ଭୁବନେଶ୍ବର: ୨୦୧୫ ଫେବ୍ରୁଆରି ୨୦। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ପାଦ ଥାପିଥିଲେ। ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ଯୋଗଦେଇ ଶହେ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। କ୍ୟାମ୍ପସ୍ର ଭିତ୍ତିଭୂମି ବିକାଶ ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଆଦି ବିଷୟ ପ୍ରତି ଗୁରୁତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଲାଙ୍ଗୁଏଜ୍ ବ୍ଲକ୍, ଡିଜିଟାଲ ଲାଇବ୍ରେରି, ସୋସିଆଲ୍ ସାଇନ୍ସ ବ୍ଲକ ପରି ଏକାଧିକ ପ୍ରକଳ୍ପର ମୂଳଦୁଆ ପଡ଼ିଥିଲା। ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୨୦୧୭ ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଣିଥରେ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ଯୋଗଦେଇ ଲାଙ୍ଗୁଏଜ୍ ବ୍ଲକ୍ର ଉଦ୍ଘାଟନ କରିଥିଲେ। ଇତି ମଧ୍ୟରେ ଉଦ୍ଘାଟନକୁ ୨୦ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ଲାଙ୍ଗଏଜ୍ ବ୍ଲକ। ଏଥିସହ ଡିଜିଟାଲ ଲାଇବ୍ରେରି, ସୋସିଆଲ୍ ସାଇନ୍ସ ବ୍ଲକ, ସେଣ୍ଟ୍ରାଲ ଇନ୍ଷ୍ଟ୍ରୁମେଣ୍ଟେସନ୍ ସେଣ୍ଟର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଉଦ୍ଘାଟନ ହୋଇପାରିନି। ଯେଉଁଥିପାଇଁ ଅଧାରେ ଅଟକି ରହିଛି ବିଶ୍ବବିଦ୍ୟାଳୟର ବିକାଶ। ୨୦ କୋଟିରୁ ଅଧିକ ଟଙ୍କାର କାମ ଶେଷ ହୋଇ ପଡ଼ିରହିଛି। କେବେ କାର୍ଯ୍ୟକ୍ଷମ ହେବ, ତାହାର ଉତ୍ତର କାହା ପାଖରେ ବି ନାହିଁ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ କୁଳସଚିବ ଦୟାନିଧି ନାୟକ କୌଣସି ଉତ୍ତର ଦେଇ ନଥିବା ବେଳେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଏ ବିଷୟରେ କିଛି କହିବାକୁ ରୋକଠୋକ ମନା କରି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେଣ୍ଟ୍ରାଲ ଇନ୍ଷ୍ଟ୍ରୁମେଣ୍ଟେସନ୍ ସେଣ୍ଟର କାମ ସରୁନି
ବିଶ୍ବବିଦ୍ୟାଳୟର ବିଭିନ୍ନ ପିଜି ବିଭାଗ ଲାବରୋଟାରିରେ ଥିବା ସାମଗ୍ରୀ ମରାମତି ପାଇଁ ସେଣ୍ଟ୍ରାଲ ଇନ୍ଷ୍ଟ୍ରୁମେଣ୍ଟେସନ ସେଣ୍ଟର ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ୨୦୧୬ରେ ଏହି ବିଲ୍ଡିଂ ନିର୍ମାଣ କାମ ଆରମ୍ଭ ହୋଇଥିଲା। ୨୦୧୭ ଏପ୍ରିଲରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେଣ୍ଟର୍ର ବିଭିନ୍ନ ସାମଗ୍ରୀ କିଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ କୋଟି ଟଙ୍କାର ସହାୟତା ଦିଆଯିବ ବୋଲି ୨୦୧୭ରେ ବିଶ୍ବବିଦ୍ୟାଳୟ ଛାତ୍ର ସ˚ସଦର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ବିଲ୍ଡିଂ କାମ ସରୁନି କି ସାମଗ୍ରୀ କିଣା ଯାଉନି।
କାର୍ଯ୍ୟକ୍ଷମ ନ ହୋଇ ଭୂତକୋଠି ପାଲଟିଛି ୩ଟି କୋଠା
ଲାଙ୍ଗୁଏଜ୍ ବ୍ଲକକୁ ଯାଉନି ଭାଷା ବିଭାଗ
ଇଂରାଜୀ, ଓଡ଼ିଆ ଓ ସଂସ୍କୃତ ପିଜି ବିଭାଗ ଗୋଟିଏ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୩.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଲାଙ୍ଗୁଏଜ୍ ବ୍ଲକ। ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଏହି ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଲକ୍ଷ୍ୟ ଥିଲା ୨୦୧୭-୧୮ ଶିକ୍ଷାବର୍ଷରୁ ଉପରୋକ୍ତ ୩ଟି ବିଭାଗ ଏହି ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ। ୨୦୧୭ ଏପ୍ରିଲ ମାସରେ ବିଲ୍ଡିଂ କାମ ଶେଷ ହୋଇଥିଲା ଓ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ। ଲାଗୁଥିଲା ନୂଆ ଶିକ୍ଷାବର୍ଷରେ ତିନୋଟି ଭାଷା ବିଭାଗର ପାଠପଢ଼ା ନୂଆ ବିଲ୍ଡିଂରେ ହେବ। କିନ୍ତୁ ଦୁଇଟି ଶିକ୍ଷାବର୍ଷ ଗଲାଣି। ତଥାପି କାର୍ଯ୍ୟକ୍ଷମ ହୋଇପାରିନି ଏହି ବିଲ୍ଡିଂ। ‘ଓଡ଼ିଆ’ ବିଭାଗ ନୂଆ ବିଲ୍ଡିଂକୁ ଯିବାକୁ ଅରାଜି ଥିବା ବେଳେ ଇଂରାଜୀ ବିଭାଗ କହୁଛି ଭିତ୍ତିଭୂମି ପାଇଁ ଅର୍ଥ ଦେଲେ ଆମେ ଯିବୁ। କୋଠାଟି ଦୁଇ ତାଲା ବିଶିଷ୍ଟ ହୋଇଥିବାରୁ ସଂସ୍କୃତ ବିଭାଗର ପାଠପଢ଼ା କେଉଁଠି ହେବ ବୋଲି ବିଭାଗୀୟ ପ୍ରଫେସର୍ମାନେ ପ୍ରଶ୍ନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ ବିଭାଗଗୁଡ଼ିକୁ ଯିବାକୁ କୁହାଯାଉଥିଲେ ମଧ୍ୟ ସ୍ଥାନାନ୍ତର ପାଇଁ ଅର୍ଥ ଦେବାକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କୁନ୍ଥକୁନ୍ଥ ହେଉଛନ୍ତି। ଯେଉଁଥି ପାଇଁ ଗତ ୨୦ ମାସ ହେଲା ବିଭାଗଗୁଡ଼ିକ ଯାଉ ନଥିବା ଜଣାପଡ଼ିଛି।
ସୋସିଆଲ ସାଇନ୍ସ ବିଲ୍ଡିଂ ତାଲା ଖୋଲୁନି
୬.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ସୋସିଆଲ୍ ସାଇନ୍ସ ବିଲ୍ଡିଂ। ବିଶ୍ବବିଦ୍ୟାଳୟରେ ପିଜି ବିଭାଗ ସଂଖ୍ୟା ବଢ଼ୁଥିବାରୁ ସାମାଜିକ ବିଜ୍ଞାନ ସହ ଜଡ଼ିତ ଥିବା ୪ଟି ପିଜି ବିଭାଗକୁ ଗୋଟିଏ ବିଲ୍ଡିଂରେ କାର୍ଯ୍ୟକ୍ଷମ କରିବାକୁ ସ୍ଥିର ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ୨୦୧୫ରେ ଏହି ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ବର୍ଷେ ହେଲା ବିଲ୍ଡିଂ କାର୍ଯ୍ୟ ଶେଷ ହେଲାଣି। ସବୁ ବିଭାଗ ପାଇଁ ଅଲଗା ଅଲଗା ବ୍ୟବସ୍ଥା ହୋଇଛି। ପ୍ରାୟ ଏକ ଏକର ପରିମିତ ଜମିରେ ଏହି ବିଲ୍ଡିଂ ଛିଡ଼ା ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି। ବିଲ୍ଡିଂର ଫାଟକରେ ସେମିତି ତାଲା ପଡ଼ିଛି। ୪ଟି ବିଭାଗ ନୂତନ ବିଲ୍ଡିଂକୁ ଯିବା ପାଇଁ ଆଦୌ ଆଗ୍ରହ ଦେଖାଉ ନଥିବା ବେଳେ କର୍ତୃପକ୍ଷଙ୍କ ନିରବତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବତନ କୁଳପତି ପ୍ରଫେସର ଅଶୋକ ଦାସଙ୍କ ସମୟରେ ଏହି ବିଲ୍ଡିଂ ନିର୍ମାଣ ହୋଇଥିବା ବେଳେ ବର୍ତମାନର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ତାହାର କାର୍ଯ୍ୟକ୍ଷମ ଉପରେ ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇଛି।
କେବେ ହେବ ଡିଜିଟାଲ ଲାଇବ୍ରେରି?
ବୈଷୟିକ ଜ୍ଞାନକୌଶଳ ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟରେ ଡିଜିଟାଲ ଲାଇବ୍ରେରିର ପରିକଳ୍ପନା କରାଯାଇଥିଲା। ରାଜ୍ୟର ପ୍ରମୁଖ ତଥା ପୁରାତନ ଲାଇବ୍ରେରି ‘ପରିଜା ପାଠାଗାର’ ଏଠାରେ ରହିଛି। ସେଠାରେ ଥିବା ପୁରାତନ ପାଠ୍ୟପୁସ୍ତକଗୁଡ଼ିକୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୧୫ରେ ଡିଜିଟାଲ ଲାଇବ୍ରେରିର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଲକ୍ଷ୍ୟ ଥିଲା ୨୦୧୮ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ପାଠାଗାରର ସୁବିଧା ଯୋଗାଇଦେବା। ସମସ୍ତ ପୁସ୍ତକକୁ ସ୍କାନିଂ କରି ଶତାଧିକ କମ୍ପ୍ୟୁଟରରେ ଉପଲବ୍ଧ କରାଇବାକୁ ସ୍ଥିର ହୋଇଥିଲା। ଇତି ମଧ୍ୟରେ ୨୦୧୮ ସରିବାକୁ ବସିଲାଣି। ବର୍ଷେ ହେଲା ଡିଜିଟାଲ ଲାଇବ୍ରେରିର କାର୍ଯ୍ୟ ଶେଷ ହେଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନି ଏହି ବିଲଡିଂ। ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବିଲଡିଂର କାର୍ଯ୍ୟ ସିପିଡବ୍ଲୁଡି କରୁଥିଲା। କାମ ଶେଷ କରି ଚାବି ଦେବାକୁ ସମ୍ପୃକ୍ତ ସଂସ୍ଥା ରାଜି ଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଚାବି ଧରିବାକୁ ଅମଙ୍ଗ ହେଉଛନ୍ତି। ଯେଉଁଥିପାଇଁ ନୂଆ କରି ପ୍ରତିଷ୍ଠା ହୋଇଥିବା ଡିଜିଟାଲ ଲାଇବ୍ରେରି ବିଲଡିଂ ପରିସର ଏବେ ଅନାବନା ଗଛରେ ପରିପୂର୍ଣ୍ଣ ହେଲାଣି। କାର୍ଯ୍ୟକ୍ଷମ ହେବା ପୂର୍ବରୁ ଭୂତକୋଠି ପାଲଟିଯାଇଛି ଏହି ବିଲ୍ଡିଂ।