ଭୁବନେଶ୍ବର: ଏବେ ସମସ୍ତେ ଆହ୍ବାନ ଦେଉଛନ୍ତି ‘ଷ୍ଟେ ହୋମ୍, ଷ୍ଟେ ସେଫ୍’। ‘ଘରେ ରୁହ ସୁସ୍ଥ ରୁହ’। ସେଥିପାଇଁ ଯାହାର ଜରୁରୀ କାମ ନାହିଁ, ସେମାନେ ଘରୁ ବାହାରୁନାହାନ୍ତି। ହେଲେ ରାଜଧାନୀ ରାସ୍ତାକଡ଼ରେ ବହୁ ବାସହରାଙ୍କ ପାଇଁ ଘରେ ରୁହ, ସୁସ୍ଥ ରୁହ ଯେପରି ସାତସପନ। କାରଣ ରାସ୍ତାକଡ଼ ହିଁ ଏମାନଙ୍କର ଘର। ଓଭରବ୍ରିଜ୍ର ଛାତ କିମ୍ବା ଜରିପାଲ ଏମାନଙ୍କ ଘରର ଛାତ। ଏମିତି ଘରେ ରହୁଛନ୍ତି, ଯାହାର କାନ୍ଥବାଡ଼ ନାହିଁ। କେଉଁ ଭୂତାଣୁ ଆସିଲା, ଦେହରେ ପଶିଲା ସେ ଭୟ ବି ନାହିଁ। ରାଜ୍ୟ ସରକାର ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ବାଧ୍ୟତାମୂଳକ କରିଛନ୍ତି, ହେଲେ ଯିଏ ୨୪ ଘଣ୍ଟା ଖୋଲା ଆକାଶ ତଳେ ଶୋଇଛି, ଗାଡ଼ି ଚାଲିଗଲେ ଉଡ଼ି ଯାଉଥିବା ଧୂଳି ଯାହା ମୁହଁରେ ଉଡ଼ିକି ପଡ଼ୁଛି, ତା’ ପାଇଁ ମାସ୍କ କେତେ ସହାୟକ ହେବ? ବାସହରାଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ବିଏମ୍ସି ନେଇ ରଖୁଛି। ଏପରିକି ଯେଉଁମାନେ ସନ୍ଦିଗ୍ଧ ବୋଲି ଆଶଙ୍କା କରୁଛି, ସେମାନଙ୍କୁ ନେଇ ସଙ୍ଗରୋଧ କେନ୍ଦ୍ରରେ ରଖୁଛି। କାରଣ ସେମାନେ ସୁରକ୍ଷିତ ରହିବେ ଓ ଅନ୍ୟକୁ ରୋଗ ବ୍ୟାପିବନି। ହେଲେ ଯିଏ ରାସ୍ତାକଡ଼ରେ ଶୋଉଛି, ତାକୁ କରୋନା ହୋଇଛି କି ନାହିଁ କେହି ଜାଣିନାହାନ୍ତି। ଯଦି ହୋଇଛି ସେ ଯେ କେତେ ଲୋକଙ୍କୁ ଅକ୍ଳେଶରେ ଏହି ଭୂତାଣୁ ବାଣ୍ଟି ଦେଉଛି, ସେ କଥା ବି କାହାକୁ ଜଣାନାହିଁ। ଯଦି ବି ହୋଇନି କେତେବେଳେ ଯେ କରୋନା ମାଡ଼ି ବସିବ, ତାହା ବି କେହି ଜାଣିନାହାନ୍ତି। ରାସ୍ତାକଡ଼ରେ ଶୋଇଥିବା ଲୋକ ତା’ର ଭାଗ୍ୟକୁ ଆଦରି ପଡ଼ିଛି। ହେଲେ ସରକାର କରୋନା ମୁକାବିଲା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ବାସହରାଙ୍କୁ ଯଦି ଏବେ ଘରେ ରଖିପାରନ୍ତେ, ତେବେ ହୁଏତ ସେମାନେ ‘ଘରେ ରୁହ, ସୁସ୍ଥ ରୁହ’ର ମହତ୍ତ୍ବ ବୁଝିପାରନ୍ତେ ଏବଂ ରାଜଧାନୀବାସୀ ବି ସୁସ୍ଥ ରହିପାରନ୍ତେ।
‘ଘରେ ରୁହ, ସୁସ୍ଥ ରୁହ’ ଆହ୍ବାନ, ଏମାନଙ୍କ ପାଇଁ ସପନ
/sambad/media/post_attachments/wp-content/uploads/2020/04/xfhfshs8f4h98sf7h98sf7h98sf4h56sf4hsf65hsfhsfhsfhfshsfhfshfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)