ଭୁବନେଶ୍ବର : ଛତିଶଗଡ଼ ଓ ମଧ୍ୟପ୍ର‌ଦେଶର ଶହଶହ ଚୋରା କାର୍‌ ଓଡ଼ିଶାରେ ଘୂରି ବୁଲୁଛି। ଗାଡ଼ିର ଚେଚିସ୍‌ ନମ୍ବର ଓ ନମ୍ବର ପ୍ଲେଟ୍‌ରେ ଏଭଳି କାରସାଦି କରାଯାଉଛି, କେହି ବି ତାହା ଚୋରା କାର୍‌ ବୋଲି ଠଉରାଇ ପାରିବେନି। ଦୀର୍ଘ ଦିନ ଧରି ଏହି ବେଆଇନ କାରବାର ଚଳାଇ ଆସୁଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗକୁ କମିସନରେଟ୍‌ ପୁଲିସ୍‌ ଠାବ କରିଛି। ମଧ୍ୟପ୍ରଦେଶ ପୁଲିସର ସୂଚନା ଓ ସହଯୋଗରେ କମିସନରେଟ୍‌ ପୁଲିସ୍‌ ଏହି ଗ୍ୟାଙ୍ଗର ୩ ଜଣଙ୍କୁ ଧରିବା ସହ ମୋଟ ୫ଟି ଦାମୀ କାର୍‌ ଜବତ କରିଛି। ସେଥିମଧ୍ୟରୁ ଜବତ ୩ଟି କାର୍‌ ସହ ୨ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶ ପୁଲିସ ସାଥିରେ ନେଇ ଯାଇଥିବା ଜଣାଯାଇଛି। ସହିଦନଗର ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତଜଣଙ୍କ ହେଲା, ଅବଦୁଲ୍‌ ସାକୁରଜାନ କବିର (୪୮)। ତା’ ଘର ଛତିଶଗଡ଼ରେ ହୋଇଥିବା ବେଳେ ଏଠାରେ ଗୋଠପାଟଣା ଅଞ୍ଚଳ‌ରେ ରହୁଥିଲା। ତେବେ ଏହି ଗ୍ୟାଙ୍ଗରେ ଆଉ କିଛି ସଦସ୍ୟ ସାମିଲ ଥିବାରୁ, ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ୍‌ ଏ ବାବଦରେ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଛି।

Advertisment

publive-image

ସୂଚନା ମୁତାବକ, ଅବଦୁଲ୍‌ ଦୀର୍ଘ ଦିନ ହେବ ଗୋଠପାଟଣା ରହି ରାଜଧାନୀରେ ତା’ ଗ୍ୟାଙ୍ଗକୁ ଧୀରେଧୀରେ ସକ୍ରିୟ କରୁଥିଲା। ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ ଚୋରା କାର୍‌ ରାଜଧାନୀକୁ ଆସିବା ପରେ ଅବଦୁଲ୍‌ ଏଠାରେ ଗ୍ରାହକ ଯୋଗାଡ଼ କରୁଥିଲା। ଖାଲି ରାଜଧାନୀ ନୁହେଁ, ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚୋରା କାର୍‌ଗୁଡ଼ିକୁ ଚାଲାଣ କରୁଥିଲା। ଚେଚିସ୍‌ ନମ୍ବର ଓ ନମ୍ବର ପ୍ଲେଟ୍‌କୁ ଜାଲିଆତି କରି ବଦଳାଇ ଦିଆଯାଉଥିଲା। ଓଡ଼ିଶା ରେଜିଷ୍ଟ୍ରେସନ୍‌ ନମ୍ବରରେ ଗାଡ଼ିଗୁଡ଼ିକ ଚଳାଚଳ କରୁଥିବାରୁ ସେଗୁଡ଼ିକୁ ଠାବ କରିବା କାହାରି ପକ୍ଷେ ସହଜସାଧ୍ୟ ନଥିଲା।

ତେବେ ମଧ୍ୟପ୍ରଦେଶରୁ ଶହଶହ କାର୍‌ ଚୋରି ନେଇ ଅଭିଯୋଗ ଆସିବା ପରେ ମଧ୍ୟପ୍ରଦେଶ ପୁଲିସ ଗ୍ୟାଙ୍ଗକୁ ଠାବ କରିବା ପାଇଁ ଜୋରଦାର ତନାଘନା ଆରମ୍ଭ କରିଥିଲା। ସର୍ବାଧିକ ଚୋରା ଗାଡ଼ି ଓଡ଼ିଶାରେ ଥିବା ତଦନ୍ତରୁ ଜଣାପଡ଼ିବା ପରେ ସେଠାକାର ଏକ ପୁଲିସ ଟିମ୍‌ ରାଜଧାନୀରେ ଡେରା ପକାଇଥିଲା। କମିସନରେଟ୍‌ ପୁଲିସ ସହାୟତାରେ ପାଖାପାଖି ସପ୍ତାହ କାଳ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ସହିଦନଗର ଥାନା ପୁଲିସ ଅବୁଦୁଲ୍‌କୁ ଗିରଫ କରିବା ସହ ତା’ଠାରୁ ଦୁଇଟି କାର୍‌ ଜବତ କରିଥିଲା। ତାକୁ ଜେରା କରି ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ଉରେ ମୋଟ ୫ଟି ଦାମୀ କାର୍‌ ଜବତ ହୋଇଥିବା ବେଳେ ଆଗକୁ ଆହୁରି କାର୍‌ ମିଳିପାରେ ବୋଲି କୁହାଯାଉଛି। ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ମଧ୍ୟପ୍ରଦେଶ ପୁଲିସ ଅଧିକ ପଚରାଉଚରା ପାଇଁ ସାଥିରେ ନେଇ ଯାଇଥିବା ଜଣାଯାଇଛି। ଅଭିଯୁକ୍ତମାନଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବା ପରେ ମଧ୍ୟପ୍ରଦେଶ ପୁଲିସ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି। ଅପରପକ୍ଷେ ଅନ୍ୟ ଜଣେ ଅଭିଯୁକ୍ତ ଅବଦୁଲ୍‌କୁ ଆଜି ସହିଦନଗର ପୁଲିସ କୋର୍ଟଚାଲାଣ କରିଛି।