ଭୁବନେଶ୍ୱର: ‘କି ସୁନ୍ଦର ଆହା, କି ଆନନ୍ଦମୟ’, ‘ଆକାଶ ଦିଶେ କି ସୁନ୍ଦର’ କବିତା ହେଉ ଅଥବା ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧର ରଚୟିତା ହେଉଛନ୍ତି ଭକ୍ତ କବି ମଧୁସୂଦନ ରାଓ। ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି, ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ। ତାଙ୍କ ପ୍ରତ୍ୟେକ ରଚନା ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ପଢ଼ା ହେଉଛି। ହେଲେ ଏସବୁ ସତ୍ତ୍ୱେ ରାଜଧାନୀରେ ଅବହେଳିତ ଅବସ୍ଥାରେ ପଡ଼ିରହିଛି ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଶୋଚନୀୟ ସ୍ଥିତିରେ ରହିଛି। ବର୍ତ୍ତମାନ ସରକାର ପ୍ରତ୍ୟେକ ମହାପୁରୁଷଙ୍କ ଜୟନ୍ତୀ, ଶ୍ରାଦ୍ଧ ଦିବସକୁ ଧୁମ୍ଧାମ୍ରେ ପାଳନ କରୁଛନ୍ତି।
ହେଲେ ଏହି ଜନନାୟକଙ୍କ ପ୍ରତିମୂର୍ତ୍ତି ପ୍ରତି କାହାର ନିଘା ନାହିଁ। ମୂର୍ତ୍ତିର ଚାରିପଟେ ବଣବୁଦା ମାଡ଼ି ଯାଇଛି। ଗଛ ପତ୍ରର ଆଢ଼ୁଆଳରେ ଗୋଟିଏ ପାର୍ଶ୍ୱ ଦୃଶ୍ୟମାନ ହେଉନାହିଁ। ପ୍ରତିମୂର୍ତ୍ତିର ସ୍ଥାନେ ସ୍ଥାନେ ରଙ୍ଗ ଛାଡ଼ିଯାଇଛି। ପୁଣି ଚାରିପଟେ ଆବର୍ଜନା ଗଦା ହୋଇଛି। ଗତ ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ପ୍ରତିମୂର୍ତ୍ତି ଚାରିପଟେ ଥିବା ଡ୍ରେନ କାମ ଆରମ୍ଭ ହୋଇଥିବା ବେଳେ ଏଯାବତ୍ ସରୁନାହିଁ। ପୁଣି ଏହାର ଚାରିପଟେ ‘କାମ ଚାଲୁଛି’ ଲେଖା ଥିବା ତମ୍ବୁ ଟଣା ହୋଇଛି। ଯେଉଁଥିପାଇଁ ଏହା ଲୋକଙ୍କର ଅସ୍ଥାୟୀ ଶୌଚାଳୟ ପାଲଟିଛି। ଗତ ୮ ବର୍ଷ ହେଲାଣି ଏହି ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ କରାଯାଉନାହିଁ। ତେବେ ଏନେଇ ଅଞ୍ଚଳର କର୍ପୋରେଟର ଅପରୂପ ନାରାୟଣ ରାଉତ କହିଛନ୍ତି, ଡ୍ରେନ୍ଟି ସ୍କୁଲ ପାଚେରି ଦେଇ ଯିବ। ସେଥିପାଇଁ ସ୍କୁଲକୁ ଆବେଦନ ପତ୍ର ଦିଆଯାଇଛି। ଖୁବ୍ଶୀଘ୍ର କାମ ସରିଯିବ ବୋଲି ସେ କହିଛନ୍ତି।