ଭୁବନେଶ୍ୱର : ସଂପ୍ରତି ସେଲ୍ଫିମାନିଆ ମଣିଷର ନିତିଦିନିଆ ସଉକରେ ପରିଣତ ହୋଇଛି। ଏମିତି କି ହିଂସ୍ରଜନ୍ତୁଙ୍କ ସହ ସେଲ୍ଫି ନେବାକୁ ମଧ୍ୟ ଅନେକ ଆଗଭର ହେଉଛନ୍ତି। କିନ୍ତୁ ଏହାର ପରିଣତି ଯେ ଜୀବନ ଘାତକ, ତାହା ସେମାନେ ନଜରଅନ୍ଦାଜ କରି ଦେଉଛନ୍ତି। ନିକଟରେ ହାତୀ ସହ ସେଲ୍ଫି ନେବା ସମୟରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ବିଷାକ୍ତ ସାପ ସହ ଅନେକ ସମୟରେ ସେଲ୍ଫି ନେବାର ପାଗଳାମି ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସାପ ଉଦ୍ଧାରକାରୀ ଏବଂ ସାପ ନିକଟରେ ନିଜକୁ ଫଟୋ ଭିତରେ ଦେଖିବାର ପାଗଳାମି ସେମାନଙ୍କୁ ମୃତ୍ୟୁ ମୁଖକୁ ଟାଣି ନେବାର ଆଶଙ୍କା ରହିଛି। ଏହିଭଳି ଏକ ବିପଦଜନକ ସେଲ୍ଫି ପାଗଳାମି ବିରୋଧରେ ଆଜିଠୁ ଏକ ଆନ୍ଦୋଳନର ମୂଳଦୁଆ ପଡ଼ିଛି।
ସ୍ନେକ୍ ହେଲ୍ପ ଲାଇନ୍ ପକ୍ଷରୁ ଆରମ୍ଭ ହୋଇଛି ‘ନୋ ସେଲ୍ଫି ଓ୍ଵିଥ୍ ଓ୍ଵାଇଲ୍ଡ ଲାଇଫ୍’। ଏଥିରେ ହିଂସ୍ରଜନ୍ତୁଙ୍କ ପାଇଁ କାମ କରୁଥିବା ୮୦ଜଣ କର୍ମୀ ଏହି ନିଆରା ଅଭିଯାନରେ ସାମିଲ୍ ହୋଇଛନ୍ତି। ଆଜି କଳିଙ୍ଗ ବିହାରସ୍ଥିତ ଏମ୍ସିଏଲ୍ ଉଦ୍ୟାନରେ ଏନେଇ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ନନ୍ଦନକାନନର ଉପ-ବନସଂରକ୍ଷକ କେଏଲ୍ ପୁରୋହିତ ସାମିଲ୍ ହୋଇ କହିଲେ, ବିଶେଷକରି ଯୁବପିଢ଼ି ସୋସିଆଲ୍ ମିଡିଆରେ ନିଜର ପ୍ରଚାର ପ୍ରସାର ପାଇଁ ଏହି ସେଲ୍ଫି ମାୟାରେ ପଡ଼ିଛନ୍ତି। ତେବେ ଓ୍ଵାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ ଇନ୍ ଇଣ୍ଡିଆ ପକ୍ଷରୁ ହିଂସ୍ରଜନ୍ତୁଙ୍କ ସହ ସେଲ୍ଫି ନେବା ନିଷିଦ୍ଧ କରାଯାଇଥିବା ବିଷୟରେ ସେମାନେ ସଚେତନ ରହିବା ଉଚିତ୍।
ସିଟି ଫରେଷ୍ଟ୍ ଡିଭିଜନ୍ର ସହ ବନସଂରକ୍ଷକ ଅଶୋକ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ହିଂସ୍ରଜନ୍ତୁ ଆକ୍ରମଣରେ ମୃତ୍ୟୁଜନିତ ସହାୟତା ରାଶି ପ୍ରଦାନ କରାଯାଉଥିଲେ ହେଁ ହିଂସ୍ରଜନ୍ତୁଙ୍କ ସହ ସେଲ୍ଫି ନେଇ ମୃତ୍ୟୁ ହେଲେ, ସେଥିନିମନ୍ତେ ସହାୟତା ମିଳିବ ନାହିଁ। କ୍ୟାପିଟାଲ୍ ହସ୍ପିଟାଲ୍ର (ମେଡିସିନ୍) ଡାକ୍ତର ନିରଂଜନ ପାଢ଼ୀ ସାପ ଓ ଅନ୍ୟ ସରୀସୃପ ସଂସ୍ପର୍ଶରେ ଆସିବା ଯୋଗୁଁ ବ୍ୟାପୁଥିବା ବିଭିନ୍ନ ରୋଗ ସମ୍ପର୍କରେ କହିଥିଲେ। ଭୁବନେଶ୍ୱର ବନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଏହି ଆନ୍ଦୋଳନରେ ସାମିଲ୍ ହେବା ପାଇଁ କର୍ମୀମାନଙ୍କୁ ଆହ୍ଵାନ କରିଥିଲେ। ସ୍ନେକ୍ ହେଲପ୍ ଲାଇନ୍ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଥିଲେ, ହିଂସ୍ରଜନ୍ତୁଙ୍କ ସହ ସେଲ୍ଫି ନେବା ଦ୍ୱାରା କେବଳ ମଣିଷ ନିଜ ପାଇଁ ବିପଦ ଡାକୁନାହିଁ ବରଂ ଏହାଦ୍ୱାରା ସେଇ ହିଂସ୍ରଜନ୍ତୁମାନେ ମଧ୍ୟ ନିର୍ଯାତିତ ହେଉଛନ୍ତି। ତେଣୁ ଏହି ଆନ୍ଦୋଳନରେ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।