ଚନ୍ଦ୍ରଶେଖରପୁର: ଗତ ମାସରେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିଲା। ସେହି ମାମଲାରେ କମିସନରେଟ୍‌ ପୁଲିସ ନା ପାଇଲା ମୃତକଙ୍କ ପରିଚୟ ନା ହତ୍ୟାକାରୀକୁ ଠାବ କରିପାରିଲା। ଆଜି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଜଣେ ଅପରିଚିତ ଯୁବକଙ୍କ ମୃତଦେହ ମିଳିଛି। ତାଙ୍କୁ ବି କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ମଞ୍ଚେଶ୍ବର ଥାନା ପରେ ସମାନ ଅଘଟଣ ଚନ୍ଦ୍ରଶେଖରପୁରରେ ଦେଖିବାକୁ ମିଳିଛି। ଦୁଇ ଦୁଇଟି ହତ୍ୟାକାଣ୍ଡ ପଥରରେ ଛେଚି କରାଯାଇଥିବାରୁ କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଭଳି କାଣ୍ଡ ପଛରେ କୌଣସି ଷ୍ଟୋନ୍‌ମ୍ୟାନ୍‌ର ହାତ ଥିବା ନେଇ ସନ୍ଦେହ ଉପୁଜିଛି। ମାତ୍ର ପୁଲିସ ପକ୍ଷରୁ ସେଭଳି କିଛି ଆଶଙ୍କା ପ୍ରକାଶ ପାଇନାହିଁ।   

Advertisment

ଗତ ମାସ ୬ ତାରିଖରେ ‌ମଞ୍ଚେଶ୍ବର ରେଲ୍‌ୱେ କଲୋନି ରେଳଡ଼ବା ମରାମତି କାରଖାନା ଖେଳପଡ଼ିଆ ପାଇଖାନା ପଛ‌ରୁ ଜଣେ ଯୁବକଙ୍କ ଗଳିତ ଶବ ମିଳିଥିଲା। ମ‌ଞ୍ଚେଶ୍ବର ଥାନା ପୁଲିସ ଶବ ଜବତ କରି ତଦନ୍ତ ଚଳାଇଥିଲା। ହତ୍ୟାକାରୀ, ମୃତକଙ୍କ ମୁହଁକୁ ପଥରରେ ଛେଚି ବିକୃତ କରିଦେଇଥିଲା। ଫଳରେ ମୃତକଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନଥିଲା। ବାଧ୍ୟହୋଇ ପୁଲିସ୍ ସହରର ବିଭିନ୍ନ ଜାଗାରେ ପୋଷ୍ଟର ଲଗାଇଥିଲା ଏବଂ ପରିଚୟ ଦେଲେ ୨୫ହଜାର ଟଙ୍କା ପୁରସ୍କାର ଦିଆଯିବ  ବୋଲି ଘୋଷଣା କଲା। ମାତ୍ର ଏହା ଭିତରେ ମାସଟିଏ ବିତିଗଲାଣି। ମୃତକଙ୍କ ପରିଚୟ ମିଳିଲା ନାହିଁ। ତେଣୁ ହତ୍ୟାକାରୀ ବି ଠାବ ହୋଇପାରିନାହିଁ। ମୃତକ କିଏ, କେମିତି ଷ୍ଟାଡିୟମ୍‌ ଭିତରକୁ ଆସିଲେ, କିଏ ତାଙ୍କୁ କ’ଣ ପାଇଁ ହତ୍ୟା କଲା, ଏସବୁ ପ୍ରଶ୍ନ ଆଜି ବି ରହସ୍ୟ ହୋଇ ରହିଛି। ସେହି ମାମଲା ଉପରୁ ପୁଲିସ ପର୍ଦ୍ଦା ନ ଉଠାଉଣୁ, ଆଜି ପୁଣି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି, ସମାନ ହତ୍ୟାକାଣ୍ଡ। ଚନ୍ଦ୍ରଶେଖରପୁର ଗ୍ରିଡ୍‌କୋ କଲୋନି ଗ୍ରିଡ୍‌ କାର୍ଯ୍ୟାଳୟ ପଛପଟେ ଜଣେ ଅପରିଚିତ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକଜଣଙ୍କ ଶ୍ରମିକ ଶ୍ରେଣୀର ବୋଲି ଅନୁମାନ କରାଯାଉଛି। କିନ୍ତୁ ନିକଟସ୍ଥ ନିର୍ମାଣାଧୀନ ବିଭିନ୍ନ କୋଠାବାଡ଼ିରେ କାମ କରୁଥିବା ଶ୍ରମିକମାନେ ତାଙ୍କୁ ଚିହ୍ନି ପାରିନାହାନ୍ତି। ସେହିଭଳି ନିକଟସ୍ଥ ବସ୍ତିବାସିନ୍ଦାମାନେ ମଧ୍ୟ ତାଙ୍କୁ ଚିହ୍ନଟ କରିପାରିନାହାନ୍ତି।