ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଠିକଣା ବଦଳିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଏହି ପରିଷଦ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଛି। ନୂତନ ପାଠ୍ୟକ୍ରମ ଲାଗୁ ହେବା ସହ ପରୀକ୍ଷାରେ ସଂସ୍କାର ଅଣାଯାଇଛି। ପାଠପଢ଼ା ଶୈଳୀରେ ବି ପରିବର୍ତନ ହୋଇଛି। ହେଲେ ପରୀକ୍ଷା ପରିଚାଳନା ଓ ଉତ୍ତର ଖାତା ମୂଲ୍ୟାୟନ ପାଇଁ ୨୦୧୫ରେ ପରିଷଦର ପରିସରରେ ନିର୍ମାଣ ହେବାକୁ ଥିବା ‘ପରୀକ୍ଷା ଭବନ’ ଏବେ ସ୍ୱପ୍ନ ପାଲଟିଛି। ସେତେବେଳେର ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଏହା ଭିତ୍ତିପ୍ରସ୍ତର ସ୍ଥାପନ କରି କହିଥିଲେ ଯେ, ୨୦୧୬-୧୭ ଶିକ୍ଷାବର୍ଷରୁ ନୂତନ ସିଲାବସ୍ ଲାଗୁ କରାଯିବା ସହ ପରୀକ୍ଷା ପରିଚାଳନାରେ ସଂସ୍କାର ଅଣାଯିବ। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର ସମସ୍ତ ବିଷୟ ଉତ୍ତର ଖାତାର ଇ-ମୂଲ୍ୟାୟନ କରାଯିବ। ଯୁକ୍ତ୨ ପରୀକ୍ଷା ପରିଚାଳନା ଏବଂ ଉତ୍ତର ଖାତା ମୂଲ୍ୟାୟନ କରିବାକୁ ଅନ୍ୟ କେନ୍ଦ୍ର ଉପରେ ଏବେ ନିର୍ଭର କରିବାକୁ ପଡ଼ୁଛି। ତେଣୁ ପରିଷଦ ପରିସରରେ ଏକ ପରୀକ୍ଷା ଭବନ ପ୍ରତିଷ୍ଠା କରାଯିବ। ଏହାର କାର୍ଯ୍ୟ ଖୁବ୍ଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଥିଲେ। ଇତି ମଧ୍ୟରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବଦଳିବା ସହ ପରିଷଦର ଅଧ୍ୟକ୍ଷ ତିନି ଥର ବଦଳିଲେଣି। ଜଣଙ୍କ ପରେ ଆଉ ଜଣେ ଦାୟିତ୍ୱ ଗ୍ରହଣ କରୁଛନ୍ତି। ଶିକ୍ଷାବିତ୍ଙ୍କ ବଦଳରେ ପ୍ରଶାସନିକ ଅଧିକାରୀମାନଙ୍କୁ ଅଧ୍ୟକ୍ଷ ପଦରେ ବସା ଯାଉଥିଲେ ମଧ୍ୟ ଭବନ ନିର୍ମାଣ ଦିଗରେ କେହି ବି ପଦକ୍ଷେପ ନେଉନାହାନ୍ତି। ଯେଉଁଥି ପାଇଁ ପରୀକ୍ଷା ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ବାହାର ଶିକ୍ଷାନୁଷ୍ଠାନ ଉପରେ ନିର୍ଭର୍ର କରିବାକୁ ପଡ଼ୁଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି। ତିନି ବର୍ଷ ମଧ୍ୟରେ ପରୀକ୍ଷା ପରିଚାଳନା ଓ ଖାତା ମୂଲ୍ୟାୟନ ବାବଦରେ ପରିଷଦ ୫ କୋଟିରୁ ଅଧିକ ଟଙ୍କା ଖର୍ଚ କରିଥିଲେ ମଧ୍ୟ ଭବନ ନିର୍ମାଣ କରିବାକୁ କାହିଁକି ଆନ୍ତରିକତା ପ୍ରକାଶ କରାଯାଉ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରଛାତ୍ରୀଙ୍କୁ ଭୂଆଁ ବୁଲାଇବା ପାଇଁ ଏଭଳି ଏକ ଭବନର ପରିକଳ୍ପନା କରାଯାଇଥିଲା ବୋଲି ଶିକ୍ଷକ ସଙ୍ଗଠନଗୁଡ଼ିକ ମତ ଦେଇଛନ୍ତି। ସେହିପରି ୪ ବର୍ଷ ତଳେ ପରିଷଦରେ ସଂସ୍କାର ଆଣିବାକୁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ସମସ୍ତ ଉତ୍ତର ଖାତାର ଇ-ମୂଲ୍ୟାୟନ କରିବାକୁ ଯୋଜନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଉତ୍ତର ଖାତାଗୁଡ଼ିକର ଇ-ମୂଲ୍ୟାୟନ ଆରମ୍ଭ ହୋଇଛି। ଏବେ ମଧ୍ୟ ଚାଲିଛି। ପରବର୍ତୀ ସମୟରେ ଅନ୍ୟ ବିଭାଗଗୁଡ଼ିକର ଉତ୍ତର ଖାତା ଇ-ମୂଲ୍ୟାୟନ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଯେଉଁଥିପାଇଁ ମୂଲ୍ୟାୟନ ବିଳମ୍ବ ହେବା ସହ ପରୀକ୍ଷା ଫଳ ମଧ୍ୟ ବିଳମ୍ବରେ ପ୍ରକାଶ ପାଉଛି। ଏହି ଯୋଜନା କେବେ କାର୍ଯ୍ୟକାରୀ ହେବ ସେନେଇ କାହା ପାଖରେ ଖବର ନାହିଁ।
ଭିତ୍ତିପ୍ରସ୍ତରରେ ଅଟକିଛି ‘ପରୀକ୍ଷା ଭବନ’
ବାହାର ସଂସ୍ଥାକୁ ଟଙ୍କା ଗଣୁଛି ଯୁକ୍ତ୨ ପରିଷଦ, ସବୁ ବିଭାଗର ହୋଇପାରିଲାନି ଇ-ମୂଲ୍ୟାୟନ
/sambad/media/post_attachments/wp-content/uploads/2018/09/kesab-2-council.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)