ଭୁବନେଶ୍ୱର : କୁବେରଙ୍କ ଅଭିଶାପରେ ନବପରିଣୀତ ଯକ୍ଷକୁମାର ହେମାମାଳୀ ଏବଂ କୁମାରୀ ଯକ୍ଷିଣୀ ବିଶାଳାକାକ୍ଷୀଙ୍କ ଜୀବନ ହୋଇପଡ଼ିଛି ଦୁର୍ବିସହ। ଅଳକାପୁରୀରେ ପ୍ରଣୟ ଆବେଗର ସ୍ୱପ୍ନ ପ୍ରବଣ ଦୁଇଟି ମିଳନାକାଂକ୍ଷୀଙ୍କ ସ୍ୱପ୍ନ ଭାଙ୍ଗିଯାଇଛି। ହେମମାଳୀ ଅଭିଶପ୍ତ ହୋଇ ମର୍ତ୍ୟଭୂମିରେ ରାମଗିରି ପର୍ବତର ଆଶ୍ରମରେ କାଳାତିପାତ କରୁଥିବା ସମୟରେ ଧରାପୃଷ୍ଠରେ ବର୍ଷାର ଆଗମନ ହୋଇଛି। ଚଳମାନ ମେଘଖଣ୍ଡକୁ ଦୂତ କରି ହେମମାଳୀ କହିଛନ୍ତି ତାଙ୍କ ବେଦନାର କାହାଣୀ।

Advertisment

ଏପରି ପ୍ରେମ,ବିରହକୁ ନେଇ ମହାକବି କାଳି ଦାସଙ୍କ ରଚିତ ‘ମେଘଦୂତମ୍‌’ ଆଜି ଦେଖିବାକୁ ମିଳିଥିଲା ରବୀନ୍ଦ୍ର ମଣ୍ଡପ ମଞ୍ଚରେ। ଅବସର ଥିଲା ମନନ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟ। ନାଟ୍ୟରୂପ ଓ ନିର୍ଦେଶନା ଦେଇଥିଲେ ଦିନେଶ ଦାସ। ଅଭିନବ ମଞ୍ଚକୌଶଳରେ ପ୍ରତୀକାତ୍ମକ ଭାବରେ କାଳିଦାସ କାବ୍ୟ ସୌରଭ ଦର୍ଶକଙ୍କୁ ରେମାଞ୍ଚିତ କରିଥିଲା। ‘ମନନ’ର ମୁଖ୍ୟ ମନୋଜ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଆଜିର ସନ୍ଧ୍ୟାରେ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀ, ମନନର ଉପଦେଷ୍ଟା ଚନ୍ଦ୍ରଶେଖର ନନ୍ଦ ଓ ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶଚନ୍ଦ୍ର ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ନାଟ୍ୟ ନିର୍ଦେଶକ ଡ. ସର୍ବେଶ୍ୱର ବେହେରା, ପ୍ରାଣକୃଷ୍ଣ ବେହେରା ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା।