ଉପାସରେ ଛପନଭୋଗୀ

ଭୁବନେଶ୍ୱର: ବଡ଼ଦାଣ୍ଡରୁ ବିଧାନସଭା। ସବୁଠି ଏବେ ଶ୍ରୀମନ୍ଦିର ବିବାଦକୁ ନେଇ ଚର୍ଚା। ଏହି ବିବାଦ ଯୋଗୁଁ ଉପାସ ରହିବାକୁ ପଡ଼ିଛି ମହାପ୍ରଭୁଙ୍କୁ। ଏକଥାକୁ ସହଜେ ହଜମ କରିପାରୁନାହାନ୍ତି ଓଡ଼ିଆମାନେ। ପ୍ରଶାସନ ଓ ସେବାୟତଙ୍କ ଅଡ଼ୁଆ ଭିତରେ ଫସି ଯାଇଛନ୍ତି ମହାପ୍ରଭୁ। ଓଡ଼ିଆ ପରିବାରର ମୁରବିଙ୍କୁ ଖାଲି ଉପାସ ରହିବାକୁ ପଡ଼ିନି, ତାଙ୍କୁ ଅନିଦ୍ରା ବି ରହିବାକୁ ପଡ଼ିଛି। ଗୋଟିଏ ପଟେ ଉଚ୍ଚ ନ୍ୟାୟାଳୟ ଆଇନର ଆଳ, ଅନ୍ୟପଟେ ପ୍ରଶାସନ ଓ ସେବାୟତଙ୍କ ଅହଂ ଯୋଗୁଁ ଖାଲି ଦର୍ଶନାର୍ଥୀଙ୍କୁ ନିରାଶ ହେବାକୁ ପଡ଼ିନି ବରଂ ୪କୋଟି ଓଡ଼ିଆଙ୍କ ଭାବାବେଗକୁ ଶକ୍ତ ଧକ୍କା ଲାଗିଛି। ଓଡ଼ିଆମାନେ ପ୍ରଭୁଙ୍କୁ ନିଜ ପରିବାରର ସଦସ୍ୟ ମାନୁଥିବା ବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗର ବାରମ୍ବାର ପୁନରାବୃତ୍ତି ଭକ୍ତଙ୍କୁ ବହୁତ ବାଧିଛି। ଏନେଇ ଭକ୍ତଙ୍କ ସ୍ୱର ବି ଶାଣିତ ହେବାରେ ଲାଗିଛି। ପ୍ରଭୁଙ୍କ ଦର୍ଶନ ସିନା ମିଳିଛି, ହେଲେ ସୁଦୂର ମାଲକାନଗିରି ଓ କୋରାପୁଟର ଧାଇଁ ଆସିଥିବା ରଙ୍କୁଣା ଭକ୍ତଟିଏ ଅବଢ଼ା ଖାଇବାର ଯେଉଁ ଅଭିପ୍ସା ରଖିଥିଲା ତାହା ପୂରଣ ହୋଇପାରିନି। ହଜାର ହଜାର ଲୋକଙ୍କ ପାଇଁ ଅବଢ଼ା ବରାଦ ଦେଇଥିବା ଲୋକେ ବି ଗତକାଲି ସମସ୍ୟାରେ ପଡ଼ିଥିଲେ। ଏତେ ସରକାର ଗଲେଣି କିନ୍ତୁ ପ୍ରଶାସନ ଓ ସେବାୟତଙ୍କୁ ନେଇ ଅଡ଼ୁଆ କେବେ ସମ୍ପୂର୍ଣ୍ଣ ମୂଳପୋଛ ହୋଇପାରିନି। ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଏହି ବିଭ୍ରାଟକୁ ନେଇ ବୁଦ୍ଧିଜୀବୀମାନେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି।

