ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନର ଅନାବଶ୍ୟକ ବିତର୍କ ବନ୍ଦ କରି ତୁରନ୍ତ ତା’ର ଭିତ୍ତିଭୂମି ବିକାଶ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରି ଆଜି ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିଛି ମିଳିତ ଛାତ୍ର କ୍ରିୟାନୁଷ୍ଠାନ କମିଟି। କମିଟି ପକ୍ଷରୁ କୁହାଯାଇଛି, ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବି ସ୍ଥାୟୀ ଭିତ୍ତିରେ ପୂରଣ କରାଯାଉ, ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ତାରିଖ ତୁରନ୍ତ ଘୋଷଣା କରାଯାଉ। ଏଥିସହିତ ଛାତ୍ର ଏବଂ ଅଧ୍ୟାପକମାନଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଆ‌ଦି ଦାବି କମିଟି ପକ୍ଷରୁ କରାଯାଇଥିଲା। ବିକ୍ଷୋଭ ସ୍ଥଳରେ ଏଆଇଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

Advertisment

ଉକ୍ତ ସଭାରେ ଏଆଇଏସ୍‌ଏଫ୍ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ଏଆଇଡିଏସଓ ରାଜ୍ୟ ଉପସଭାପତି ଭାଗ୍ୟରବି ଦାସ, ନସିମ ସରକାର, ସପ୍ତର୍ଷିନୀ ରାଉଳ, ବିନୋଦ ସେଠୀ, ତରୁଣସେନ ନାୟକ, ଇଷା ଧର, ଦେବବ୍ରତ ବେହେରା ପ୍ରମୁଖ ଉପସ୍ଥିତ ରହି କହିଥିଲେ, ରାଜ୍ୟର ଅଧିକାଂଶ ଶିକ୍ଷାନୁଷ୍ଠାନରେ ଶିକ୍ଷକ, ଅଧ୍ୟାପକ ପଦବି ଖାଲି ପଡ଼ିଥିବା ହେତୁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟଦିଗରେ ୨୦୧୭ ମସିହାରୁ ପ୍ରଥମେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ପରେ ୨୦୧୮ ମସିହାରୁ ସମଗ୍ର ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇ ଛାତ୍ରଛାତ୍ରୀମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରାଯାଇଛି।

ଏଭଳି ସମୟରେ ଏହି ସମସ୍ୟାଗୁଡ଼ିକର ସମାଧାନ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଓଡ଼ିଶାର ଗର୍ବ ଗୌରବ କୁହାଯାଉଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ଭଳି ଅନାବଶ୍ୟକ ବିଷୟକୁ ନେଇ ଅଯଥା ବିତର୍କ ସୃଷ୍ଟି କରାଯାଇଛି। ତେଣୁ ତୁରନ୍ତ ଏହି ବିତର୍କ ବନ୍ଦ କରି ରାଜ୍ୟର ଶିକ୍ଷା ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ଅନ୍ୟଥା ଆଗାମୀ ଦିନରେ ରାଜ୍ୟରେ ବୃହତ ଛାତ୍ର ଆନ୍ଦୋଳନ ଗଢ଼ି ଉଠିବ ବୋଲି ଛାତ୍ର ନେତା ମାନେ ଚେତାବନୀ ଦେଇଥିଲେ। ଛାତ୍ର ବିକ୍ଷୋଭ ସ୍ଥଳରୁ ମିଳିତ ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।