ସଚେତନତା ପାଇଁ ପ୍ରତି ଜିଲ୍ଲାରେ ବୁଲିବ ଆଇଇସି ଭ୍ୟାନ୍‌

Advertisment

ଭୁବନେଶ୍ୱର: ରାଜ୍ୟରେ ଏଡ୍‌ସ ନିୟନ୍ତ୍ରଣ ସମିତି ଗଠନ ହେବା ପରେ ଏଡ୍‌ସ ସଚେତନତା କାର୍ଯ୍ୟ ତ୍ୱରାନ୍ଵିତ ହୋଇଛି। ୨୦୧୬ରେ ଦେଶରେ ଏଡ୍‌ସରେ ୧ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ରାଜ୍ୟରେ ମାତ୍ର ୨୮୭ଜଣଙ୍କ ଜୀବନ ଏଡ୍‌ସରେ ଯାଇଛି। କେବଳ ସେତିକି ନୁହେଁ, ଜାତୀୟସ୍ତରରେ ୨୨ ପ୍ରତିଶତ ହାରରେ ଏଡ୍‌ସ ନିୟନ୍ତ୍ରଣ ଚାଲିଥିବା ବେଳେ ଓଡ଼ିଶାରେ ଏହାର ମାତ୍ରା ୩୦ ପ୍ରତିଶତ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।

ଆଜି ଜୟଦେବ ଭବନରେ ରାଜ୍ୟସ୍ତରୀୟ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଜେନା କହିଲେ, ରାଜ୍ୟରେ ଏଚ୍‌ଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସେମାନଙ୍କୁ ସାମିଲ କରାଯାଇଛି। ଏହାସହ ମାଗଣା ବସ୍‌ ପାସ୍‌, ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ପ୍ରବାସୀ ଶ୍ରମିକଙ୍କ ସଚେତନତା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।

ଲୋକମାନଙ୍କ ମଧ୍ୟରେ ଏଡ୍‌ସ ସଚେତନତା ନେଇ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଇଇସି ଭ୍ୟାନ୍‌ ବୁଲିବ। ଏହି ଭ୍ୟାନ୍‌ ଏକକ ଓ ପଥପ୍ରାନ୍ତ ନାଟକ ଜରିଆରେ ଲୋକମାନଙ୍କୁ ଏଡ୍‌ସ ସଂପର୍କରେ ସଚେତନ କରାଇବା ସହିତ ଏଚ୍‌ଆଇଭିର ସ୍କ୍ରିନିଂ ଓ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦେବ। ରାଜ୍ୟରେ ଅନେକ ଲୋକଙ୍କ ଦେହରେ ଏଚ୍‌ଆଇଭି ଜୀବାଣୁ ରହିଥିଲେ ହେଁ ସେମାନେ ପରୀକ୍ଷା ପାଇଁ ଆସୁ ନାହାନ୍ତି। ତେଣୁ ସେମାନଙ୍କର କିଭଳି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ତାହାକୁ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ଜେନା କହିଥିଲେ।

ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା କହିଲେ, ୨୦୩୦ ସୁଦ୍ଧା ବିଶ୍ୱକୁ ଏଡ୍‌ସ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୧୨ରେ ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ ଏଆର୍‌ଟି ସେଣ୍ଟର୍‌ ସହିତ ଯୋଡ଼ା ଯାଇଛି। ଏ ପର୍ଯ୍ୟନ୍ତ ୩୧ହଜାର ଲୋକ ଏଆର୍‌ଟି ସେଣ୍ଟର୍‌ରେ ପଞ୍ଜୀକୃତ ହୋଇଛନ୍ତି। ୨୦୧୫ରୁ ରାଜ୍ୟରେ ୩୦ପ୍ରତିଶତ ହାରରେ ଏଡ୍‌ସ ନିୟନ୍ତ୍ରଣ ହେଉଛି। ସୁରକ୍ଷିତ ରକ୍ତଦାନ ଓ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱାସ୍ଥ୍ୟ କ୍ୟାମ୍ପର ଆୟୋଜନ ସହିତ ରେଡ୍‌ ରିବନ କ୍ଲବ୍‌ ଜରିଆରେ ସଚେତନତା କରାଯାଉଥିବା ଡା.ମେହେର୍ଦା ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ଏକ ନ୍ୟୁଜ୍‌ ଲେଟର୍‌ର ଉନ୍ମୋଚନ କରାଯାଇଥିଲା। ପୂର୍ବରୁ ଜୟଦେବ ଭବନରେ ୪ଟି ଆଇଇସି ଭ୍ୟାନ୍‌ର ଶୁଭାରମ୍ଭ ହୋଇଥିଲା। ପ୍ରାରମ୍ଭରେ ଓସାକ୍ସର ପ୍ରକଳ୍ପ ନିର୍ଦେଶକ ଅଜିତ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ଓସାକ୍ସ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ଏକାମ୍ର ହାଟରୁ ବାହାରି ଜୟଦେବ ଭବନରେ ପହଞ୍ଚିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାର ଉଦ୍‌ଘାଟନ କରିଥିଲେ। ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ଏଡ୍‌ସ ସଚେତନତାର ବାର୍ତା ବାଣ୍ଟିଥିଲେ।

