ଭୁବନେଶ୍ବର: ଗଙ୍ଗବଂଶୀୟ ରାଜାଙ୍କ ଦ୍ବାରା ଦ୍ବାଦଶ ଶତାବ୍ଦୀରେ ନିର୍ମିତ ‘ଭାସ୍କରେଶ୍ବର ମନ୍ଦିର’ ଏବେ ଷ୍ଟୋନ୍ କ୍ୟାନସର୍ରେ ପୀଡ଼ିତ। ରକ୍ଷଣାବେକ୍ଷଣ ଅଭାବରୁ ଏହି ମନ୍ଦିରର ବହୁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। କିଛି କିଛି ସ୍ଥାନରୁ ଶିଳାଖଣ୍ଡ ଖସିଗଲାଣି। ମନ୍ଦିର ଉପରେ ଉଠିଥିବା ଗଛ ଦିନକୁ ଦିନ ବଢ଼ୁଛି ଓ ପଥର ଫାଟ ସବୁ ଅଧିକରୁ ଅଧିକ ମେଲା ହୋଇ ଚାଲିଛି। ଅନେକ ଶିଳାଖଣ୍ଡରୁ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ସବୁ ଲିଭିବାକୁ ବସିଲାଣି। ବହୁ କାରୁକାର୍ଯ୍ୟ ଆଉ ଦୃଶ୍ୟମାନ ହେଉନାହିଁ। ଏନେଇ ଐତିହ୍ୟ ଗବେଷକମାନେ ଗଭୀର ଚିନ୍ତା ପ୍ରକଟ କଲେଣି ଏବଂ ଏହି କୀର୍ତ୍ତିରାଜି କେବେ ନା କେବେ ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା ପ୍ରକାଶ କଲେଣି। ବେଳ ହୁଁ ସତର୍କ ନହେଲେ, ଏହି ପ୍ରାଚୀନ କୀର୍ତ୍ତିରାଜି ଆଖି ଆଗରେ ମାଟିରେ ମିଶିଯିବ ବୋଲି ଐତିହ୍ୟ ଗବେଷକମାନେ ଚେତାବନୀ ଦେଲେଣି। ଏଭଳି ଏକ ଐତିହ୍ୟସ୍ଥଳର ରକ୍ଷଣାବେକ୍ଷଣକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳା କରୁଥିବାରୁ ବହୁ ଐତିହାସିକ, ବୁଦ୍ଧିଜୀବୀ, ସଂସ୍କୃତି ଗବେଷକ ଓ ସାଧାରଣ ଜନତାଙ୍କ ଭିତରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମନ୍ଦିରଟି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଅଧୀନରେ ରହିଛି। ଏଏସ୍ଆଇ ପକ୍ଷରୁ ରାଜ୍ୟରେ ଘୋଷିତ ହୋଇଥିବା ୭୮ ‘ସୁରକ୍ଷିତ ସ୍ମାରକ’ ମଧ୍ୟରେ ଭାସ୍କରେଶ୍ବର ମନ୍ଦିର ଅନ୍ୟତମ। ଆର୍କୋଲୋଜିକାଲ୍ ସାଇଟ୍ସ୍ ଆଣ୍ଡ୍ ରିମେନ୍ସ୍ ରୁଲ୍ସ(ଆମ୍ସାର୍) ମୁତାବକ ‘ସୁରକ୍ଷିତ ସ୍ମାରକ’ ବୋଲି ଘୋଷିତ ହୋଇଥିବା ଐତିହ୍ୟସ୍ଥଳଠାରୁ ୧୦୦ ମିଟର ମଧ୍ୟରେ କୌଣସି ପ୍ରକାର ନିର୍ମାଣ ହୋଇପାରିବ ନାହିଁ। ଏମିତିକି ଏଭଳି ଐତିହ୍ୟସ୍ଥଳଠାରୁ ୨୦୦ ମିଟର ପରିଧି ଭିତରେ କୌଣସି ନିର୍ମାଣ କରିବାକୁ ହେଲେ ଏଏସ୍ଆଇ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବା ନିୟମ ରହିଛି।
ସେହିଭଳି କୌଣସି ମରାମତି ବା ପୁନଃନିର୍ମାଣ ପାଇଁ ମଧ୍ୟ ଅନୁମତିର ଆବଶ୍ୟକତା ରହିଛି। ହେଲେ ଏହି ଐତିହ୍ୟସ୍ଥଳ ପାଇଁ ଏସବୁ ନିୟମ କେବଳ କାଗଜପତ୍ରରେ ସୀମିତ। ଏଠାରେ ଆମ୍ସାର ନିୟମକୁ ଲୋକେ ଫୁ’ କରି ଉଡ଼ାଇ ଚାଲିଛନ୍ତି। ମନ୍ଦିର ଚାରିକଡ଼ରେ ବେଆଇନ ଭାବେ ବିରାଟ ଅଟ୍ଟାଳିକା ନିର୍ମାଣ ଚାଲିଛି ଓ ବହୁ ବର୍ଷ ତଳୁ ଅନେକ ବହୁତଳ ଅଟ୍ଟାଳିକା ଛିଡ଼ା ହୋଇଛି। ଖୋଲାଖୋଲି ଭାବେ ବେଆଇନ ଭାବେ ନିର୍ମାଣ କାମ ଚାଲିଥିଲେ ବି କେହି ରୋକିବାକୁ ନାହିଁ। ସେହିଭଳି ସ୍ଥାନୀୟ କିଛି ପୁରୁଣା ବାସିନ୍ଦାମାନଙ୍କ କହିବା କଥା ମନ୍ଦିରରେ ଗଛ ଉଠିଲେ ବି କେହି ଉପାଡ଼ିବାକୁ ନାହାନ୍ତି।
