କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟ ଜନସ୍ବାସ୍ଥ୍ୟ ପରୀକ୍ଷାଗାର: ଗଠନ ହେଲା କମିଟି, ସପ୍ତାହ ଭିତରେ ଦେବ ରିପୋର୍ଟ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଷ୍ଟେଟ୍‌ ଅଫ ଦି ଆର୍ଟ ରାଜ୍ୟ ଜନସ୍ବାସ୍ଥ୍ୟ ପରୀକ୍ଷାଗାର। ଆଜି ଏ ନେଇ ସ୍ବାସ୍ଥ୍ୟ ବିଭାଗର ‌ମୋହର ବାଜିଛି। ପରୀକ୍ଷାଗାରଟି କିଭଳି ଢଙ୍ଗରେ ପରିଚାଳିତ ହେବ ଏଥିପାଇଁ ଏକ କମିଟି ଗଠନ ହୋଇଛି। ଆସନ୍ତା ସପ୍ତାହ ଭିତରେ ଏହି କମିଟି ରିପୋର୍ଟ ଦେବ ବୋଲି ଜଣାପଡ଼ିଛି।

ରାଜଧାନୀରେ ଷ୍ଟେଟ୍‌ ଅଫ ଦି ଆର୍ଟ ପରୀକ୍ଷାଗାର ନିର୍ମାଣ ଯୋଜନା ବେଶ୍ ପୁରୁଣା। ଦୀର୍ଘଦିନ ଧରି ଏହା ଶୀତଳ ଭଣ୍ଡାରରେ ରହିଥିଲା। ମାତ୍ର ସ୍ବାସ୍ଥ୍ୟ ବିଭାଗ ପରୀକ୍ଷାଗାରକୁ ବାସ୍ତବ ରୂପ ଦେବା ଲାଗି ଉଦ୍ୟମ ଆରମ୍ଭ କରିଛି। ପ୍ରଥମରେ ଜାଗାକୁ ନେଇ ବିଭାଗ ଦ୍ବନ୍ଦ୍ବରେ ପଡ଼ିଥିଲା। ୟୁନିଟ୍‌-୪ ସିଏଚ୍‌ସି, ଚନ୍ଦକା ଅଞ୍ଚଳ ବାଦ୍ ଶେଷରେ କ୍ୟାପିଟାଲ ହସ୍ପିଟାଲରେ ଏହାକୁ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ଆଜି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ୟାପିଟାଲ ହସ୍ପିଟାଲରେ ଏହାର ନିର୍ମାଣ ନେଇ ଆଲୋଚନା ହୋଇଛନ୍ତି। ଏଥିପାଇଁ ସମୁଦାୟ ୫ମହଲା(ଜି+୪)ବିଶିଷ୍ଟ କୋଠା ନିର୍ମାଣ କରାଯିବ। ହସ୍ପିଟାଲରେ ଥିବା ପାଥୋଲୋଜି ନିକଟରେ ଏହି ପରୀକ୍ଷାଗାର ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ହୋଇଛି।

କ୍ୟାପିଟାଲ ହସ୍ପିଟାଲ ପରିସରରେ ନିର୍ମାଣ ହେବାକୁ ଥିବା ଜନସ୍ବାସ୍ଥ୍ୟ ପରୀକ୍ଷାଗାରର ତଳ ମହଲାରେ ନମୁନା ସଂଗ୍ରହ, ରିପୋର୍ଟ ପ୍ରଦାନ ଓ ରିସେପସନ୍ ରହିବ। ପ୍ରଥମ ମହଲାରେ ଭାଇରୋଲୋଜି, ବ୍ୟାକ୍ଟେରୋଲୋଜି, ଦ୍ବିତୀୟ ମହଲାରେ ଯକ୍ଷ୍ମା ରୋଗ, ତୃତୀୟ ମହଲାରେ କୀଟ ବାହିତ ରୋଗ ଯଥା, ମ୍ୟାଲେରିଆ, ଫାଇଲେରିଆ ଓ ଡେଙ୍ଗୁ ଭଳି ରୋଗର ପରୀକ୍ଷା କରାଯିବ। ଚତୁର୍ଥ ମହଲାରେ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଜଣାପଡ଼ିଛି। କମିଟିରେ ଆରଏମ୍‌ଆରସି, ଆଇଏଲଏସ୍‌ର ଅଧିକାରୀମାନେ ରହିବେ। ତେଣୁ ଏହି ଦୁଇ ପରୀକ୍ଷାଗାରରେ ଉପଲବ୍ଧ ହେଉଥିବା ପରୀକ୍ଷା ସୁବିଧା ସହିତ ଜନସ୍ବାସ୍ଥ୍ୟ ପରୀକ୍ଷାଗାରରେ କ’ଣ କ’ଣ ପରୀକ୍ଷା ହୋଇପାରିବ ତାହା ଉପରେ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେବେ। କମିଟି ରିପୋର୍ଟ ପ୍ରଦାନ କରିବା ପରେ ଏହାର ଡିଜାଇନ୍‌ ଓ ପ୍ଲାନିଂ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର