ଭୁବନେଶ୍ବର: କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍ ପଞ୍ଝାରେ ପଡ଼ିଛି ପୁଣି ଜଣେ ନିଶାମାଫିଆ। ଟଙ୍କପାଣିରୋଡ୍‌ କୁଆଖାଇ ନଦୀପଠା ନିକଟରୁ ଧରାପଡ଼ିଥିବା ଏହି ବ୍ରାଉନ୍‌ସୁଗାର ବେପାରୀ ହେଲା ବଡ଼ଗଡ଼ ଥାନା କେଶୁରା ଲେନ୍‌-୨ରେ ରହୁଥିବା ମୃଣାଳ ସାମଲ। ତା’ ନିକଟରୁ ୩୧୯ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର୍‌ ଜବତ କରାଯାଇଛି। ଜବତ ଧଳାଜହରର ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଗତ ମାସରେ ଏସ୍‌ଟିଏଫ୍‌ ଏହି ଅଞ୍ଚଳରୁ ୨ ବ୍ରାଉନ୍‌ସୁଗାର୍‌ ବେପାରୀ ଜ୍ୟୋତିକୃଷ୍ଣ ସାମନ୍ତରାୟ ଓ ପ୍ରକାଶ ସେଠୀଙ୍କୁ ବାନ୍ଧିଥିଲା ଏବଂ ସେମାନଙ୍କ ନିକଟରୁ ପାଖାପାଖି ୬୦୦ଗ୍ରାମ୍‌ ଧଳାଜହର ଜବତ କରାଯାଇଥିଲା। ମାସକ ଭିତରେ ଧରାପଡ଼ିଥିବା ଏହି ୩ଜଣ ଗୋଟିଏ ଗ୍ୟାଙ୍ଗ୍‌ ବୋଲି ସନ୍ଦେହ କରାଯାଉଛି। ଏମାନେ ବଡ଼ଗଡ଼, ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ପାହାଳ, ବାଲିଅନ୍ତା ଓ ଧଉଳି ଆଦି ଥାନା ଅଞ୍ଚଳରେ ଏହି କାରବାରର ନେଟ୍‌ୱର୍କ ଚଳାଇଥିବା କୁହାଯାଉଛି। ଆଜି ମୃଣାଳ ଗିରଫ ହେବା ପରେ ରାଜଧାନୀର ଏକ ବଡ଼ ନିଶା ବେପାର ନେଟ୍‌ୱର୍କର ପର୍ଦ୍ଦାଫାସ୍‌ ହୋଇଛି ବୋଲି ଆଲୋଚନା ହେଉଛି। 
ଏସ୍‌ଟିଏଫ୍‌ ଏସ୍‌ପି ରବି ଶତପଥୀଙ୍କ ସୂଚନାନୁସାରେ ମୃଣାଳ ଯୁକ୍ତ ଦୁଇ ପାସ୍‌ କରିବା ପରେ ଏହି କଳା କାରବାରରେ ପଶିଥିଲା। ସେ ହିଁ ନିଜେ ଜଳେଶ୍ବରରୁ ବ୍ରାଉନ୍‌ସୁଗାର ଆଣୁଥିଲା। କେଜିଏରୁ ଊର୍ଦ୍ଧ୍ବ ମୋଟା ପରିମାଣର ଧଳାଜହର ଆଣି ରାଜଧାନୀରେ ଏଜେଣ୍ଟଙ୍କ ଜରିଆରେ ବେପାର କରୁଥିଲା। ତା ଅଧୀନରେ ପାଖାପାଖି ୧୫ରୁ ଅଧିକ ଏଜେଣ୍ଟ କାମ କରୁଛନ୍ତି। ପୂର୍ବରୁ ସେ ଏକାକୀ ବେପାର କରୁଥିଲା ଏବଂ ବଡ଼ଗଡ଼ ଓ ବାଲିଅନ୍ତା ଥାନା ପୁଲିସ ଦ୍ବାରା ଗିରଫ ହୋଇଥିଲା। ଜେଲ୍‌ରୁ ଜାମିନରେ ମୁକୁଳିବା ପରେ ସେ ବେପାରର କାୟା ବଢ଼ାଇଥିଲା। ଏସ୍‌ପି ଶ୍ରୀ ଶତପଥୀଙ୍କ କହିବା କଥା ମୃଣାଳର ନେଟ୍‌ୱର୍କରେ ଆଉ କିଏ ସବୁ ଅଛନ୍ତି, ସେନେଇ ଛାନ୍‌ଭିନ୍‌ ଚାଲିଛି। ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡ୍‌ରେ ଆଣିବାକୁ ଯୋଜନା କରାଯାଉଛି। ସୂଚନାଯୋଗ୍ୟ ଯେ ଗତମାସ ୬ ତାରିଖରେ ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିଥିଲା ବମିଖାଲ ଅଞ୍ଚଳର ଜ୍ୟୋତିକୃଷ୍ଣ। ତା’ଠାରୁ ୨୬୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ମିଳିଥିଲା। ପରେପରେ ସେହି ମାସ ୨୧ତାରିଖରେ ଧରାପଡ଼ିଥିଲା ପ୍ରକାଶ ସେଠୀ। ତା’ଠାରୁ ୩୩୫ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା। ସେତେବେଳେ ଏସ୍‌ଟିଏଫ୍‌କୁ ମୃଣାଳ ବିଷୟରେ ହିଁ ସୂଚନା ମିଳିଥିଲା। ତେଣୁ ତାକୁ କାବୁ କରିବାକୁ ଏସ୍‌ଟିଏଫ୍‌ ମାସେ ହେଲା ଜାଲ ବିଛାଇଥିଲା। ଆଜି ସେ କୁଆଖାଇ ନଦୀପଠାରେ କିଛି ଏଜେଣ୍ଟଙ୍କୁ ବ୍ରାଉନ୍‌ସୁଗାର ଦେବାକୁ ଅପେକ୍ଷା କରିଥିଲା। ଖବର ପାଇ ଏସ୍‌ଟିଏଫ୍‌ ସେଠାରେ ଚଢ଼ଉ କରି ତାକୁ କାବୁ କରିଥିଲା। ମୃଣାଳ, ଜ୍ୟୋତିକୃଷ୍ଣ ଓ ପ୍ରକାଶଙ୍କ ମଧ୍ୟରେ କିଛି ଲିଙ୍କ୍‌ ଅଛି କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ହେଁ ସେମାନେ ଗୋଟିଏ ଅଞ୍ଚଳରେ କାରବାର ଚଳାଇଥିବାରୁ ଗୋଟିଏ ଗ୍ୟାଙ୍ଗ୍‌ର ବୋଲି ସନ୍ଦେହ କରାଯାଉଛି। ତଦନ୍ତ ସରିବା ପରେ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ମିଳିଛି। ଏମିତିକି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ସୂଚନା ମିଳିଛି।