ଭୁବନେଶ୍ବର: ବିନା ଲେ-ଆଉଟ୍‌ ପ୍ଲାନ୍ ଅନୁମୋଦନରେ ସବ୍‌ପ୍ଲଟ୍‌ର କିଣାବିକା ହେଉନି। ଭୁବନେଶ୍ବର ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଫେବ୍ରୁଆରି ୧୮ତାରିଖରୁ ଏହି ନିୟମ ଲାଗୁ ହୋଇଥିବାବେଳେ ଏହାକୁ ବିରୋଧ କରି ଆଜି ଆଇନଜୀବୀମାନେ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଆଇନଜୀବୀମାନେ ପୂର୍ବ ନିୟମ ଅନୁଯାୟୀ ସବ୍‌ ପ୍ଲଟ୍‌ କିଣାବିକା କରିବାକୁ ଅନୁମତି ଦେବା ଦାବିରେ ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ। ଏପରିକି ଜମି କିଣାବିକା, ବିବାହ ପଞ୍ଜୀକରଣ ଓ ଅନ୍ୟାନ୍ୟ କାମରେ ଆସୁଥିବା ଲୋକଙ୍କୁ ଫେରାଇ ଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ଆଜି ଦିନତମାମ୍ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ କାମ ଠପ୍ ହୋଇଯାଇଥିଲା।

Advertisment

ବିନା ଲେ-ଆଉଟ୍‌ ପ୍ଲାନ୍ ଅନୁମୋଦିତ ସବ୍‌ପ୍ଲଟ୍‌/ଆଂଶିକ ପ୍ଲଟ୍‌କୁ କିଣା ବିକା ନକରିବାକୁ ଜାନୁଆରି ୧୧, ୨୦୨୧ରେ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ରାଜସ୍ବ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଥିଲେ। ଏହାପରେ ରାଜସ୍ବ ବିଭାଗ ଗତ ୧୮ତାରିଖରୁ ଭୁବନେଶ୍ବର ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟ‌େର ଏହି ନିୟମ ଲାଗୁ କରିଥିଲା। ଯାହାକୁ ନେଇ ଆଜି ଆଇନଜୀବୀମାନେ ଉତ୍ତ୍ୟକ୍ତ ହୋଇଥିଲେ। କାର୍ଯ୍ୟାଳୟରେ ତାଲା ପକାଇବାଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ କର୍ତ୍ତୃପକ୍ଷ ଆଇଜିଇଆର୍‌ଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବାରୁ ଆଇନଜୀବୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଭୁବନେଶ୍ବର ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଆମେ ଗତ ୧୮ତାରିଖରୁ ବିନା ଲେ-ଆଉଟ୍‌ ପ୍ଲାନ୍ ଅନୁମୋଦନରେ ଆସିଥିବା ସବ୍‌ ପ୍ଲଟ୍‌ ଓ ଆଂଶିକ ପ୍ଲଟ୍‌ କିଣାବିକା କରୁନୁ। ଏହାଦ୍ବାରା ପ୍ରାୟ ୬୦% କିଣାବିକା ପ୍ରଭାବିତ ହୋଇଛି। ବହୁ ଲୋକ ଜମି ବିକ୍ରି କରିବାକୁ ଅନୁରୋଧ କରୁଥିଲେ ହେଁ ନିୟମ ଯୋଗୁ ଏହା ହୋଇପାରିବନି ବୋଲି କହି ବୁଝାଉଛୁ। ଆଜିର ସମସ୍ୟା ନେଇ ଆଇଜିଇଆର୍‌ଙ୍କ କାର୍ଯ୍ୟାଳୟକୁ ଜଣାଯାଇଛି। ଏହାପରେ ସେମାନେ ଯାହା ନିଷ୍ପତ୍ତି ନେବେ।

ସେହିପରି ଆଇନଜୀବୀମାନେ କହିଛନ୍ତି ଯେ, ଯଦି ରାଜସ୍ବ ବିଭାଗ ନୂଆ ନିୟମ ପ୍ରତ୍ୟାହାର ନକରେ ତେବେ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ କୌଣସି କାମ ହୋଇପାରିବନି। ବିଲଡର୍‌ ପ୍ରୀତିରେ ବିଡିଏ ଏହିଭଳି ପଦକ୍ଷେପ ନେଇଛି। ଏହାଦ୍ବାରା ବିଲଡର୍‌ ଉପକୃତ ହେବେ, ସାଧାରଣ ଲୋକ କେବଳ ହଇରାଣ ହେବେ। ସେହିପରି ଲୟର୍ସ ଗ୍ରୁପ୍ ମୁଖ୍ୟ ଲିଙ୍ଗରାଜ ଦାଶ କହିଛନ୍ତି ଯେ, ସରକାର ତାଙ୍କ ସୁବିଧା ଅନୁସାରେ ବିଭିନ୍ନ ନିୟମ କରୁଛନ୍ତି। ସରକାରୀ ଜମିକୁ ଛୋଟଛୋଟ କରି ବିକିବା ବେଳେ ନିୟମ ମାନୁନାହାନ୍ତି, କିନ୍ତୁ ସାଧାରଣ ଲୋକ ଜମି ବିକିବାବେଳେ ବିଭିନ୍ନ ନିୟମ ଦେଖାଉଛନ୍ତି। ଦିନକୁ ଦିନ ନିୟମ କୋହଳ ହେଉଥିବାବେଳେ ବିଡିଏ ଲୋକଙ୍କ ଉପରେ ଅଯଥା ନିୟମ ଲଦୁଛି।

ଏନେଇ ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ନିୟମ ଅଗଷ୍ଟ ୨୫, ୨୦୧୫ରୁ କଡ଼ାକଡ଼ି ଲାଗୁ ହେଲାଣି। ହେଲେ ଅଧିକାଂଶ ଲୋକ ମାନୁନାହାନ୍ତି। ଏପରିକି ୩୦.୦୫.୨୦୧୭ ପରଠାରୁ ଯେଉଁମାନେ ରେଗୁଲାରାଇଜ୍ ହୋଇନଥିବା ରାସ୍ତା ସଂଲଗ୍ନ ଜମି ବା ଲେ-ଆଉଟ୍ ପ୍ଲାନ୍‌ ଅନୁମୋଦିତ ହୋଇନଥିବା ସବ୍‌ ପ୍ଲଟ୍‌ କିଣୁଛନ୍ତି ସେମାନଙ୍କର ଘର ପ୍ଲାନ୍ ଅନୁମୋଦନ ହେଉନି। କିନ୍ତୁ ସବ୍‌େରଜିଷ୍ଟ୍ରି ଅଫିସ୍‌ରେ ଜମିକୁ କେତେ ଫୁଟର ରାସ୍ତା ଅଛି, ରାସ୍ତା ଅଛି କି ନାହିଁ କିଛି ନଦେଖି ଜମି ରେଜିଷ୍ଟ୍ରି କରିଦେଉଥିଲେ। ଫଳରେ ଲୋକ ଜମି କିଣି ଫସିଯାଉଥିଲେ। ଏନେଇ ପୂର୍ବରୁ ଓରେରା କର୍ତ୍ତୃପକ୍ଷ ଏବଂ ଜାନୁଆରି ୧୧ରେ ବିଡିଏ ଉପାଧ୍ୟକ୍ଷ ରାଜସ୍ବ ବିଭାଗକୁ ଚିଠି ଲେଖିଥିଲେ। ଏହାପରେ ସବ୍‌ପ୍ଲଟ୍‌ କିଣାବିକା ଉପରେ ରୋକ୍‌ ଲାଗିଛି। ଏହାପରେ ଯଦି ରାଜସ୍ବ ବିଭାଗ ପୁଣି ପୂର୍ବଭଳି ଏନ୍‌ଓସି ମିଳିନଥିବା ସବ୍‌ପ୍ଲଟ୍‌ କିଣାବିକା କରିବାକୁ ଅନୁମତି ଦେଇଦେବେ ତେବେ ଆମେ ଆଉ ଚିଠି ଲେଖିବୁନି। ଲୋକ ଘର କରିବାକୁ ପ୍ଲାନ୍ ଆବେଦନ କଲେ ପ୍ଲାନ୍ ଅନୁମୋଦନ କରିବୁନି।