ଭୁବନେଶ୍ବର: ଯାଜପୁର ଜିଲ୍ଲା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଦୁର୍ନୀତି ଓ ଖଣିଲୁଟ୍ ବିରୋଧରେ ସ୍ବର ଉତ୍ତୋଳନ କରୁଥିବାରୁ ତାଙ୍କୁ ମିଛ ମାମଲାରେ ପୁଲିସ ଫସାଉଛି। ତାଙ୍କ ନାମରେ ମିଛ ମାମଲା ରୁଜୁ କରିବା ସହ ହତ୍ୟା ଧମକ, ପ୍ରାଣାନ୍ତକ ଆକ୍ରମଣ କରାଯାଛି। ଏମିତିକି ପରିବାର ଲୋକଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଏହାକୁ ବିରୋଧ କରିଛି ‘ଓସା’। ଏହାର ପ୍ରତିବାଦରେ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଆଜି ଭୁବନେଶ୍ବର ଲୋହିଆ ଏକାଡେମିରେ ଏକ ସାମ୍ବାଦିକ ସମ୍ମିଳନୀରେ ଓସା ଆହ୍ବାନ ଦେଇଛି।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି ଯାଜପୁର ଜିଲ୍ଲାର ଧର୍ମଶାଳା ପୁଲିସ ମିଛ ମାମଲା ରୁଜୁ କରି ସର୍ବେଶ୍ବରଙ୍କୁ ଗିରଫ କରିଥିଲା। ସେ ଗତକାଲି ମୁକୁଳିବା ପରେ ପୁଣି ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଏକ ମାମଲା ରୁଜୁ କରିବା ସହ ସର୍ବେଶ୍ବରଙ୍କ ଘରେ ଚଢ଼ଉ କରିଛନ୍ତି। ଯାଜପୁର ଜିଲ୍ଲାରେ ହେଉଥିବା ହଜାର ହଜାର କୋଟିର ଖଣି ଦୁର୍ନୀତିକୁ ସର୍ବେଶ୍ବର ପର୍ଦ୍ଦାଫାସ କରୁଥିଲେ। ବିଶେଷ କରି ବିଛାଖଣ୍ଡି ପାହାଡ଼ ଲୁଟ୍, ଆରୁହା ପାହାଡ଼ ଖଣି ଲୁଟ୍, ଡଙ୍କାରୀ ପାହାଡ଼ ଲୁଟ୍, ସ୍ଥାନୀୟ ବିଧାୟକଙ୍କ ଭାଇ ନିଜର ଇଟାଭାଟିକୁ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ କରିବା ପ୍ରସଙ୍ଗକୁ ଉଠାଇବାରୁ ଜିଲ୍ଲା ପ୍ରଶାସନ ଓ ଶାସକ ଦଳର ନେତା ସୁଚିନ୍ତିତ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ଏଭଳି କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ସର୍ବେଶ୍ବରଙ୍କୁ ଜୀବନରୁ ମାରି ଦେବାକୁ ୨୦୧୧ ମାର୍ଚ୍ଚ ୨୭ରେ ବୋମାମାଡ଼ କରାଯାଇଥିଲା। ସର୍ବେଶ୍ବରଙ୍କ ପରି ରାଜ୍ୟରେ ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି। ତେଣୁ ଏହାର ପ୍ରତିବାଦରେ ଜୁଲାଇ ୧୫ରେ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।