ଏସ୍‌ଟିଏଫ୍ ‘ଲାଲ ତାଲିକା’ରେ ୨୬ ମାଫିଆ, ଡ୍ରଗ୍ସ ବେପାରୀ

ଭୁବନେଶ୍ବର: ସ୍ପେସାଲ୍ ଟାସ୍କ ଫୋର୍ସ (ଏସ୍‌ଟିଏଫ୍)ର ଟାର୍ଗେଟ୍‌ରେ ଏବେ ଖୋର୍ଦ୍ଧା ଜିଲ୍ଲାର ବ୍ରାଉନ୍‌ସୁଗାର ବେପାରୀ, ଜମି ମାଫିଆ, ସାର୍ପ ସୁଟର୍‌। ଗତ ୧ ମାସ ମଧ୍ୟରେ ଏସ୍‌ଟିଏଫ୍‌ର ଘନଘନ ଚଢ଼ଉରେ ୭ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି। ବର୍ତ୍ତମାନ ଜିଲ୍ଲାର ୨୬ଜଣିଆ ତାଲିକା ଏସ୍‌ଟିଏଫ୍ ଜାରି କରିଛି। ଏହାକୁ ନେଇ ମାଫିଆଙ୍କ ମଧ୍ୟରେ ଏବେ ଛାନିଆ ପଶିଛି। କିନ୍ତୁ ପୁଲିସ୍‌ ଓ ଏସ୍‌ଟିଏଫ୍‌ ମଧ୍ୟରେ ସମନ୍ବୟ ଅଭାବରୁ ଅନେକ ଏସ୍‌ଟିଏଫ୍‌ ହାତରେ ଲାଗିବା ପୂର୍ବରୁ ଖସି ଯାଉଛନ୍ତି। ଆଜି ଏଭଳି ଏକ ଘଟଣା ଘଟିଛି। ଏସ୍‌ଟିଏଫ୍‌ ଲାଲ ତାଲିକାରେ ଥିବା ଜଣେ ଅପରାଧୀ ଏସ୍‌ଟିଏଫ୍ ହାତରେ ଧରାପଡ଼ିବା ପୂର୍ବରୁ ନାଟକୀୟ ଢଙ୍ଗରେ କୋର୍ଟରେ ଯାଇ ଆତ୍ମ ସମର୍ପଣ କରିଛି। ଏହା ପୂର୍ବରୁ ଦୁଇ ଜଣ ଦୁର୍ଦାନ୍ତ ଅପରାଧୀ ମଧ୍ୟ ଏନକାଉଣ୍ଟରବେଳେ ପୁଲିସ ପଞ୍ଝାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ। ଏହି ଘଟଣା ପରେ ଖୋର୍ଧା ପୁଲିସର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଚଳିତ ବର୍ଷ ମେ ମାସରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ଚିଠି ଲେଖି ମାଫିଆ, ସାର୍ପ ସୁଟର ଭଳି ସଙ୍ଗଠିତ ଅପରାଧିଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲା। କିନ୍ତୁ ଖୋର୍ଧା ପୁଲିସ ଏଭଳି ଏକ ନିର୍ଦେଶକୁ ନାଲିଫିତା ତଳେ ଚାପି ଦେଇଥିଲା। ଓଲଟା ଏହି ନିଶା ବେପାରୀ, ଖଣି ମାଫିଅମାନଙ୍କୁ ସେମାନଙ୍କ କାରବାର ଜାରି ରଖିବାକୁ ପ୍ରୋତ୍ସାହନ ଦେଇ ଚାଲୁଥିଲେ। ଯାହାର ପ୍ରମାଣ ମଧ୍ୟ ପାଇଛି କ୍ରାଇମ ବ୍ରାଞ୍ଚ। ଏଭଳି କେତେକ ଅସାଧୁ ପୁଲିସ ଅଫିସରଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରି ସାରିଛି। ଆଜି ଖୋର୍ଧା କୋର୍ଟରେ ଆତ୍ମସମର୍ପଣ କରିଥିବା ଛୋଟାର ଖୋର୍ଧାର ସମସ୍ତ ପୁଲିସ ଅଧିକାରୀଙ୍କ ସହିତ ଉତ୍ତମ ସମ୍ପର୍କ ଥିଲା। ଏପରିକି କେତେକ ଅଫିସର ଛୋଟାଠାରୁ ଦାମୀ ଉପହାର ମଧ୍ୟ ନେଇଛନ୍ତି ବୋଲି ଚର୍ଚା ହେଉଛି। କେବଳ ପୁଲିସ କାହିଁକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କେତେକ ଉଚ୍ଚ ଅଧିକାରୀ, କିରାଣୀ ଓ ତଳିଆ କର୍ମଚାରୀମାନେ ମଧ୍ୟ ଏହି ଖଣି ମାଫିଅମାନଙ୍କ ସହିତ ସିଧା ସଳଖ ସମ୍ପର୍କରେ ଥିଲେ। ସେହିମାନେ ହିଁ ବେଆଇନ ଖଣି କାରବାରକୁ ଏକ ପ୍ରକାର ସହଯୋଗ କରୁଥିଲେ। ବିଭିନ୍ନ କାଗଜପତ୍ର ଜାଲିଆତି କରି ଖଣି ଉତ୍ତୋଳନ କରିବାକୁ ଲାଇସେନ୍ସ ପ୍ରଦାନ କରୁଥିଲେ। ଏଭଳି ପୁଲିସ ଅଫିସର ଓ ପ୍ରଶାସନ ଅଧିକାରୀମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରିବାକୁ ଭିଜିଲାନ୍ସକୁ ସୁପାରିସ କରାଯିବ ବୋଲି କ୍ରାଇମ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର