ଅଟକିଲା ସ୍ୱାସ୍ଥ୍ୟସେବା

ସରକାରୀ ହସ୍ପିଟାଲ୍‌ରେ ଭିଡ଼

ଭୁବନେଶ୍ୱର: ଦୀର୍ଘଦିନ ଚେତାବନୀ ପରେ ସମଗ୍ର ରାଜ୍ୟ ସମେତ ରାଜଧାନୀରେ ବି ସ୍ୱାସ୍ଥ୍ୟ ସେବା ଠପ୍‌ ହୋଇଯାଇଥିଲା। ଘରୋଇ ହସ୍‌ିଟାଲ୍‌ ଓ କର୍ପୋରେଟ୍‌ ହସ୍ପିଟାଲ୍‌ଗୁଡ଼ିକରେ ଓପିଡି, ଆଇପିଡି, କାଜୁଆଲିଟି ଭଳି ସୁବିଧା ଉପଲବ୍ଧ ହୋଇ ନଥିଲା। ଏମିତି କି ଅନେକ ଆପାତକାଳୀନ ସେବା ପାଇବାରୁ ବଞ୍ଚିତ ହୋଇଥିଲେ। ରାଜଧାନୀରେ କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଆଇନ୍‌ ଅନ୍ତର୍ଭୁକ୍ତ ପ୍ରାୟ ୧୫୦ ଘରୋଇ ହସ୍ପିଟାଲ୍‌, ଡାଏଗ୍ନୋଷ୍ଟିକ୍‌ କେନ୍ଦ୍ର, ଫିଜିଓଥେରାପି କେନ୍ଦ୍ର, ଡେଣ୍ଟାଲ୍‌ ହସ୍ପିଟାଲ୍‌ ସ୍ୱାସ୍ଥ୍ୟସେବା ଦେଇ ନଥିଲେ। ୨ ଦିନ ହେଲା ସମସ୍ତ ହସ୍ପିଟାଲ୍‌ ଆଗରେ ଘରୋଇ ହସ୍ପିଟାଲ୍‌ ବନ୍ଦ ହେବା ନେଇ ବ୍ୟାନର ଝୁଲି ସଚେତନ କରାଯାଇଥିଲା। ତେବେ ରାଜଧାନୀରେ ସବୁଠୁ ବଡ଼ କର୍ପୋରେଟ୍‌ ହସ୍ପିଟାଲ୍‌ ଓ ଘରୋଇ ହସ୍ପିଟାଲ୍‌ରେ ଉନ୍ନତ ଚିକିତ୍ସା ସେବା ମିଳୁଥିବାରୁ ବାହାରୁ ଆସିଥିବା ରୋଗୀମାନେ ଚିକିତ୍ସା ସେବା ନପାଇ ଫେରି ଯାଇଥିଲେ। ସେଇଥିପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଭିଡ଼ ହୋଇଥିଲା। ସେହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରୀକ୍ଷା କେନ୍ଦ୍ର, ପାଥୋଲାବ, ଫିଜିଓଥେରାପି କେନ୍ଦ୍ର ବନ୍ଦ ରହିଥିବାରୁ ଅନେକ ସମସ୍ୟା ଉପୁଜିଥିଲା।

ନିରାମୟ ଔଷଧ ପାଇଁ ଅଧଘଣ୍ଟା

ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପୂର୍ବାପେକ୍ଷା ଅଧିକ ଭିଡ଼ ଜମିଥିଲା। ସକାଳୁ ଧୀରେଧୀରେ ଭିଡ଼ ଜମିବା ସହ ନିରାମୟ କାଉଣ୍ଟର୍‌ ଆଗରେ ଲମ୍ବା ଲାଇନ୍‌ ଲାଗିଥିଲା। ଔଷଧ ପାଇଁ ଅଧଘଣ୍ଟା ଲାଇନ୍‌ରେ ଧାଡ଼ିବାନ୍ଧି ଛିଡ଼ା ହେବାକୁ ପଡ଼ିଥିଲା। ଓପିଡି/ଆଇପିଡି କାଉଣ୍ଟର୍‌ ଆଗରେ ବି ଟିକେଟ୍‌ ପାଇଁ ଲୋକଙ୍କୁ ଦୀର୍ଘ ସମୟ ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା। ମିଳିଥିବା ସୂଚନା ମୁତାବକ ଗତକାଲି ୨୪ ଘଣ୍ଟା ମଧ୍ୟରେ ୨୩୭୦ଟି ଟିକେଟ୍‌ କଟାଯାଇଥିବା ବେଳେ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ୨୪୭୨ଟି ଟିକେଟ୍‌ ବିକ୍ରି ହୋଇଥିଲା। ଏହି ସଂଖ୍ୟା ରାତି ବେଳକୁ ୩ହଜାର ଛୁଇଁଥିଲା। ତେଣୁ ଡାକ୍ତରମାନଙ୍କୁ ପୂର୍ବାପେକ୍ଷା ଅଧିକ ରୋଗୀ ଦେଖିବାକୁ ପଡ଼ିଥିଲା।

ଆପାତକାଳୀନ ସେବା ପାଇଁ ପ୍ରସ୍ତୁତ ଥିଲେ
ଘରୋଇ ମେଡିକାଲ୍‌ ବନ୍ଦ ହେବା ନେଇ ଘୋଷଣା ହେବା ପରେ ଆମେ ପୂର୍ବରୁ ପ୍ରସ୍ତୁତ ଥିଲୁ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁବିଧା କରାଯାଇଥିଲା ବୋଲି କ୍ୟାପିଟାଲ୍‌ ହସ୍ପିଟାଲ୍‌ର ନିର୍ଦେଶକ ଡାକ୍ତର ମନୋରଂଜନ ଦାଶ କହିଛନ୍ତି। ଯଦିଓ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ରୋଗୀଙ୍କୁ ନେଇ ସେମିତି କୌଣସି ଅସୁବିଧା ହୋଇନି ବୋଲି ଡ.ଦାଶ କହିଥିଲେ ତେବେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏହି ଭିଡ଼ ଯୋଗୁଁ ଆଜି କାଜୁଆଲିଟିରେ ଜଣେ ଚର୍ମରୋଗୀ ଅସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର