ପୌର ନିର୍ବାଚନରେ କଂଗ୍ରେସର ସ୍ଥିତି: ୪ ପାଳି ହେଲା ଛିଡ଼ିବା‌ରେ ଲାଗିଛି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଦଖଲ କରିବାକୁ ଲଢ଼େଇ ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ଦଳ ବିଜେଡି ବିଏମ୍‌ସି ଦଖଲ କରିବାକୁ ପୁରା ଦମ୍‌ରେ ଲାଗିପଡ଼ିଛି। ଶାସକ ଦଳର ବାଟ ଓଗାଳିବା ପାଇଁ ବିରୋଧୀ ବି ପ୍ରସ୍ତୁତିରେ ଉଣା କରୁନାହାନ୍ତି। ଗତ ପୌର ନିର୍ବାଚନମାନଙ୍କରେ କେ‌ତେକ ନିର୍ଦ୍ଦିଷ୍ଟ ୱାର୍ଡରେ ବିରୋଧୀ ନିଜର ଦବ୍‌ଦବା ଜାରି ରଖୁଥିବା ଅତୀତ ନିର୍ବାଚନରୁ ପ୍ରମାଣ ରହିଛି।

ଏଥର ଦୁଇ ପ୍ରମୁଖ ବିରୋଧୀଙ୍କ ମଧ୍ୟରୁ ବିଜେପି ସମସ୍ତ ୬୭ ୱାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦେଇ ନ ପାରିବା ରାଜଧାନୀ ରାଜନୀତିରେ ଚର୍ଚ୍ଚ‌ାର ବିଷୟ ହୋଇଛି। ଲଗାତାର ଭାବେ ୪ ପାଳି ହେଲା ସାଧାରଣ ଓ ପୌର ନିର୍ବାଚନରେ ଭୁବନେଶ୍ବରରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି।

ଏଥର କଂଗ୍ରେସ ୧୯ଟି ୱାର୍ଡରେ ପ୍ରାର୍ଥୀ ଦେଇପାରିନାହିଁ। ପୁଣି ୧୯ ନମ୍ବର ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ଜ୍ୟୋତ୍ସ୍ନାରାଣୀ ରାଉତରାୟ ମଇଦାନରୁ ଓହରିଯିବା ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ରାତାରାତି ବିଜେଡିରୁ ଆସି କଂଗ୍ରେସ ଟିକେଟ୍‌ ନେଇ ପ୍ରାର୍ଥିପତ୍ର ଦାଖଲ କଲେ। କିନ୍ତୁ ୪ ଦିନ ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ। ବିଜେଡିର ହାୱା ସତ୍ତ୍ବେ ଭୁବନେଶ୍ବର ଉପକଣ୍ଠରେ ସୁରେଶ କୁମାର ରାଉତରାୟ କଂଗ୍ରେସରୁ ବିଧାୟକ ହୋଇଛନ୍ତି।

ପ୍ରାର୍ଥିପତ୍ର ଦାଖଲ ସମୟରେ ସେ ମଧ୍ୟ ଉପସ୍ଥିତ ରହି ପ୍ରାର୍ଥୀମାନଙ୍କୁ ଉତ୍ସାହିତ କରିଛନ୍ତି। ହେଲେ ମହିଳା ପ୍ରାର୍ଥୀଙ୍କୁ ପ୍ରତ୍ୟାହାର ପୂର୍ବରୁ ରୋକି ପାରିନାହାନ୍ତି କିମ୍ବା ପ୍ରତ୍ୟାହାର ଭଳି ସ୍ଥିତି ଅଛି ବୋଲି ବେଳହୁଁ ଆକଳନ କରିପାରିନାହାନ୍ତି। ଫଳରେ ଆଗାମୀ ବିଏମ୍‌ସି ନିର୍ବାଚନରେ କଂଗ୍ରେସ କିପରି ଲଢ଼େଇ କରିବ, ତାହା ଉପରେ ସମସ୍ତଙ୍କର ନଜର ରହିଛି।

ଗତ ତିନୋଟି ବିଏମ୍‌ସି ନିର୍ବାଚନରେ କଂଗ୍ରେସ ଭୋଟ୍‌ ହ୍ରାସ ପାଇଚାଲିଛି। ୨୦୦୩ ନିର୍ବାଚନରେ ମୋଟ୍‌ ୱାର୍ଡ ସଂଖ୍ୟା ୪୭ ଥିବା ବେଳେ କଂଗ୍ରେସ ୧୦ଟି ଆସନ ପାଇଥିଲା। ଅର୍ଥାତ୍‌ ୨୧ ପ୍ରତିଶତ ଆସନ କଂଗ୍ରେସ ଦଖଲରେ ଥିଲା। ୨୦୦୮ ମସିହାରେ ୱାର୍ଡ ସଂଖ୍ୟା ବଢ଼ି ୬୦ ହେଲା। ସେଥର କଂଗ୍ରେସକୁ ମିଳିଥିଲା ମାତ୍ର ୪ଟି ଆସନ। ଅର୍ଥାତ୍‌ ବିଜୟ ହାର ୬ ପ୍ରତିଶତକୁ ଖସି ଆସିଥିଲା। ୨୦୧୪ ନିର୍ବାଚନରେ ୱାର୍ଡ ସଂଖ୍ୟା ୬୭କୁ ବୃଦ୍ଧି ପାଇଥିଲା।

କିନ୍ତୁ କଂଗ୍ରେସ ପ୍ରଦର୍ଶନ ଆହୁରି ଶୋଚନୀୟ ହୋଇପଡ଼ିଥିଲା। ମାତ୍ର ଦୁଇଟି ଆସନରେ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କୌତୁହଳର କଥା ହେଉଛି ଯେ କଂଗ୍ରେସରୁ ଜିତିଥିବା ଦୁଇ କର୍ପୋରେଟର ଶ୍ରୀଧର ବେହେରା ଓ ଜ୍ୟୋତ୍ସ୍ନାରାଣୀ ରାଉତରାୟ ପରବର୍ତ୍ତି ସମୟରେ ବିଜେଡି‌ରେ ସାମିଲ ହୋଇଥିଲେ। ଏହି ଦୁଇଜଣଙ୍କ ମଧ୍ୟରୁ ଏଥର ଶ୍ରୀଧର ‌ବେହେରା ବିଜେଡି ଟିକେଟ୍‌ ପାଇଛନ୍ତି। ଚଳିତ ଥର ୱାର୍ଡ ସଂଖ୍ୟା ବୃଦ୍ଧି ପାଇନାହିଁ। କିନ୍ତୁ ସବୁ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇନା‌ହିଁ।

ତେବେ କେବଳ ବିଏମ୍‌ସି ନିର୍ବାଚନରେ ନୁହେଁ, ସାଧାରଣ ନିର୍ବାଚନରେ ମଧ୍ୟ ଭୁବନେଶ୍ବରର ତିନିଟି ବିଧାନସଭା ଆସନ‌ରେ କଂଗ୍ରେସ ଦୁର୍ବଳ ପ୍ରଦର୍ଶନ କରିଆସୁଛି। ଭୁବନେଶ୍ବର ମଧ୍ୟ ଆସନରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୨୭୪୬ ଭୋଟ୍ ପାଇଥିବା ବେଳେ ଉତ୍ତରରେ ୫୧୮୯ ଓ ଏକାମ୍ରରେ ୬୭୮୦ଭୋଟ୍ ପାଇଥିଲେ। ତିନିଟି ଯାକ ଆସନରେ କଂଗ୍ରେସ ପ୍ରାର୍ଥୀ ଅମାନତ ରକ୍ଷା କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ।

ସମ୍ବନ୍ଧିତ ଖବର