ଗଛ ଚେର ମନ୍ଦିର ଶିଳାରେ ବଡ଼ବଡ଼ ଫାଟ କଲାଣି। ତେଣୁ କିଛି କିଛି ପଥର ବି ଖସି ପଡ଼ିଛି। ସେସବୁ ଶୂନ୍ୟ ସ୍ଥାନକୁ ପୂରଣ କରାନଗଲେ, ମନ୍ଦିର ପ୍ରତି ଆଗକୁ ବଡ଼ ବିପଦ ଆସିବ। ଖସି ପଡ଼ିଥିବା ଛୋଟ ପଥର ସ୍ଥାନକୁ ପୂରଣ ନକଲେ, ଆଗକୁ ବଡ଼ ପଥର ଖସିବ ଏବଂ ନେଡ଼ିଗୁଡ଼ କହୁଣୀକୁ ବହିଯିବା ଭଳି ଆଉ କିଛି କରିବାକୁ ବାଟ ନଥିବ। ଗବେଷକ ଅନୀଲ ଧୀର୍ଙ୍କ କହିବା ଅନୁସାରେ ଶହ ଶହ ବର୍ଷର ଏହି ଗୌରବମୟ ଐତିହ୍ୟକୁ ଏଏସ୍ଆଇ ଅତି ହାଲୁକା ଭାବରେ ନେଉଛି।
ଓଡ଼ିଶାର ଐତିହ୍ୟକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ଏଏସ୍ଆଇ ଯେତିକି ଅବହେଳା କରୁଛି, ଓଡ଼ିଶାର ପ୍ରତ୍ନତତ୍ତ୍ବ ବିଭାଗ ସେତିକି ଉଦାସୀନ। ତେଣୁ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବାରୁ ଭାସ୍କରେଶ୍ବର ମନ୍ଦିର କ୍ରମଶଃ ଦୁର୍ବଳ ହୋଇଗଲାଣି। ଷ୍ଟୋନ୍ କ୍ୟାନସର୍ ଯୋଗୁଁ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି। ନିହଣ ଖୋଦିତ କାରୁକାର୍ଯ୍ୟ ଲିଭିଗଲାଣି ବୋଲି ଶ୍ରୀ ଧୀର କହିଛନ୍ତି। ଏବେ ଅନେକ ଅତ୍ୟାଧୁନିକ ଜ୍ଞାନ କୌଶଳ ବାହାରିଲାଣି। ତେଣୁ ଏହି ଐତିହ୍ୟକୁ ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବା କିଛି କାଠିକର ପାଠ ନୁହେଁ। କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କଲେ, ଏହି ଐତିହ୍ୟ ଧ୍ବଂସ ହେବା ପୂର୍ବରୁ ରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି। ତେଣୁ କେନ୍ଦ୍ର ଉପରକୁ ଦୋଷ ଫିଙ୍ଗି ନଦେଇ ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ତେବେ ଏନେଇ ଏଏସ୍ଆଇ ଅଧିକାରୀ ଅରୁଣ ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା। ସେ ଫୋନ୍ ଉଠାଇ ନଥିଲେ।
ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିରର ସମସାମୟିକ ଏହି ମନ୍ଦିର କିନ୍ତୁ କଳିଙ୍ଗ ସ୍ଥାପତ୍ୟ ଶୈଳୀଠାରୁ ଭିନ୍ନ। ଏହା ଏକ ଦ୍ବିତଳୀୟ ମନ୍ଦିର। ମନ୍ଦିରର ଆକାର ରଥ ସଦୃଶ। ଏହି ମନ୍ଦିର ଆକୃତିରେ ହିଁ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିର୍ମାଣ କରାଯିବାର ପରମ୍ପରା ରହିଛି। ତେଣୁ ଏଭଳି ଏକ ବିରଳ ମନ୍ଦିରର ଯତ୍ନ ନେବାକୁ ସବୁ ମହଲରୁ ଦାବି ହେଉଛି।