ରାଜ୍ୟ ଟେଲି ପୁରସ୍କାର ଉତ୍ସବର କିଛି ଝଲକ…

ଉତ୍କଳ ମଣ୍ଡପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ
ନୃତ୍ୟ ଗୀତରେ ଝୁମିଲେ ଦର୍ଶକ

ଆଜି ଉତ୍କଳ ମଣ୍ଡପରେ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ ଓଡ଼ିଶା ଟେଲି ଆକ୍ଟର୍ସ ଆସୋସିଏସନ୍‌ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗଜଲ ଗଜଲ.. ତୁ ମୋ ହିରୋ.. ଆଦି ଗୀତରେ ସନ୍ଦୀପ, ପିଙ୍କି ପ୍ରମୁଖଙ୍କ ଧମକାଦାର ନୃତ୍ୟ ଦେଖିବାକୁ ମିଳିଥିଲା। ହାଡ଼ୁ , ଦେବୁ ବ୍ରହ୍ମା, ଜୀବନ ପଣ୍ଡା ପ୍ରମୁଖଙ୍କୁ କମେଡି ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଥିଲା। ଅମି୍ରତା ଭାରତୀ ପଣ୍ଡା ଓ ଗୌତମ ଗିରିଙ୍କ ଗୋଟିଏ ପରେ ଗୋଟିଏ ରୋମଣ୍ଟିକ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମତୁଆଲା କରିଥିଲା। କେଦାର ମିଶ୍ର ଓ ଏଲି ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ପୁରସ୍କାର ପାଇବି ବୋଲି ଆଶା କରି ନ ଥିଲି

ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇ ମୁଁ ବହୁତ ଖୁସି। କେବେ ଆଶା କରି ନଥିଲି ଏହି ପୁରସ୍କାର ପାଇବି ବୋଲି। ମତେ ସିରିଏଲ ଦୁନିଆରେ ସୁଯୋଗ ଦେଇଥିବା ହର ପଟ୍ଟନାୟକ ଓ ବର୍ଷା ପ୍ରିୟଦର୍ଶିନୀ ଅପାଙ୍କୁ ଅନେକ କୃତଜ୍ଞତା ଜଣାଉଛି।
ଶ୍ୱେତଲୀନା ଭଟ୍ଟାଚାର୍ଯ୍ୟ, ଶ୍ରେଷ୍ଠ ଅଭିନେତ୍ରୀ

ମୋ ବାପା ଓ ଦର୍ଶକଙ୍କୁ ପୁରସ୍କାର ଉତ୍ସର୍ଗ କରୁଛି

ଏହି ପୁରସ୍କାର ମତେ ଅଭିନୟ କ୍ଷେତ୍ରରେ ଆହୁରି ଉତ୍ସାହିତ କରିବ। ମୋର ଏଇ ଖୁସିର ଦିନ ଦେଖିବାକୁ ଏ ଦୁନିଆରେ ନଥିବା ମୋ ବାପା ପ୍ରଫୁଲ୍ଲ ଚନ୍ଦ୍ର ଦାସ ଓ ଦର୍ଶକଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ଉତ୍ସର୍ଗ କରୁଛି। ସଫଳତା ପଛରେ ପତ୍ନୀ ସ୍ୱାଗତିକାଙ୍କ ପ୍ରେରଣା ମଧ୍ୟ ରହିଛି।
ଚୌଧୁରୀ ସତ୍ୟବ୍ରତ ଦାସ, ଶ୍ରେଷ୍ଠ ଅଭିନେତା

ବହୁତ ଖୁସି ଲାଗୁଛି

ରାଜ୍ୟ ଶ୍ରେଷ୍ଠ ଟେଲି ପୁରସ୍କାର ପାଇ ମୁଁ ବହୁତ ଖୁସି। ଏସିପି ନିକିତା ଧାରାବାହିକରେ କାମ କରିବାର ସୁଯୋଗ ଦେଇଥିବା ପ୍ରଯୋଜିକା ବିନି ଅପା, ନିର୍ଦେଶକ ଏବଂ ଧାରାବାହିକର ସମସ୍ତ ସଦସ୍ୟ, ସଦସ୍ୟାଙ୍କୁ କୃତଜ୍ଞତା ଜଣାଇବି।
ଯାଜ୍ଞସେନୀ ପ୍ରଧାନ, ଶ୍ରେଷ୍ଠ ଖଳନାୟିକା

ଏକ ନୂତନ ପରିଚୟ ମିଳିଲା

ଜଣେ ହାସ୍ୟ ଅଭିନେତାକୁ ଜୁରୀ ବୋର୍ଡ ଶ୍ରେଷ୍ଠ ଖଳନାୟକ ଭାବେ ଚୟନ କରିଥିବାରୁ ମୁଁ ବହୁତ ଖୁସି। ରାଜ୍ୟ ସରକାରଙ୍କୁ ଅନେକ କୃତଜ୍ଞତା। ଏହି ସମ୍ମାନ ଦ୍ୱାରା ହାସ୍ୟ ଅଭିନୟ କରୁଥିବା ମୋ ପରି କଳାକାରକୁ ଖଳ ଅଭିନେତା ଭାବେ ନୂତନ ପରିଚୟ ମିଳିଲା।
ଋଷି ପଟ୍ଟନାୟକ, ଶ୍ରେଷ୍ଠ ଖଳନାୟକ

ସମ୍ବନ୍ଧିତ ଖବର