ପ୍ରଭୁଙ୍କ ପରମ୍ପରା ଜଡ଼ିତ କଥାକୁ ଲଘୁ ଭାବେ ନେବା ଠିକ୍‌ ହେଲାନି

ପ୍ରଭୁ ହେଉଛନ୍ତି ପୂର୍ଣ୍ଣବ୍ରହ୍ମ। ସେ ଭୋକିଲା ରହିବା ଅପେକ୍ଷା ପ୍ରଭୁଙ୍କ ରୀତିନୀତିରେ ଅସହଯୋଗ ବେଶି ବାଧୁଛି। ଗୋଟେ ପଟେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି, ଅନ୍ୟ ପଟେ ପ୍ରଭୁଙ୍କ ସେବା ଏବଂ ଭକ୍ତଙ୍କ ଆବେଗ। ଏହା ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ ନାହିଁ ବୋଲି ଏହା ସୂଚାଉଛି। ପ୍ରଶାସନ ଆଡ଼ୁ ମଧ୍ୟ ଅବହେଳା ରହିଛି। ହାଇକୋର୍ଟ ଯେଉଁ ନିର୍ଦେଶ ଦେଇଛନ୍ତି, ତା ପୂର୍ବରୁ ହାଇକୋର୍ଟକୁ ଏକଥା ବୁଝାଇ ଦେବାର ଥିଲା ଯେ ଜଣେ ପାଳିଆ ସେବକଙ୍କ ସଙ୍ଗେ ଆଉ ଜଣେ ରହିବା ଆବଶ୍ୟକ। ଯଦି କୌଣସି ଦୁର୍ଘଟଣା ଘଟିଗଲା ଉଭୟ ପ୍ରଶାସକ ଓ ସେବାୟତ ତାହାର ତୁରନ୍ତ ସମାଧାନ କରିବାର ଥିଲା। କିନ୍ତୁ ପ୍ରଶାସନ କହିଲା ଉଚ୍ଚ ନ୍ୟୟାଳୟର ଆଇନ ମୁତାବକ ଯିବୁ। କିନ୍ତୁ ଅନ୍ୟପଟେ ଭକ୍ତଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ। ଛତିଶା ନିଯୋଗର ଅନ୍ୟ ସେବାୟତମାନେ ଏନେଇ ନିଜର ସ୍ୱର ଉଠାଇ ନାହାନ୍ତି କି ଗଜପତି ମହାରାଜ ବି ଏ ସମ୍ପର୍କରେ ଏଯାଏଁ ନିରବ ରହିଛନ୍ତି। ତେଣୁ ପ୍ରଭୁଙ୍କ ପରମ୍ପରା ଅତି ଜୀବନ୍ତ ହୋଇଥିବାରୁ ପ୍ରଶାସନ ଏକଥାକୁ ଲଘୁ ଭାବେ ନେବା ଠିକ୍‌ ହୋଇନାହିଁ।
ରାଜକିଶୋର ମିଶ୍ର (ବିଶିଷ୍ଟ ଲେଖକ)

ପ୍ରଶାସକ ଓ ସେବାୟତ ବୁଝାମଣା ଭିତ୍ତିରେ ତୁରନ୍ତ ସମାଧାନ କରନ୍ତୁ

ସ୍କନ୍ଦପୁରାଣ ଅନୁଯାୟୀ, ପ୍ରଭୁ ପ୍ରତିମା ନୁହନ୍ତି, ଜୀବନ୍ତ ଠାକୁର। ସେ ଲୋକଙ୍କ ସାଙ୍ଗରେ କଥାବାର୍ତା କରନ୍ତି। ତେଣୁ ତାଙ୍କୁ ଯିଏ ବି ଜ୍ଞାତସାରରେ ଅବହେଳା କରୁଥିବେ, ତାଙ୍କର କ୍ଷତି ଘଟିବ। ତେବେ ପ୍ରଭୁଙ୍କ ପ୍ରତି ଏତେ ନିର୍ଦୟ ହେବା ଠିକ୍‌ ନୁହେଁ। ପ୍ରଶାସକଙ୍କ ସମେତ ସେବାୟତଙ୍କ ଆଡ଼ୁ ମଧ୍ୟ ଭୁଲ୍‌ ରହିଛି। ତେଣୁ ଉଭୟ ପ୍ରଶାସକ ଓ ସେବାୟତ ବୁଝାମଣା ଭିତ୍ତିରେ ଏକଥାର ତୁରନ୍ତ ସମାଧାନ କରିବା ଉଚିତ। ପ୍ରଭୁଙ୍କୁ ୨ ଦିନ ଉପାସ ରଖିବା ଯେ ଭକ୍ତଙ୍କୁ ବାଧୁଛି ଏକଥା ବି ଉଭୟ ବିଚାର କରିବା ଉଚିତ।
ଶରତ କର (ପୂର୍ବତନ ବାଚସ୍ପତି, ଭାଷ୍ୟକାର)

ଉଚ୍ଚ ନ୍ୟାୟାଳୟର ରାୟ ଠିକ୍‌
ଜଗନ୍ନାଥ ମନ୍ଦିରରେ ଯାହା ନୀତିକାନ୍ତି ହେଉଛି ଏବଂ ଏ ବାବଦରେ ଉଚ୍ଚ ନ୍ୟାୟାଳୟ ଯାହା ରାୟ ଦେଇଛନ୍ତି ତାହା ଠିକ୍‌ କହିଛନ୍ତି। ତେବେ କିଛି ସୁଆରଙ୍କ ବ୍ୟକ୍ତିଗତ ବ୍ୟବସାୟିକ ମନୋଭାବ ଯୋଗୁଁ ଏଭଳି ବିଶୃଙ୍ଖଳା ସୃଷ୍ଟି ହୋଇଛି। ହାଇକୋର୍ଟକୁ ଯାଇ ସେମାନେ ପୁନଃ ବିଚାର କରିପାରିବେ। କିନ୍ତୁ ହାଇକୋର୍ଟର ରାୟକୁ ନମାନିବା ବି ନ୍ୟାୟାଳୟକୁ ଅସମ୍ମାନ। ପ୍ରଭୁଙ୍କୁ ଉପାସ ରଖି ସେମାନେ କ’ଣ ସାବ୍ୟସ୍ତ କରିବାକୁ ଚାହୁଛନ୍ତି ?
ପ୍ରଫୁଲ୍ଲ ତ୍ରିପାଠୀ (ଐତିହାସିକ)

ପ୍ରଶାସନ ରେକର୍ଡ ଅଫ୍‌ ରାଇଟ୍‌କୁ ଉପଯୋଗ କରୁ
ଜଗନ୍ନାଥଙ୍କ ସେବାରେ ଯିଏ ଖଇଚା କରିବ ସେମାନଙ୍କୁ ସେବାରୁ ଅନ୍ତର କରାଯାଇପାରିବ। ଏହା ରେକର୍ଡ ଅଫ୍‌ ରାଇଟ୍‌ରେ ଉଲ୍ଲେଖ ଅଛି। ତାଙ୍କ ସ୍ଥାନରେ ତାଙ୍କର ଭଗାରି କିମ୍ବା ଉପଯୁକ୍ତ ବ୍ୟକ୍ତି ଦେଖି ସେବାରେ ନିୟୋଜିତ କରାଯାଇପାରିବ। ପ୍ରଶାସନ ଦୃଢ଼ ପଦକ୍ଷେପ ନେଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେବାୟତଙ୍କୁ କାର୍ଯ୍ୟରୁ ଅନ୍ତର କରନ୍ତୁ। ଏହା ସ୍କୁଲ୍‌ କଲେଜ୍‌ର ଷ୍ଟ୍ରାଇକ୍‌ ନୁହେଁ। ଜଗନ୍ନାଥ ରାଷ୍ଟ୍ର ଦେବତା। ତେଣୁ ତାଙ୍କୁ ଅବହେଳା କରିବା ଅର୍ଥ ସାରା ହିନ୍ଦୁ ସମାଜକୁ ନିନ୍ଦିତ କରିବା। ତେଣୁ ପ୍ରଶାସନ ଅପାରଗ ନହୋଇ ଏ ଦିଗରେ ଦୃଢ଼ ପଦକ୍ଷେପ ନେଉ।
ପ୍ରଫୁଲ୍ଲ କୁମାର ମିଶ୍ର (କୁଳାଧିପତି, ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ବିହାର)

ସମ୍ବନ୍ଧିତ ଖବର