ବନ୍ଦ ହେବ ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌

କର୍ମଚାରୀ ମହଲରେ ଭାଳେଣି, ୯ ତାରିଖରେ କେନ୍ଦ୍ରରୁ ଜାରି ହୋଇଛି ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରୁ ପୁଣି ଏକ କେନ୍ଦ୍ରୀୟ ସଂସ୍ଥା ଉଠିଯିବ। ଏଥି ପାଇଁ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଛନ୍ତି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୩୦ ବର୍ଷ ତଳେ ଗଢ଼ି ଉଠିଥିବା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌କୁ ସବୁଦିନ ପାଇଁ ବନ୍ଦ କରିବାକୁ କେନ୍ଦ୍ରରୁ ନୋଟିସ୍‌ ବି ଜାରି କରାଯାଇଛି। କିଛି ମାସ ତଳେ ଭୁବନେଶ୍ୱରରେ ଥିବା କେନ୍ଦ୍ର ସରକାରଙ୍କ ଟେକ୍ସଟ୍‌ ବୁକ୍‌ ପ୍ରେସ୍‌କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ ପୋଷ୍ଟାଲ୍‌ ପ୍ରିଣ୍ଟିଂ ପ୍ରେସ୍‌କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ସଚେତନ ନାଗରିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ତୀବ୍ର ପ୍ରତିକ୍ରିୟା ବି ପ୍ରକାଶ ପାଇଛି। ପୋଷ୍ଟାଲ୍‌ ପ୍ରିଣ୍ଟିଂ ପ୍ରେସ୍‌କୁ ବନ୍ଦ କରିବା ପାଇଁ ଗତ ୯ ତାରିଖରେ ଡାକ ବିଭାଗ ପକ୍ଷରୁ ଓଡ଼ିଶା ସର୍କଲ୍‌ର ମୁଖ୍ୟ ମହାଡାକପାଳଙ୍କ ନିକଟକୁ ନିର୍ଦ୍ଦେଶ ଆସିିଛି। ଏଥିରେ ଦର୍ଶାଯାଇଛି, ଗତ ଏପ୍ରିଲ୍‌ ୨୭ରେ କମିଟି ଅଫ୍‌ ସେକ୍ରେଟାରିଜ୍‌ ବୈଠକରେ ଭୁବନେଶ୍ୱରର ପୋଷ୍ଟାଲ୍‌ ପ୍ରିଣ୍ଟିଂ ପ୍ରେସ୍‌କୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଯେହେତୁ ଏହି ପ୍ରେସ୍‌ ବନ୍ଦ ହେବ, ତେଣୁ ଆଉ ଛପାଇବା ପାଇଁ କୌଣସି କାଗଜ ଓ ଅନ୍ୟ ସାମଗ୍ରୀ ନ କିଣିବା ପାଇଁ କୁହାଯାଇଛି। ଯେତିକି କାଗଜ ରହିଛି, ତାହାକୁ ତୁରନ୍ତ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରିଣ୍ଟିଂ ପ୍ରେସ୍‌ର ସମସ୍ତ କର୍ମଚାରୀଙ୍କ ବାୟୋଡାଟା ବି କେନ୍ଦ୍ରକୁ ପଠାଇବାକୁ କୁହାଯାଇଛି। ଯଦିଓ କେବେ ପ୍ରେସ୍‌ ବନ୍ଦ ହେବ ତାହା ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ନାହିଁ, ତେବେ ଖୁବ୍‌ ଶୀଘ୍ର ବନ୍ଦ ହେବ ବୋଲି ସ୍ପଷ୍ଟ କରାଯାଇଛି।

ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୧୯୮୭ ମସିହାରେ ନିର୍ମାଣ ହୋଇଥିଲା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌। ଓଡ଼ିଶା ସରକାର ଏଥି ପାଇଁ ଇଡ୍‌କୋ ଜରିଆରେ ୪ ଏକର ଜାଗା ଯୋଗାଇ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୨୩୦ ଜଣ କର୍ମଚାରୀଙ୍କୁ ନେଇ ଏହି ପ୍ରେସ ଚାଲିଥିଲା। ପରବର୍ତୀ ସମୟରେ କିଛି କର୍ମଚାରୀଙ୍କ ବଦଳି ହେବା ପରେ ଏବେ କର୍ମଚାରୀଙ୍କ ସଂଖ୍ୟା ରହିଛି ୧୪୬। କାର୍ଯ୍ୟରତ ପ୍ରାୟ ସମସ୍ତ କର୍ମଚାରୀ ଓଡ଼ିଆ। ସାରା ଭାରତରେ ୧୪୦୦ ପ୍ରକାରର ଫର୍ମ ଆବଶ୍ୟକତା ପଡ଼ୁଥିବା ବେଳେ ଏଠାରେ ୪୦୦ ପ୍ରକାରର ଫର୍ମ ଏଠାରେ ପ୍ରିଣ୍ଟିଂ ହେଉଥିଲା। ଏହି ପ୍ରେସ୍‌ରେ ଡାକବିଭାଗର ସମସ୍ତ ବିଭାଗୀୟ ଓ ଜରୁରୀ ଫର୍ମ, ପୁସ୍ତକ, ପାସ୍‌ବୁକ୍‌, ସେଭିଙ୍ଗ ବ୍ୟାଙ୍କ ଖାତା, ଆକାଉଣ୍ଟ୍‌ସ୍‌ ଖାତା ପରି ଅନେକ ଜିନିଷ ଏଠାରେ ଛପା ଯାଉଛି। କିନ୍ତୁ ସମଗ୍ର ଭାରତରେ ୧ ଲକ୍ଷ ୨୦ ହଜାର ମେଟ୍ରିକ୍‌ ଟ୍ରନ୍‌ ଛପା ଦରକାର ପଡ଼ୁଥିବା ବେଳେ ଏଠାରେ ବାର୍ଷିକ ମାତ୍ର ୨ ହଜାର ମେଟି୍ରକ୍‌ ଟନ ଛପା ହେଉଛି। ଉଭୟ କାରଖାନା ଓ କର୍ମଚାରୀ ଅଭାବରୁ ଆବଶ୍ୟକତା ଅନୁଯାୟୀ ଛପା ହୋଇପାରୁନି। ଏଠାରେ ସମସ୍ତ ପ୍ରକାରର ଉନ୍ନତମାନର ମେସିନ୍‌ ରହିଛି। ସେଥିପାଇଁ ସର୍ବଭାରତୀୟସ୍ତରର ଆଞ୍ଚଳିକ ଭାଷାର ଫର୍ମ, ବାଲଟ ପେପର, ସେନ୍‌ସସ୍‌, ମନିଅର୍ଡର ଫର୍ମ, ଓଡ଼ିଶା ସର୍କଲ୍‌ ଓ ନିର୍ଦ୍ଦେଶାଳୟର ଦରକାରୀ ଓ ବିଶ୍ୱସନୀୟ ଫର୍ମ ଏହିଠାରେ ଛପାଯାଏ। ୯ ତାରିଖରେ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଲା ପରେ ସୋମବାରଠାରୁ ପ୍ରେସ୍‌କୁ କାଗଜ ଯୋଗାଣ ବନ୍ଦ ହୋଇଯାଇଛି। କର୍ମଚାରୀମାନେ ଏକପ୍ରକାର ହାତ ବାନ୍ଧି ବସିଲେଣି। ୧ କୋଟି ଟଙ୍କାର ପୋଷ୍ଟାଲ୍‌ ପ୍ରିଣ୍ଟ୍‌ ପାଇଁ ଅର୍ଡର୍‌ ଆସିଥିଲେ ବି ତାହା କରାଯିବ ନାହିଁ ବୋଲି ଜଣାପଡ଼ିଲାଣି। କର୍ମଚାରୀ ଓ ସେମାନଙ୍କ ପରିବାର ମଧ୍ୟରେ ଏ ନେଇ ଭାଳେଣି ପଡ଼ିଲାଣି। ଭବିଷ୍ୟତ ନେଇ ବି ସେମାନେ ସନ୍ଦିହାନ ହୋଇପଡ଼ିଛନ୍ତି। ଏଠାରେ କାମ କରୁଥିବା ଅନେକ କର୍ମଚାରୀ ଆଉ ୨ ବର୍ଷ ପରେ ଅବସର ନେବାକୁ ଯାଉଥିବା ବେଳେ ଏବେ ବଦଳି ହୋଇ କେଉଁଠିକି ଯିବେ, ସେ ନେଇ ମଧ୍ୟ ସେମାନେ ଚିନ୍ତାରେ। ପୁଣି ପରୋକ୍ଷ ଭାବେ ଏହି ପ୍ରେସ୍‌ ଉପରେ ନିର୍ଭର କରି ନିଜ ଜୀବିକା ନିର୍ବାହ କରୁଥିବା ପ୍ରାୟ ୨ ହଜାର ଓଡ଼ିଆ ବି ମୁଣ୍ଡରେ ହାତ ଦେଇଛନ୍ତି।

ଦେଶର ଏକମାତ୍ର ପୋଷ୍ଟାଲ୍‌ ପ୍ରିଣ୍ଟିଂ ପ୍ରେସ୍‌ ଓଡ଼ିଶାରେ ସ୍ଥାପନ ହୋଇଥିବାରୁ ଏହା ରାଜ୍ୟ ପାଇଁ ଗର୍ବ ପାଲଟିଥିଲା। ପୁଣି ଆଧୁନିକ ମେସିନ୍‌ ଓ କୁଶଳୀ କର୍ମଚାରୀଙ୍କ ପାଇଁ ଏହାର ସ୍ଥାନ ଥିଲା ସ୍ୱତନ୍ତ୍ର। କିନ୍ତୁ ବର୍ତମାନ ତାହାକୁ ସବୁଦିନ ପାଇଁ ବନ୍ଦ କରିଦେବାର ଚକ୍ରାନ୍ତକୁ ସଚେତନ ନାଗରିକ ମହଲ ସହଜରେ ଗ୍ରହଣ କରିପାରୁନାହାନ୍ତି। ପ୍ରେସ୍‌ ବନ୍ଦ ନେଇ ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲାଙ୍କୁ ଯୋଗାଯୋଗ କରାଯିବାରୁ କାର୍ଯ୍ୟବ୍ୟସ୍ତତା ଥିବାରୁ ସେ ମତାମତ ଦେଇପାରିବେନି ବୋଲି କହିଥିଲେ।

କର୍ମଚାରୀ ମହଲରେ ଅସନ୍ତୋଷ
ପ୍ରେସ୍‌ ବନ୍ଦ ସମ୍ପର୍କରେ ଜଣାପଡ଼ିବା ପରେ କର୍ମଚାରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି କର୍ମଚାରୀମାନଙ୍କ ଏକ ଜରୁରୀ ବୈଠକ ଡକାଯାଇ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। କର୍ମଚାରୀ ସଂଘର ସଭାପତି ଜ୍ୟୋତିର୍ମୟ ଦାସ ଓ ସାଧାରଣ ସଂପାଦକ କୌଳାସ ଚନ୍ଦ୍ର ସାହୁ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ରାଜରାସ୍ତାକୁ ଓହ୍ଲାଇବୁ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କରିବୁ ପ୍ରେସ ବନ୍ଦ ନ କରିବା ପାଇଁ। ଆମେ ଚାହୁଁଛୁ ପ୍ରେସ ବନ୍ଦ ନ କରି ପୂର୍ବ ଭଳି ଏହାକୁ ଚାଲୁ ରଖାଯାଉ। ଆବଶ୍ୟକତା ଅନୁଯାୟୀ ଏହାକୁ ଆଧୁନିକୀକରଣ କରାଯାଉ।

ସମ୍ବନ୍ଧିତ ଖବର