାର। ଏହି ପରୀକ୍ଷାଗାରରେ ପାଥୋଲୋଜିଠାରୁ ଆରମ୍ଭ କରି ଭାଇରୋଲୋଜି ଓ ଅନ୍ୟାନ୍ୟ ପରୀକ୍ଷା କରାଯିବ। ଏଥିପାଇଁ ଏକ ୩ଜଣିଆ ଟିମ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ହସ୍ପିଟାଲରେ ଏହି ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଯେଉଁ ଭିତ୍ତିଭୂମିର ଆବଶ୍ୟକତା ରହିଛି, ଆସନ୍ତା ୧ ସପ୍ତାହ ଭିତରେ ସେମାନେ ସେ ସଂପର୍କିତ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଷ୍ଟେଟ୍‌ ଅଫ ଦି ଆର୍ଟ ପରୀକ୍ଷାଗାର ଏକ ରେଫରାଲ ଲ୍ୟାବ୍ ହେବ। ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରୁ ଯେଉଁ ସବୁ ନମୁନା ସଂଗ୍ରହ କରାଯିବ ତାହାକୁ ଏହି ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯିବ। ଏହି ପରୀକ୍ଷାଗାରରେ ପାଥୋଲୋଜି, ବାୟୋକେମିଷ୍ଟ୍ରି, ଭାଇରୋଲୋଜି ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କର ବିଭିନ୍ନ ନମୁନା ପରୀକ୍ଷା କରାଯିବ। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଶାଖାକୁ ବୃଦ୍ଧି କରାଯିବ। ମାତ୍ର ଏହି ପରୀକ୍ଷାଗାର ପାଇଁ ଯେଉଁ ଭିତ୍ତିଭୂମିର ଆବଶ୍ୟକତା ରହିଛି ଓ ଏହାକୁ କିଭଳି ଢଙ୍ଗରେ ନିର୍ମାଣ କରାଯିବ, ସେ ସଂପର୍କରେ ୩ଜଣିଆ ଟିମ୍ ଦୁଇଦିନ ତଳେ ହସ୍ପିଟାଲ ପରିଦର୍ଶନ କରିଥିଲେ। ଏହି ପ୍ରତିନିଧିଦଳର ସଦସ୍ୟ ତଥା ଆରଏମ୍‌ଆରସିର ନିର୍ଦେଶିକା ଡା. ସଂଘମିତ୍ରା ପତି କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପରୀକ୍ଷାଗାର ପାଇଁ କ୍ଷେତ୍ର ପରିଦର୍ଶନ କରିବା ପାଇଁ କୁହାଯାଇଥିଲା। ପରିଦର୍ଶନ କାର୍ଯ୍ୟ ଶେଷ ହୋଇଛି ଓ ଆସନ୍ତା ସପ୍ତା‌ହେ ଭିତରେ ଟିମ୍ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୟୁନିଟ୍‌-୪ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଷ୍ଟେଟ୍‌ ଅଫ ଦି ଆର୍ଟ ‌ପରୀକ୍ଷାଗାର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ବର୍ଷ ପରେ ବର୍ଷ ବିତି ଯାଇଥିଲେ ହେଁ ଏହି ନିଷ୍ପତ୍ତି କେବଳ ନିଷ୍ପତ୍ତିରେ ହଁ ଅଟକି ଯାଇଥିଲା। ଏବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଷ୍ଟେଟ୍ ଅଫ ଦି ଆର୍ଟ ପରୀକ୍ଷାଗାର ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର