ଭୁବନେଶ୍ୱର: ପୁଣି ଥରେ ଆରମ୍ଭ ହେବାକୁ ଯାଉଛି କୁକୁର ବନ୍ଧ୍ୟାକରଣ। ଭୁବନେଶ୍ବରରେ କୁକୁର ବନ୍ଧ୍ୟାକରଣ ଓ ଟିକାକରଣ ପାଇଁ ବିଏମ୍ସି ଠିକା ସଂସ୍ଥା ଚୟନ କରିଛି। ‘ଆସ୍ରା’(ଆନିମଲ ୱେଲ୍ଫେୟାର ଅର୍ଗାନାଇଜେସନ୍) ନାମକ ଏକ ସଂସ୍ଥାକୁ ଠିକା ଦିଆଯାଇଛି। ଖୁବ୍ଶୀଘ୍ର ସଂସ୍ଥା ଏହି ବନ୍ଧ୍ୟାକରଣ ଆରମ୍ଭ କରିବ। ବନ୍ଧ୍ୟାକରଣ ସହ ଟିକାକରଣ ପାଇଁ କୁକୁର ପିଛା ୧୬୫୦ ଟଙ୍କା ଏହି ସଂସ୍ଥା ନେବ। ଯେତେବେଳେ ଏହି ବନ୍ଧ୍ୟାକରଣ ବା ଏବିସି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସେତେବେଳେ କୁକୁର ପିଛା ୫ଶହ ଟଙ୍କା ଖର୍ଚ୍ଚ ହେଉଥିଲା। ପରେ ଭାରତୀୟ ପ୍ରାଣୀଧନ କଲ୍ୟାଣ ବୋର୍ଡ(ଏଡବ୍ଲୁବିଆଇ) ଦରବୃଦ୍ଧି କରିଥିଲା। ଏଥିରେ କୁକୁରଙ୍କୁ ଧରିବା ଓ ଅପରେସନ ପରେ ଛାଡ଼ିବା ପାଇଁ ୨ଶହ ରହିଥିବା ବେଳେ ଅପରେସନ ପୂର୍ବରୁ ଓ ପରେ ହେଉଥିବା ବିଭିନ୍ନ ଖର୍ଚ୍ଚ ପାଇଁ ୧୪୫୦ ରହିଛି।
ମାସକୁ ଅତି କମ୍ରେ ୫ଶହ କୁକୁରଙ୍କର ବନ୍ଧ୍ୟାକରଣ ଓ ଟିକାକରଣ କରିବାକୁ ଯୋଜନା କରିଛି ବିଏମ୍ସି। କୁକୁର ସଂଖ୍ୟା କେତେ ଅଛି ତାହାର ହିସାବ ନଥିବାରୁ କେବଳ ଆକଳନରେ ଚାଲିଛି। ଆକଳନ ମୁତାବକ, ସହରାଞ୍ଚଳରେ ପ୍ରତି ୧ଲକ୍ଷ ଜନସଂଖ୍ୟାରେ ୩ ପ୍ରତିଶତ କୁକୁର ରୁହନ୍ତି। ଭୁବନେଶ୍ବର ସହରର ଜନସଂଖ୍ୟା ଯଦି ୧୫ ଲକ୍ଷ ଥାଏ ତେବେ କୁକୁର ଭୁବନେଶ୍ବରରେ ୪୫ ହଜାର ରହିଥିବା ବିଏମ୍ସି ଆକଳନ କରିଛି। କିନ୍ତୁ କୁକୁର ଗଣନା ଆଜି ଯାଏ ହୋଇନାହିଁ। ଏଣୁ ଠିକା ସଂସ୍ଥା କେତେ କୁକୁରଙ୍କୁ ଅପରେସନ କଲା ତାହାର ହିସାବ ଜାଣିବା ପାଇଁ ପ୍ରଥମେ କୁକୁରଙ୍କ ସଂଖ୍ୟା ଜାଣିବାକୁ ଥିବାରୁ ବିଏମ୍ସି ପ୍ରଥମେ କୁକୁର ଗଣନା କରିବ। ବିଏମ୍ସିର କର୍ମଚାରୀ କିମ୍ବା ଠିକାସଂସ୍ଥାଙ୍କ ଜରିଆରେ ଏହି ଗଣନା କରାଯିବାକୁ ଯୋଜନା ହୋଇଛି।
ଚୟନ ହେଲା ଠିକାସଂସ୍ଥା
କୁକୁର ପିଛା ଖର୍ଚ୍ଚ ୧୬୫୦
୬ ମାସ ଭିତରେ ସଂସ୍ଥା ଆଣିବ ପିଆର୍ସି
ଅନ୍ୟପଟେ ୨୦୨୨, ଜାନୁଆରି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ସହିଦନଗର ଭେଟେନାରି ପଲି କ୍ଲିନିକ୍ ଜରିଆରେ ଏବିସି ଚାଲିଥିଲା। ଏହି ଅବଧିରେ ୨୭ହଜାର ୨୧୬ ବୁଲା କୁକୁରଙ୍କର ଅପରେସନ କରାଯାଇଥିଲା। ଏଥିରେ ୭୫୭୫ ଅଣ୍ଡିରା ଓ ୧୯୯୧୧ ମାଈ କୁକୁର ଥିଲେ। ୨୦୨୨ ଫେବ୍ରୁଆରିରୁ ଜୁନ୍ ପର୍ଯ୍ୟନ୍ତ ବିଏମ୍ସି କରିଥିଲା। ଏହି ୪ ମାସରେ ୧୨୮୨ କୁକୁରଙ୍କର ଅପରେସନ କରାଯାଇଥିଲା। ଏଥିରେ ୪୧୨ ଅଣ୍ଡିରା ଓ ୮୭୦ ମାଈ ଥିଲେ। ଜୁନ୍ରୁ ନଭେମ୍ବର ଏହି ଅପରେସନ ବନ୍ଦ ରହିଥିଲା। ନଭେମ୍ବରରୁ ବିଏମ୍ସି ଏକ ଠିକା ସଂସ୍ଥା(ଭେଟ୍ସ୍ ଫର ଆନିମଲ୍ସ) ଜରିଆରେ ବିଧିବଦ୍ଧ ଭାବରେ ଏବିସି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ୨୦୨୩ ଜୁଲାଇ ସୁଦ୍ଧା ଏହି ସଂସ୍ଥା ୪୭୩୮ କୁକୁର ଧରିଥିଲା ଓ ୪୪୮୦ଙ୍କର ଅପରେସନ କରିଥିଲା। ଏହି ସବୁ ତଥ୍ୟକୁ ହିସାବକୁ ନେଲେ ୪୫ହଜାର କୁକୁରଙ୍କ ମଧ୍ୟରୁ ଏ ଯାବତ୍ ୩୨ହଜାର ୯୭୮ କୁକୁରଙ୍କର ଅପରେସନ ହୋଇସାରିଛି। ଆଉ ପ୍ରାୟ ୧୩ ହଜାର କୁକୁର ଅପରେସନ ହେବାକୁ ରହିଥିବା ଆକଳନ କରାଯାଉଛି। କିନ୍ତୁ କୁକୁରଙ୍କ ସଂଖ୍ୟା କିମ୍ବା ସେମାନଙ୍କର ଉତ୍ପାତ କମିନାହିଁ। ବରଂ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ଯେଉଁସବୁ କୁକୁରଙ୍କର ଅପରେସନ ହୋଇଛି ସେମାନଙ୍କ କାନ କଟାଯାଇ ଚିହ୍ନଟ କରାଯାଇଛି। ଏବେ ବିଏମ୍ସି କୁକୁର ଗଣନା କରିବା ପରେ କେତେ ଅପରେସନ ହୋଇଛି, କେତେ ହୋଇନାହାନ୍ତି ସେ ନେଇ ବାସ୍ତବ ତଥ୍ୟ ପଦାକୁ ଆସିବ।
ପୂର୍ବରୁ ମାସକୁ ପ୍ରାୟ ୨୦୦ଟି କୁକୁରଙ୍କ ଅପରେସନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ସର୍ବାଧିକ ଶହେ କୁକୁରଙ୍କର ହୋଇ ପାରୁଥିଲା। ଅର୍ଥାତ୍ ବର୍ଷକୁ ୧୨୦୦ କୁକୁର ବନ୍ଧ୍ୟାକରଣ ହେବା ସମ୍ଭାବନା ଥିବା ବେଳେ ବର୍ଷକୁ ପ୍ରାୟ ୩୦୦୦ କୁକୁର ଛୁଆ ଜନ୍ମ ହେଉଥିଲେ। ଏଣୁ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହେଉଥିଲା। ମଞ୍ଚେଶ୍ବରରେ କୁକୁରଙ୍କ ଅପରେସନ ପାଇଁ ସ୍ବତନ୍ତ୍ର କେନେଲ୍ ପ୍ରସ୍ତୁତ ହେବା ପରେ ମାସକୁ ୫ଶହ କୁକୁର ଅପରେସନ ହେବା ବ୍ୟବସ୍ଥା ହୋଇଛି।