ଭୁବନେଶ୍ବର: ୭୨ ବର୍ଷୀୟ ସାବିତ୍ରୀ ସାହୁଙ୍କୁ ଭଲ ଭାବରେ ଶୁଭୁ ନଥିବାରୁ ସେ କ୍ୟାପିଟାଲ୍ ହସ୍ପିଟାଲ୍ର ଇଏନ୍ଟି ବିଭାଗର ଡାକ୍ତରଙ୍କୁ ଦେଖାଇଥିଲେ। ବୟସାଧିକ କାରଣରୁ ତାଙ୍କର ଶ୍ରବଣ ଶକ୍ତି କମି ଯାଇଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ଡାକ୍ତର ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ଥିବା ରାଜ୍ୟର ଏକମାତ୍ର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରୁ ଶ୍ରବଣ ଯନ୍ତ୍ର ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଶ୍ରବଣ ଯନ୍ତ୍ର ନଥିବା କାରଣରୁ ତାଙ୍କୁ ସେଠାରୁ ଫେରାଇ ଦିଆଯାଇଥିଲା। ସାବିତ୍ରୀଙ୍କୁ ତାଙ୍କ ନିଜ ବ୍ଲକ୍ ଓଡ଼ଗାଁରେ ଥିବା ସାମାଜିକ ସୁରକ୍ଷା କେନ୍ଦ୍ର ନଚେତ୍ ବିଭିନ୍ନ ଅନୁଷ୍ଠାନ ତଥା ସରକାରଙ୍କ ତରଫରୁ ଆୟୋଜନ କରାଯାଉଥିବା କ୍ୟାମ୍ପରୁ ଶ୍ରବଣ ଯନ୍ତ୍ର ନେବାକୁ ପରାମର୍ଶ ଦେଇଥିଲେ। କେବଳ ସାବିତ୍ରୀ ନୁହନ୍ତି, ଶହଶହ ଭିନ୍ନକ୍ଷମ ଏହି କେନ୍ଦ୍ରରୁ ଫେରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ନିର୍ମିତ ଏହି କେନ୍ଦ୍ର ବହୁଦିନ ହେବ ଅଚଳ ହୋଇ ପଡ଼ିଛି। ପ୍ରାୟ ଏକ ବର୍ଷ ହେବ ଶ୍ରବଣ ଯନ୍ତ୍ର ମିଳୁ ନଥିବା ବେଳେ ୭ରୁ ୮ ମାସ ହେବ କୃତ୍ରିମ ଅଙ୍ଗ, ଆଶାବାଡ଼ି, ଟ୍ରାଇ ସାଇକେଲ ଆଦି ମିଳୁନାହିଁ। ଏହା ସହିତ ଏହି ବିଭାଗରେ ଥିବା ଆଧୁନିକ ରୋବୋଟିକ୍ସ୍ ଫିଜିଓଥେରାପି କେନ୍ଦ୍ର ମଧ୍ୟ ବହୁଦିନ ଧରି ଅଚଳ ହୋଇପଡ଼ିଛି।
ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ରାଜ୍ୟର ଏକମାତ୍ର ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ସ୍ଥାପନ କରାଯାଇଛି। ସାରା ରାଜ୍ୟରୁ ଭିନ୍ନକ୍ଷମମାନେ ଆସି ଏଠାରୁ ସିଧାସଳଖ ଭାବେ କ୍ୟାପିଟାଲ୍ ହସ୍ପିଟାଲ୍ରେ ପରୀକ୍ଷା କରି ଆବଶ୍ୟକ ସହାୟତା ନେଇପାରିବେ। ଏଥିପାଇଁ ଭିନ୍ନକ୍ଷମ ପ୍ରମାଣପତ୍ର ଆବଶ୍ୟକ ନାହିଁ। ଏହି ବ୍ୟବସ୍ଥା ବରିଷ୍ଠ ନାଗରିକମାନଙ୍କୁ ବହୁତ ସାହାଯ୍ୟ କରୁଥିଲା। ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ୁ ନଥିଲା। ଏହାଛଡ଼ା ଏହା ମଧ୍ୟରେ ଏକ ଅତ୍ୟାଧୁନିକ ରୋବୋଟିକ୍ସ୍ ଫିଜିଓଥେରାପି କେନ୍ଦ୍ର ସ୍ଥାପନ କରାଯାଇଥିବାରୁ ଭିନ୍ନକ୍ଷମ ରୋଗୀମାନଙ୍କ ଫିଜିଓଥେରାପି ଚିକିତ୍ସା ସୁବିଧାଜନକ ହେଉଥିଲା।। ଏହା ମଧ୍ୟ ବହୁଦିନ ଧରି ଅଚଳ ହୋଇ ପଡ଼ିଛି। ଗୁରୁତ୍ବପୂର୍ଣ୍ଣ ହେଉଛି, ବିଭିନ୍ନ ଜିଲ୍ଲାରେ ଥିବା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ମଧ୍ୟ ଶ୍ରବଣ ଯନ୍ତ୍ର ମିଳୁନଥିବାରୁ ଲୋକେ ଭୁବନେଶ୍ବର ଆସୁଛନ୍ତି। ମାତ୍ର ଏଠାରୁ ନିରାଶ ହୋଇ ଫେରୁଛନ୍ତି।
କେନ୍ଦ୍ର ଏବେ ଅଚଳ ହୋଇଯାଇଥିବାରୁ ରୋଗୀମାନଙ୍କୁ କିଛି ମିଳି ପାରୁନାହିଁ। ଏହି କେନ୍ଦ୍ରରେ ଏବେ ୨୨ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନେ କେବଳ ବିଭିନ୍ନ କ୍ୟାମ୍ପ ଯାଇ ସହଯୋଗ କରୁଛନ୍ତି। ଯନ୍ତ୍ର କିମ୍ବା ସାମଗ୍ରୀ ଆସୁ ନଥିବାରୁ ଏହି କେନ୍ଦ୍ରରେ କୌଣସି କାମ ହେଉନାହିଁ। ଏନେଇ ସଂପୃକ୍ତ କେନ୍ଦ୍ରର ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଉନଥିବାରୁ, ରୋଗୀ ହଇରାଣ ହେଉଛନ୍ତି। ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଖୁବଶୀଘ୍ର କେନ୍ଦ୍ରରେ ସବୁ ପ୍ରକାର ସୁବିଧା ମିଳିବ। ରୋବୋଟିକ୍ସ୍ ଫିଜିଓଥେରାପିରେ ବୈଷୟିକ ସମସ୍ୟା ଥିଲା। ସେ ସମସ୍ୟା ଦୂର ହୋଇଛି।