ଭୁବନେଶ୍ବର: ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସରକାର ଓଡ଼ିଶା ସିଭିଲ୍ ଡିଫେନ୍ସକୁ ମଜଭୁତ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବରମୁଣ୍ଡାସ୍ଥିତ ଅଗ୍ନିଶମ ଏବଂ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ରରେ ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ପାଇଁ ଛଅଦିନିଆ ପ୍ରଶିକ୍ଷକ ତାଲିମ କର୍ମଶାଳା ଆରମ୍ଭ ହୋଇଛି। ଯୁଦ୍ଧ ସମୟରେ ଶତ୍ରୁପକ୍ଷର ବିମାନ, ଡ୍ରୋନ୍ ଆକ୍ରମଣ, ଶତ୍ରୁପକ୍ଷରୁ ସୋସିଆଲ ମିଡିଆରେ ବିଶୃଙ୍ଖଳା ସୃଷ୍ଟି, ଆକ୍ରମଣରେ ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଏହି କର୍ମଶାଳାରେ ସ୍ୱେଚ୍ଛାସେବକଙ୍କୁ ଏନ୍ଡିଆର୍ଏଫ୍ ଟିମ୍ ଓ ବିଶେଷଜ୍ଞମାନେ ତାଲିମ ପ୍ରଦାନ କରିବେ। ଏହି ମାଷ୍ଟରD ଟ୍ରେନରମାନେ ରାଜ୍ୟର ୨୨ଟି ୟୁନିଟ୍ର ସ୍ୱେଚ୍ଛାସେବକନଙ୍କୁ ତାଲିମ ଦେବେ। ବର୍ତ୍ତମାନ ରାଜ୍ୟରେ ୯ଟି ବେସାମରିକ ସଂଗଠନ ରହିଛି। କର୍ମଶାଳା ପରେ ଏହି ସଂଗଠନ ସଂଖ୍ୟା ୨୨କୁ ବୃଦ୍ଧି ପାଇବ। ଏଠାରୁ ପ୍ରଶିକ୍ଷଣ ନେବା ପରେ ସ୍ବେଚ୍ଛାସେବୀମାନେ ନିଜ ଅଞ୍ଚଳର ଅଗ୍ନିଶମ ବାହିନୀ ମାଧ୍ୟମରେ ଲୋକଙ୍କୁ ତାଲିମ ଦେବେ।
ଅଗ୍ନିଶମ ସେବା ଓ ସିଭିଲ୍ ଡିଫେନ୍ସ, ହୋମଗାର୍ଡର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କର୍ମଶାଳାକୁ ଉଦ୍ଘାଟନ କରି କହିଲେ, ଭୁବନେଶ୍ବର ଭଳି ସହର ପାଇଁ ୧୦ ହଜାର ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀ ଆବଶ୍ୟକ। ଦ୍ବିତୀୟ ପ୍ରଶାସନିକ ସଂଶୋଧିତ କମିସନଙ୍କ ପ୍ରସ୍ତାବ ଅନୁଯାୟୀ, ପ୍ରତି ଦେଶର ଜନସଂଖ୍ୟାର ଏକ ପ୍ରତିଶତ ବେସାମରିକ ସ୍ବେଚ୍ଛାସେବୀ ନିଯୁକ୍ତ ହେବା କଥା। ତେଣୁ ଦେଶ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବେସାମରିକ ସ୍ବେଚ୍ଛାସେବୀ ସଂଗଠନକୁ କିପରି ସୁଦୃଢ଼ କରାଯିବ ସେ ନେଇ ଉଦ୍ୟମ କରାଯାଉଥିବା ମତ ଦେଇଛନ୍ତି। ଏହି କର୍ମଶାଳାରେ ସ୍ୱେଚ୍ଛାସେବୀଙ୍କୁ ଯୁଦ୍ଧ ସମୟରେ ନାଗରିକ ସୁରକ୍ଷା ଓ ଉଦ୍ଧାର କୌଶଳ, ପ୍ରଭାବିତ ବ୍ୟକ୍ତିମାନଙ୍କୁ ମାନସିକ ସହାୟତା ପ୍ରଦାନ, ପ୍ରାଥମିକ ଚିକିତ୍ସା, ମୃତଦେହର ସୁରକ୍ଷା, ଜରୁରୀକାଳୀନ ଉଦ୍ଧାର କୌଶଳ ଓ ରିଲିଫ୍ ଲାଇନ୍ କ୍ଲିୟରାନ୍ସ ଉପରେ ତାଲିମ ଦିଆଯିବ। ଏଥିସହ ବୋମା ଚିହ୍ନଟ, ଜରୁରୀକାଳୀନ ପରିସ୍ଥିତିରେ ଜଳ ବିଶୋଧନ ଓ ରୋଷେଇ ଘର ସ୍ୱଚ୍ଛତା ସମ୍ପର୍କରେ ତାଲିମ ନେବେ। ସମ୍ମାନିତ ଅତିଥି ଭାବେ ଉମାଶଙ୍କର ଦାସ ଯୋଗ ଦେଇଥିଲେ। ମୁଖ୍ୟ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ। ଓଫ୍ଡ୍ରା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାସ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଏନଡିଆର୍ଏଫ୍ ଡେପୁଟି କମାଣ୍ଡାଣ୍ଟ ନବୀନ ରାଣାଙ୍କ ନେତୃତ୍ବରେ ଏକ ଟିମ୍ ଯୁଦ୍ଧ ସମୟ ଉଦ୍ଧାର କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।