ଭୁବନେଶ୍ୱର: ମହାପୁରୁଷଙ୍କୁ ସେମାନଙ୍କ ଅବଦାନ ପ୍ରତି ସମ୍ମାନ ଜଣାଇବା ତଥା ଆମ ଉତ୍ତରପିଢ଼ିଙ୍କୁ ଏମାନଙ୍କର ତ୍ୟାଗ, ବଳିଦାନ ଓ କୃତୀ ସମ୍ପର୍କରେ ସ୍ମରଣ କରାଇବା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୁଏ ସେମାନଙ୍କ ପ୍ରତିମୂର୍ତି। ଆମେ ପ୍ରତିଦିନ ଯା’ଆସ ସମୟରେ ନଜରରେ ପଡ଼ିବା ପାଇଁ ସହରର ପ୍ରମୁଖ ଛକଗୁଡ଼ିକରେ ମହାପୁରୁଷମାନଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଏ। କିନ୍ତୁ ଖାଲି ପ୍ରତିମୂର୍ତି ସ୍ଥାପନ କରି ଆମେ ଯେମିତି ଆମ କର୍ତ୍ତବ୍ୟ ସାରି ଦେଉ। ବର୍ଷତମାମ ଧୂଳି, କାଉ ପାରାଙ୍କ ମଳର ଆସ୍ତରଣ ସହ ଅଳିଆ ଗଦା ମଧ୍ୟରେ ଅବହେଳିତ ଅବସ୍ଥାରେ ପଡ଼ିରୁହେ ଏହି ମହାପୁରୁଷଙ୍କ ପ୍ରତିମୂର୍ତି। ଜୟଦେବ ବିହାର ଛକରେ ଦୁଇ ମହାପୁରୁଷଙ୍କ ପ୍ରତିମୂର୍ତି ଏହି ଭଳି ଅବସ୍ଥାରେ ପଡ଼ିରହିଛି। ସ୍ବର୍ଗତ ବୀରେନ ମିତ୍ର ଓ ଜୟଦେବଙ୍କ ପ୍ରତିମୂର୍ତି ପରିସର ଏବେ ପାଲଟି ଯାଇଛି ଅସମାଜିକଙ୍କ ଆଡ଼ାସ୍ଥଳୀ ଓ ଅସହାୟଙ୍କ ଆଶ୍ରୟସ୍ଥଳୀ।
୨୦୦୯ ମସିହାରେ ଜୟଦେବ ବିହାର ଛକ ଉପରେ ସ୍ବର୍ଗତ ବିରେନ ମିତ୍ରଙ୍କ ଏକ ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ପରେପରେ ୨୦୧୮ ମସିହାରେ ସେହି ସ୍ଥାନରେ କବି ଶ୍ରୀ ଜୟଦେବଙ୍କ ପ୍ରତିମୂର୍ତ୍ତି ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ବାରିକେଡ୍ କରି ଏହି ପ୍ରତିମୂର୍ତ୍ତିଗୁଡିକ ସ୍ଥାପନ କରାଯାଇଥିଲା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେହି ସ୍ଥାନ ଏବେ ମଦ୍ୟପମାନଙ୍କ ଅାଡ଼ାସ୍ଥଳୀ ପାଲଟି ଥିବା ବେଳେ ଦିନରେ ଅସହାୟଙ୍କ ଆଶ୍ରୟସ୍ଥଳୀ ପାଲିଟିଛି।
ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ମୂର୍ତ୍ତି ସେଠାରେ ରଖାଯାଇଛି। କିନ୍ତୁ ସେଗୁଡ଼ିକ ଏବେ ଭାଙ୍ଗିପଡ଼ିଛି। ପ୍ରତିମୂର୍ତି ପରସର ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ। କେବଳ ଜୟନ୍ତୀ କି ଶ୍ରାଦ୍ଧ ଦିବସ ଆସିଲେ ହିଁ ପ୍ରତିମୂର୍ତିଗୁଡ଼ିକୁ ସଫା କରାଯାଏ। କିନ୍ତୁ ଏହାର ପରିସର ସଫା କରିବା କିମ୍ବା ଏହାର ସୌନ୍ଦର୍ଯ୍ୟୀକରଣ ପାଇଁ କାହାର ମନ ବଳୁନାହିଁ। ସହରରେ ଥିବା ସମସ୍ତ ପ୍ରତିମୂର୍ତିର ରକ୍ଷଣାବେକ୍ଷଣା ଓ ଜୟନ୍ତୀ ତଥା ଶ୍ରାଦ୍ଧ ଦିବସରେ ମାଲ୍ୟାର୍ପଣ ଆଦିର ଗୁରୁ ଦାୟିତ୍ବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପରେ ନ୍ୟସ୍ତ ରହିଥିଲେ ସୁଦ୍ଧା ବିଭାଗ ପକ୍ଷରୁ ଏନେଇ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଖାଲି ଜୟଦେବ ବିହାର ଛକ ନୁହେଁ, ପ୍ରତିଟି ଛକରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତିର ଅବସ୍ଥା ଏହିଭଳି। ଏସବୁ ଦେଖି ସଚେତନ ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏ କି ପୂଜ୍ୟପୂଜା ବୋଲି ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/fh165sf4h654fsh4fs56h45s6fh465fshfshfshhfshfsh.jpg)