ମାଷ୍ଟରକ୍ୟ‌ାଣ୍ଟିନ୍‌ ଘୋଡ଼ାର ପିଛା ଛାଡ଼ୁନି ବିବାଦ: ସୌନ୍ଦର୍ଯ୍ୟୀକରଣ ବେଳେ ଭାଙ୍ଗିଗଲା ନର୍ତ୍ତକୀ ମୂର୍ତ୍ତି

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ବିକ୍ଷୋଭ, ଅଧଘଣ୍ଟାଏରେ ଯୋଡ଼ା ହୋଇଛି: ବିଏସ୍‌ସିଏଲ୍‌

ଭୁବନେଶ୍ବର: ଭୁବନେଶ୍ବର ସହରର ଅନ୍ୟତମ ଐତିହ୍ୟ ତଥା ମାଷ୍ଟରକ୍ୟାଣ୍ଟିନ୍‌ ଛକର ପରିଚୟ ବହନ କରୁଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ନେଇ ବିବାଦ ପିଛା ଛାଡ଼ୁନି। ଯଦିଓ ବିଭିନ୍ନ ରାଜନୈତିକ ଦଳ, ସାଂସ୍କୃତିକ ସଂଗଠନ ଏବଂ ରାଜ୍ୟର ବିଶିଷ୍ଟ ସ୍ଥପତିଙ୍କ ବିରୋଧ ପରେ ରାଜଭବନ ଛକକୁ ଏହାର ସ୍ଥାନାନ୍ତର ନିଷ୍ପତ୍ତିରୁ ସରକାର ଓହରି ଯାଇଛନ୍ତି। କିନ୍ତୁ ଏବେ ଏହାର ସୌନ୍ଦର୍ଯ୍ୟୀକରଣକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଆଜି ଏହାର ସୌନ୍ଦର୍ଯ୍ୟୀକରଣ କାମ ଚାଲିଥିବା ବେଳେ ଏକ ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯିବାରୁ ବିଭିନ୍ନ ମହଲ‌ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ପରିବର୍ତ୍ତନ ନ କରିବା ପାଇଁ କୁହାଯାଇଥିଲେ ମଧ୍ୟ ପୁରୁଣା ମୂର୍ତ୍ତିକୁ କାହିଁକି ଉଠା ଯାଉଥିଲା? ଉଠାଯିବା ବେଳେ କାହିଁକି ଯତ୍ନ ନିଆଗଲା ନାହିଁ? ଯଦି ନର୍ତ୍ତକୀ ମୂର୍ତ୍ତିକୁ ସୁରକ୍ଷା ଦିଆଯାଇ ପାରୁନି, ତେବେ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିର ଭାଗ୍ୟ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ମୂର୍ତ୍ତି ଭାଙ୍ଗିବା ଖବର ପାଇ ଆଜି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ଅସନ୍ତୋଷ ଜାହିର କରିଥିଲା। ଭଙ୍ଗା ମୂର୍ତ୍ତିକୁ ମରାମତି କରି ଯଥା ସ୍ଥାନରେ ରଖିବା ସହ ଅନ୍ୟ କୌଣସିରେ ପରିବର୍ତ୍ତନ ନ କରିବାକୁ ଚେତାବନୀ ଦେଇଥି‌ଲେ। ଅନୁଷ୍ଠାନ ପକ୍ଷରୁ କୁହାଯାଇଥିଲା, ବିଖ୍ୟାତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦ୍ବାରା ଏହି ମୂର୍ତ୍ତି ୧୯୮୮ ମସିହାରେ ଏଠାରେ ଅବସ୍ଥାପିତ ହୋଇଥିଲା। ଏତେବର୍ଷର ପୁରୁଣା ପ୍ରସ୍ତର ମୂର୍ତ୍ତିକୁ ପକାଉଠା କଲେ, ତାହା ଭାଙ୍ଗିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସେଥିପାଇଁ ଏହାକୁ ସେହି ସ୍ଥାନରେ ମରାମତି କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ତେଣୁ ନିଷ୍ପତ୍ତି ଅନୁଯାୟୀ କାମ ନ କଲେ ଆଗକୁ ଅନୁଷ୍ଠାନ ପକ୍ଷରୁ ପ୍ରବଳ ବିରୋଧ କରାଯିବ ବୋଲି ଅନୁଷ୍ଠାନର ନାରାୟଣ ଓଝା, ରୋହିମି ରାୟ, ସିତାଂଶୁ ମହାରଣା, ଶିବ ଡାକୁଆ, ତନ୍ମୟ ସାମନ୍ତରାୟ ଓ ଅମରେଶ ରଣା ପ୍ରମୁଖ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ନିୟୋଜିତ ଦଳକୁ ଚେତାବନୀ ଦେଇଥିଲେ।

ଅପରପକ୍ଷେ ଏହାକୁ ନେଇ ବିବାଦ ବଢ଼ିବାରୁ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) କର୍ତ୍ତୃପକ୍ଷ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ବିଏସ୍‌ସିଏଲ୍‌ କହିଛି, ମରାମତି ପାଇଁ ନର୍ତ୍ତକୀ ମୂର୍ତ୍ତିକୁ କ୍ରେନ୍‌ ସାହାଯ୍ୟରେ ଉଠାଯାଉଥିବା ବେଳେ ମୂର୍ତ୍ତି ଭାଙ୍ଗି ଯାଇଥିଲା। ତେବେ ଏହାକୁ ଅଧଘଣ୍ଟା ଭିତରେ ମରାମତି କରାଯାଇ ପୂର୍ବାବସ୍ଥାକୁ ଫେରାଇ ଅଣାଯାଇଛି। ନିଷ୍ପତ୍ତି ଅନୁଯାୟୀ ‌ସୌନ୍ଦର୍ଯ୍ୟୀକରଣ ଆରମ୍ଭ ହୋଇଛି। ସୌନ୍ଦର୍ଯ୍ୟୀକରଣ କାମକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିବା ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ କହିଛନ୍ତି, ସ୍ବତନ୍ତ୍ର ଯୋଜନା ଆଧାରରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହୋଇଛି। ସେହି ପ୍ରକ୍ରିୟାରେ ମରାମତି ପାଇଁ ମୂର୍ତ୍ତିକୁ ଅଣାଯାଉଥିବା ବେଳେ ଭାଙ୍ଗିଛି। ପରେ ତୁରନ୍ତ ଏହାକୁ ମରାମତି କରାଯାଇ ସ୍ଥାପନ କରାଯାଇଛି। ଏହି ସୌନ୍ଦର୍ଯ୍ୟୀକରଣ କାମ ଅଢ଼େଇ ମାସ ଭିତରେ ଶେଷ ହେବାକୁ ଯୋଜନା ହୋଇଛି। କାମ ସରିବା ପ‌ରେ ପୂର୍ବରୁ ଯେମିତି ଦେଖାଯାଉଥିଲା, ତା’ଠାରୁ ଢେର୍‌ ଗୁଣରେ ଏହି ଜାଗା ସୁନ୍ଦର ଦିଶିବ। ଖାଲି ସେତିକି ନୁହେଁ, ଏହା ଦୀର୍ଘସ୍ଥାୟୀ ହୋଇପାରିବ। ଘୋଡ଼ା ଚଟାଣକୁ କଂକ୍ରିଟ ଢଳେଇ କରାଯିବ। ସୁରକ୍ଷା ପାଇଁ ଲାମିନେସନ୍ କରାଯିବ। କଂକ୍ରିଟ ଥିବା ଜାଗାରେ ପଥର ପ୍ଲେଟ୍‌ ଲାଗିବ। ଏସିଡ୍‌ରେ ଆବର୍ଜନା ସଫା କରାଯିବ, କୌଣସି ରଙ୍ଗ ବ୍ୟବହାର ହେବ ନାହିଁ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳ ୭ଟାରୁ ଏଠାରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହୋଇଥିଲା। ତିନିଜଣ ପଥର କାରିଗର ଓ ଦଶଜଣ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଥିଲେ। କ୍ରେନ୍ ସାହାଯ୍ୟରେ ପଥରମୂର୍ତ୍ତିଗୁଡ଼ିକୁ ଉଠାଯାଇ ତଳକୁ ଅଣାଯାଉଥିଲା। ପାଞ୍ଚଟି ଦେବଦାସୀ ମୂର୍ତ୍ତି ଓ ଦୁଇଟି ପଥର ଷ୍ଟାଣ୍ଡ ଉଠାଯାଇଥିଲା। ହେଲେ ସେଥିରୁ ଗୋଟିଏ ମୂର୍ତ୍ତି ଭାଙ୍ଗି ଯାଇଥିଲା। ସେହି ସ୍ଥାନରେ ଥିବା ଗଛ ମଧ୍ୟ କଟାଯାଇଥିଲା। ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଏହାକୁ ବିରୋଧ ହେବାରୁ କିଛି ସମୟ ପାଇଁ କାମ ବନ୍ଦ ରହିଥିଲା।

ଉଲ୍ଲେଖଯୋଗ୍ୟ, ଏହି ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ମାଷ୍ଟରକ୍ୟାଣ୍ଟିନ ଛକର ଏକ ପରିଚୟ ପାଲଟିଛି। ଟ୍ରେନ୍‌ରେ ଭୁବନେଶ୍ବର ଆସୁଥିବା ଲୋକେ ଏହାକୁ ଘୋଡ଼ା ଛକ ବୋଲି ମଧ୍ୟ କହନ୍ତି। କିନ୍ତୁ ରେଳ ଷ୍ଟେସନ୍‌ ଓ ତତ୍‌ସଂଲଗ୍ନ ଇଲାକାର ଉନ୍ନତୀକରଣ ଲାଗି ଗତ ଜୁନ୍ ୮ରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ଓ ସଂସ୍କୃତି ବିଭାଗ ଏହି ମୂର୍ତ୍ତିକୁ ରାଜଭବନ ନିକଟସ୍ଥ ଗୋଲେଇକୁ ସ୍ଥାନାନ୍ତର କରିବା ନେଇ ନିଷ୍ପତ୍ତି ନେଇଥିଲେ। ଏହାକୁ ବିଭିନ୍ନ ରାଜନୈତିକ ଦଳ, ସାଂସ୍କୃତିକ ସଂଗଠନ ଏବଂ ରାଜ୍ୟର ବିଶିଷ୍ଟ ସ୍ଥପତି ଓ ବ୍ୟକ୍ତିମାନେ ଜୋରଦାର ବିରୋଧ କରିବା ସହ ମୂର୍ତ୍ତି ଆଗରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ। ବିରୋଧ ଯୋଗୁଁ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ।

ସମ୍ବନ୍ଧିତ ଖବର