ଖଣ୍ଡଗିରି: ଓଡ଼ିଶା ଜନଜାତି ସଂଗ୍ରହାଳୟରେ ଖୁବ୍ଶୀଘ୍ର ପ୍ରୋଜେକ୍ସନ୍ ମ୍ୟାପିଂର ବ୍ୟବସ୍ଥା ହେବ। ଏଥିରେ ଭିଡିଓ ଫର୍ମାଟ୍ରେ ଆଦିମ ଜନଜାତିଙ୍କ ଜୀବନଶୈଳୀ ପ୍ରଦର୍ଶିତ ହେବ। ଏହାକୁ ଦେଖି ପର୍ଯ୍ୟଟକମାନେ ଜନଜାତିଙ୍କ ରହଣି, ଚାଲିଚଳଣ, ସାମାଜିକ ବିଧିବ୍ୟବସ୍ଥା ସଂପର୍କରେ ଏକ ମୋଟାମୋଟି ଧାରଣା ପାଇପାରିବେ। କୋଭିଡ୍ ଯୋଗୁଁ ସଂଗ୍ରହାଳୟ କିଛି ଦିନ ବନ୍ଦ ଥିଲା। ଏଥିପାଇଁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ବର୍ତ୍ତମାନ ଏହା ଉଦ୍ଘାଟିତ ହୋଇଯିବ ବୋଲି କହିଛନ୍ତି ସଂଗ୍ରହାଳୟର ବରିଷ୍ଠ ଲାବରୋଟାରି ଆସିଷ୍ଟାଣ୍ଟ କବିତା ପଟ୍ଟନାୟକ। ଏହାବ୍ୟତୀତ ଏହି ପ୍ରୋଜେକ୍ସନ୍ ମ୍ୟାପିଂରେ ବଣ୍ଡା, କୋଟିଆ କନ୍ଧ, ଡଙ୍ଗରିଆ କନ୍ଧ, ସାନ୍ତାଳ, ପାଉଡ଼ିଭୂୟାଁ, ଜୁଆଙ୍ଗ, ଗତବା, ବନ୍ଜାରାଙ୍କ ସମେତ ୯ଟି ଜନଜାତିଙ୍କ ଉପରେ ବୃତ୍ତଚିତ୍ର (ଡକ୍ୟୁମେଣ୍ଟାରି) ମଧ୍ୟ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି।
ରାଜ୍ୟ ସରକାରଙ୍କ ସୂଚନାନୁଯାୟୀ, ୨୦୧୧ ମସିହା ଜନଗଣନା ଅନୁସାରେ, ରାଜ୍ୟରେ ଜନଜାତିଙ୍କ ସଂଖ୍ୟା ୯୫.୯ ଲକ୍ଷ ରହିଥିଲା। ଏହା ସମୁଦାୟ ଜନସଂଖ୍ୟାର ୨୨.୫ ପ୍ରତିଶତ। ଏଠାରେ ସମୁଦାୟ ୬୨ପ୍ରକାର ଅନୁସୂଚିତ ଜନଜାତିଙ୍କ ମଧ୍ୟରୁ ୧୩ଟି ପ୍ରାଚୀନ ଜନଜାତି। ମୟୂରଭଞ୍ଜରେ ସର୍ବାଧିକ ଏବଂ ପୁରୀରେ ଆଦିବାସୀଙ୍କ ସଂଖ୍ୟା ସର୍ବନିମ୍ନ ରହିଛି। ଏମାନଙ୍କ ଜୀବନଶୈଳୀ, କଳା, ସଂସ୍କୃତି, କାରିଗର, ଖାଦ୍ୟାଭ୍ୟାସ, ଆଭୂଷଣ, ଭାଷା, ସାହିତ୍ୟ ଅନନ୍ୟ ଏବଂ ମୌଳିକ। ମାତ୍ର ବିକାଶ ସ୍ବରୂପ କୁହାଯାଉଥିବା ଶିଳ୍ପାୟନ ମାଡ଼ରେ ଆଦିବାସୀ କେବଳ ବିସ୍ଥାପିତ ହୋଇନାହାନ୍ତି, ସେମାନଙ୍କ ସ୍ବତନ୍ତ୍ରତା ଉପରେ ମଧ୍ୟ କୁଠାରାଘାତ ହୋଇଛି। ତାଙ୍କର ଜୀବନଶୈଳୀକୁ ଆଜି ଏବଂ ଆଗାମୀପିଢ଼ି ପାଖରେ ପହଞ୍ଚାଇବା ପାଇଁ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା ହୋଇଛି। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କ ଆଗମନ ଜାରି ରହେ। କିନ୍ତୁ କୋଭିଡ୍ ଯୋଗୁଁ ବର୍ତ୍ତମାନ ରାଜ୍ୟ ବାହାରର ଲୋକ ଆସି ପାରୁନଥିବା ସଂଗ୍ରହାଳୟ କ୍ୟୁରେଟର କହିଛନ୍ତି।
ସୂଚନା ଅନୁଯାୟୀ, ଏହି ସଂଗ୍ରହାଳୟରେ ୫ଟି ପ୍ରଦର୍ଶନୀ ପ୍ରକୋଷ୍ଠ ଏବଂ ଆଦିମ ଜନଜାତିଙ୍କ ପାଇଁ ଆଉ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ରହିଛି। ପ୍ରଥମ ପ୍ରକୋଷ୍ଠରେ ବଣ୍ଡା ସମ୍ପ୍ରଦାୟର ରିଙ୍ଗା, ଡଙ୍ଗରିଆ କନ୍ଧର କପଡ଼ାଗନ୍ଦା, ସାନ୍ତାଳମାନଙ୍କ ଫୁଟା ଶାଢ଼ି ଭଳି ବିଭିନ୍ନ ପ୍ରକାର ଆଭୂଷଣ ରହିଛି। ଦ୍ବିତୀୟ ପ୍ରକୋଷ୍ଠରେ ଜୁଆଙ୍ଗ, କୋୟା, କୁଟିଆମାନଙ୍କ ପାରମ୍ପରିକ ପାନିଆଁ, ସଉରାମାନଙ୍କ ସୁରାପାଵ, ତୃତୀୟ ପ୍ରଦର୍ଶନୀ ପ୍ରକୋଷ୍ଠରେ ଶିକାର ମାଛଧରା ଉପକରଣ, ଚତୁର୍ଥ ପ୍ରକୋଷ୍ଠରେ ଗୃହ ଏବଂ କୃଷି ଉପକରଣ, ପଞ୍ଚମରେ ନୃତ୍ୟ ଏବଂ ବାଦ୍ୟ ଉପକରଣ ଏଠିକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଏଥିସହ ସାନ୍ତାଳ, ଗଣ୍ଡ, ଜୁଆଙ୍ଗ, ଗଦବା, ଭୁଞ୍ଜିଆ, ସଉରାଙ୍କ ଗୃହ ଚିତ୍ର ଅନେକଙ୍କ ଆମୋଦିତ କରୁଥିବା କର୍ମଚାରୀମାନେ କହନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୬୨ରୁ ୪୪ ଜନଜାତିଙ୍କ ସଂରକ୍ଷିତ ଉପକରଣ ଏଠାରେ ରହିଛି। ଆଗାମୀ ଦିନରେ ବାକିମାନଙ୍କ ମଧ୍ୟ ସାମିଲ କରାଯିବ ବୋଲି ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି।
ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଫେବ୍ରୁଆରି ୧୩ ତାରିଖ ଦିନ ଫେସ୍ବୁକ୍ ଓ ଟ୍ବିଟର୍ ପେଜ୍ @stscdev, @scstrti ଖୋଲି ଓଡ଼ିଶାର ବିଭିନ୍ନ ଜନଜାତିଙ୍କ କେଶବିନ୍ୟାସ ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।
ଉତ୍ତମ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ସୂଚନା ଦେଇଥାଏ ଲମ୍ବା କେଶ। ଉଭୟ ଡଙ୍ଗରିଆ କନ୍ଧ ପୁରୁଷ ଓ ମହିଳାମାନେ ସେମାନଙ୍କ ଲମ୍ବା କେଶକୁ କ୍ଲିପ୍, ମୁଣ୍ଡକଣ୍ଟା ଓ ଫୁଲରେ ସଜାଇଥା’ନ୍ତି। ପାରମ୍ପରିକ ଖୋସାକୁ କେତେକ ପିନ୍ ଓ କଇଁଚି ଭଳି ହୋଇଥିବା ‘ସିପ୍ନା’ ଦ୍ୱାରା ଧରି ରଖିଥା’ନ୍ତି ଓ ସଜାଇଥା’ନ୍ତି। ଲାଞ୍ଜିଆ ସଉରା ମହିଳାମାନେ ସମାନ ଭାବେ କେଶ ପ୍ରତି ଯତ୍ନ ନେଇଥା’ନ୍ତି। ବେକ ପଛ ପଟେ ଏକ ଚଟ୍କା ଖୋସା ତିଆରି କରି ସଉରା ମହିଳାମାନେ ନିଜକୁ ସଜେଇଥା’ନ୍ତି। କାନ ପଛ ଦେଇ ଏହି ଖୋସାକୁ ଚେନ୍ ଦ୍ୱାରା ସୁରକ୍ଷିତ ରଖାଯାଇଥାଏ। ସେମାନେ ଲମ୍ବା ହେୟାର ପିନ୍କୁ ଅଳଙ୍କାର ଭାବେ ବ୍ୟବହାର କରିଥା’ନ୍ତି। ଏହାକୁ ମଧ୍ୟ ସେମାନେ ନିଜ ସୁରକ୍ଷା ପାଇଁ ଅସ୍ତ୍ର ଭାବେ ବ୍ୟବହାର କରିଥା’ନ୍ତି।
ସାନ୍ତାଳ ଜନଜାତି ମହିଳାମାନେ ରୁପାର ବଡ଼ ହେୟାରପିନ୍କୁ ଖୋସା ଉପରେ ସଜେଇଥା’ନ୍ତି। କୁଟିଆ କନ୍ଧ ଜନଜାତି ମହିଳାମାନେ ସେମାନଙ୍କ କେଶବିନ୍ୟାସ ନିମନ୍ତେ ବିଭିନ୍ନ ପ୍ରକାରର ଛୋଟ ହେୟାରପିନ୍, ପାନିଆ ଓ ଚେନ୍ ବ୍ୟବହାର କରିଥା’ନ୍ତି। ଦିଦାୟୀମାନଙ୍କର ସୁନ୍ଦର ଖୋସା ଓ ବଡ଼ ନାକଫୁଲ ସେମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। ଓଡ଼ିଶାର ଅନ୍ୟାନ୍ୟ ଜନଜାତି ଖରିଆ, ପାଉଡ଼ିଭୂୟାଁ ଓ ଧରୁଆମାନେ ସେମାନଙ୍କ କେଶକୁ ବିଭିନ୍ନ ମୁଣ୍ଡକଣ୍ଟାରେ ସଜେଇଥା’ନ୍ତି। ଚଳିତ ଥର ଭର୍ଚୁଆଲ ଟୁର୍ରେ ଦର୍ଶକମାନେ ଏ ସଂପର୍କରେ ସବିଶେଷ ତଥ୍ୟ ପାଇପାରିବେ।