ଭୁବନେଶ୍ୱର: ମାର୍କେଟ୍‌ ବିଲ୍‌ଡିଂ ଉଠାଦୋକାନୀ ଏକତା ମଞ୍ଚ ଓ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ ଡାକରାରେ ଆଜି ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଉଠାଦୋକାନୀଙ୍କ ପେଟ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଶହଶହ ଉଠାଦୋକାନୀଙ୍କ ପେଟକୁ ଲାତ ମାରି ଅତିଥି ଭବନ ନିର୍ମାଣ କରିବା ଯୋଜନାରୁ ସରକାର ଓହରିଯିବାକୁ ଦାବିକରି ଏହି ସମାବେଶ ଆୟୋଜନ କରାଯାଇଥିଲା। ବିନା ଥଇଥାନରେ ବିଏମ୍‌ସିର ଉଠାଦୋକାନୀଙ୍କ ଉପରେ ହୋଇଆସୁଥିବା ଅତ୍ୟାଚାରକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ବକ୍ତାମାନେ କହିଥିଲେ। ସରକାର ମାର୍କେଟ୍ ବିଲ୍‌ଡିଂକୁ ଉଚ୍ଛେଦ କରି ଅତିଥି ଭବନ ନିର୍ମାଣ କରିବାକୁ ଯୋଜନା କରୁଥିଲେ ହେଁ ସେମାନେ କଦାପି ତାହା କରାଇ ଦେବେନାହିଁ ବୋଲି କହିଥିଲେ। ଏହା ବିରୋଧରେ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି। 

Advertisment

ଆଜି ଉଠାଦୋକାନୀଙ୍କ ପକ୍ଷରୁ ମହାସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ରଙ୍କ ନେତୃତ୍ବରେ ହିମାଂଶୁ ବଳିୟାରସିଂ, କଇମ୍ ଖାନ୍, ମାନସ କୁମାର ବଳିୟାରସିଂ, ମହମ୍ମଦ ଗୁଲ୍‌ଜର, ଦେବାନନ୍ଦ ସାହାଣୀ, ଶ୍ୟାମସୁନ୍ଦର କୁଅଁର, ମହାସଂଘର ସଭାପତି ପ୍ରତାପ କୁମାର ସାହୁଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଏମ୍‌ସି କାର୍ଯ୍ୟାଳୟରେ ଭେଣ୍ଡିଂ ଜୋନ୍ ଡେପୁଟି କମିସନର ଅଜୟ ମହାନ୍ତିଙ୍କୁ ଭେଟି ୮ ଦଫା ଦାବିପତ୍ର ଦେଇଥିଲେ। ମାର୍କେଟ୍‌ ବିଲ୍ଡିଂରେ ଥିବା ସମସ୍ତ ଉଠାଦୋକାନୀଙ୍କୁ ଭେଣ୍ଡିଂ ଜୋନ୍‌ରେ ଥଇଥାନ କରିବା, ମାର୍କେଟ କମ୍ପ୍ଲେକ୍ସ ମାଧ୍ୟମରେ ଥଇଥାନ କରିବା, ଥଇଥାନ ନ ହେବା ପର୍ଯ୍ୟନ୍ତ ଉଚ୍ଛେଦ ବନ୍ଦ କରିବା, ମାର୍କେଟ୍ ବିଲ୍ଡିଂ ଉଠାଦୋକାନୀ ଏକତା ମଞ୍ଚ ସହିତ ଆଲୋଚନା କରି ସମାଧାନର ବାଟ ବାହାର କରିବା, ନୂତନ ଦୋକାନ ଖୋଲିବା ଅନୁମତି ବନ୍ଦ କରିବା, ସମସ୍ତଙ୍କୁ ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ କରିବା, ୟୁଜର୍ସ ଫି, ଗ୍ରାଉଣ୍ଡ ରେଣ୍ଟ, ଭେଣ୍ଡିଂ ସାର୍ଟିଫିକେଟ୍‌, ଭେଣ୍ଡିଂ କାର୍ଡ ପ୍ରଦାନ କରିବା, ସବୁ ଜାଗାକୁ ପାଣି ଯୋଗାଇବା, ପାଇଖାନା, ବିଜୁଳି ବ୍ୟବସ୍ଥା କରିବା, ଅସାମାଜିକଙ୍କ କବଳରୁ ଉଠାଦୋକାନୀଙ୍କୁ ରକ୍ଷା ଆଦି ଦାବି ରଖିଥିଲେ। ନକଲି ଟ୍ରେଡ୍ ଲାଇସେନ୍ସ, ଏଲ୍‌ଓଆର୍‌ ପ୍ରମାଣପତ୍ର ପ୍ରଦାନ କରୁଥିବା ନକଲି କର୍ମଚାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଥିଲେ। 

ଏହପରେ ପୁରୁଣା ବସ୍‌ଷ୍ଟାଣ୍ଡ୍‌ଠାରେ ସଭାପତି ଶ୍ରୀ ସାହୁଙ୍କ ନେତୃତ୍ବରେ ଆୟୋଜିତ ପେଟ ଗର୍ଜନ ସମାବେଶରେ ସଂଗଠନର ନେତାମାନେ ଉଠାଦୋକାନୀଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ମାର୍କେଟ୍‌ ବିଲ୍ଡିଂର ଉଠାଦୋକାନୀଙ୍କୁ ଉଚ୍ଛେଦକରି ସେହି ଜାଗାରେ ଓଡ଼ିଶା ସରକାର ପ୍ରତ୍ୟେକ ଜିଲ୍ଲାର ଅତିଥି ଭବନ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏହାଦ୍ବାରା ପାଖାପାଖି ୧୫୦୦ ଉଠାଦୋକାନୀ ବେଉସା ହରାଇବେ ଏବଂ ୧୦ହଜାର ଲୋକ କ୍ଷତିଗ୍ରସ୍ତ ହେବେ। ତେଣୁ ଏହାକୁ ବରଦାସ୍ତ କରାଯିବ ନାହିଁ। ଏହି ସମାବେଶରେ ଉଠାଦୋକାନୀଙ୍କୁ ଉଚ୍ଛେଦ ବିରୋଧୀ ନାରା ଦିଆଯାଇଥିଲା। ଏଥିରେ ଭୁବନେଶ୍ୱରର ବହୁ ଉଠା ଦୋକାନୀ ସଂଗଠନର କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲେ। ନିରଞ୍ଜନ ପାଣ୍ଡେ, ସୂର୍ଯ୍ୟମଣି ସାହୁ, କାଜଲ ଜେନା, ଲଲାଟ କୁମାର ଓଝା, ଶରତ କୁମାର ସାହୁ, ଶୁଭଲକ୍ଷ୍ମୀ ମହାନ୍ତି, ସସ୍ମିତା ସାହୁ, ସୁଶାନ୍ତ କୁମାର ରାଉତ, ରଶ୍ମିତା ରାଉଳ, ଗୀତା ବିଶ୍ୱାସ, ଜଗବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।