ଏଡ୍‌ସ ଭଲ ହେବା ପାଇଁ ସାଂସଦଙ୍କ ବିତଣ୍ଡା ଉପଦେଶ

ବିଶ୍ୱର ଗବେଷକମାନେ ଆଜି ପର୍ଯ୍ୟନ୍ତ ଏଡ୍‌ସକୁ ଭଲ କରିବା ଭଳି ଔଷଧ ଖୋଜି ପାଇ ନାହାନ୍ତି। କେବଳ ଏଚ୍‌ଆଇଭି ବ୍ୟାପିବାକୁ ରୋକିବା ଲାଗି ଆଣ୍ଡେରେଟ୍ରୋଭିଆଲ ଥେରାପି ବା ଏଆରଟି ରହିଛି। ମାତ୍ର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଜି ଏଡ୍‌ସ କିଭଳି ଭଲ ହୋଇଯିବ ତାହାର ଔଷଧ ଲୋକଙ୍କୁ କହିଛନ୍ତି। ସାଂସଦଙ୍କ ଏଭଳି ବିତଣ୍ଡା ଉପଦେଶରେ ଆଜି ଜୟଦେବ ଭବନରେ ରାଜ୍ୟସ୍ତରୀୟ ବିଶ୍ୱ ଏଡ୍‌ସ ଦିବସ କାର୍ଯ୍ୟକ୍ରମରେ ଲୋକଙ୍କ ପାଇଁ ମନୋରଂଜନର ଖୋରାକ ଯୋଗାଇଥିଲା। ଗତବର୍ଷ ମଧ୍ୟ ଜୟଦେବ ଭବନରେ ସାଂସଦ ଏଭଳି ବିତଣ୍ଡା ତଥ୍ୟ ରଖିଥିଲେ। ସାଂସଦ ଶ୍ରୀ ପାଟ୍ଟଶାଣୀ କହିଥିଲେ, ଏଡ୍‌ସରୁ ଭଲ ହେବା ପାଇଁ ଅରୁଆ ଚାଉଳକୁ ନିମ୍ବ ଗଛରେ ଗାତ କରି ୨୧ ଦିନ ପର୍ଯ୍ୟନ୍ତ ରଖିବା ସହିତ ଋଷିକ ମନ୍ତ୍ର ଉଚ୍ଚାରଣ କରିବାକୁ ପଡ଼ିବ। ୨୨ ଦିନ ପରେ ଏହି ଅରୁଆ ଚାଉଳକୁ ଖାଇଲେ ଏଡ୍‌ସ ଭଲ ହୋଇଯିବ। କେବଳ ଏଡ୍‌ସରେ ଅଟକି ନ ଯାଇ ଶ୍ରୀ ପାଟ୍ଟଶାଣୀ କିଭଳି କର୍କଟ ରୋଗ ଭଲ ହୋଇଯିବ ତାହାର ମଧ୍ୟ ବାଟ କହିଛନ୍ତି। ତୁଳସୀ ପତ୍ର ସହିତ ହଳଦୀ ଖାଇଲେ କର୍କଟ ପାଖ ମାଡ଼ିବନି।