ତେଜରାତି ଦୋକାନ ବି ଖାଲି କରିଦେଲେ

ଭୁବନେଶ୍ବର : କେବଳ ପରିବା ବଜାର ନୁହେଁ, ବାତ୍ୟା ୟାସ୍ ଭୟର ପ୍ରଭାବ ବି ସୋମବାର ରାଜଧାନୀର ବହୁ ଛୋଟ ତେଜରାତି ଦୋକାନ ଉପରେ ପଡ଼ିଛି। ଛୋଟ ହାଟରେ ଥିବା ତେଜରାତି ଦୋକାନକୁ ବି ଗ୍ରାହକମାନେ ଖାଲି କରି ପକାଇଛନ୍ତି। ଚାଉଳ, ଡାଲି, ତେଲ, ଅଟା, ବେସନ, ଚୁଡ଼ା, ଚିନି, ମିକ୍ସଚର ବିସ୍କୁଟ, ନୁଡୁଲୁସ୍‌ ଭଳି ସାମଗ୍ରୀ ବୋହି ନେଇଛନ୍ତି ଗ୍ରାହକମାନେ। ଫଳରେ ବଜାରରେ କୃତ୍ରିମ ଅଭାବ ଦେଖାଯାଇଛି।

ଗତ ଦୁଇ ଦିନ ଧରି ଲକ୍‌ଡାଉନ୍‌ ଲାଗୁ ହୋଇଥିବାରୁ କିଛି ଦୋକାନୀଙ୍କ ପାଖରେ ଅଧିକ ସଉଦା ନଥିଲା। ମାତ୍ର ହଠାତ୍ ଲୋକେମାନେ ବଜାରକୁ ମାଡ଼ି ଆସି ବାତ୍ୟା ଭୟରେ ଅଧିକ ପରିମାଣର ସାମଗ୍ରୀ କିଣି ନେଇଥିଲେ। ଯିଏ କିଲେ ଚୁଡ଼ା କିଣୁନଥିଲା, ଆଜି ସେ ୩ କିଲେ ଚୁଡ଼ା କିଣି ଘରେ ସାଇତିଛି। ବାତ୍ୟା ପରେ ବି ସାମଗ୍ରୀ ମିଳିବ ନ ମିଳିବ ଆଶଙ୍କାରେ ଲୋକେ ଏମିତି ଭୟଭୀତ ହୋଇ ଅଧିକ କିଣିଥିବା କହିଛନ୍ତି। ପଟିଆ ଅଞ୍ଚଳର ଜଣେ ଗ୍ରାହକ ସୁରେନ୍ଦ୍ର ସାହୁଙ୍କ କହିବା କଥା ଗତ ଫନି ବାତ୍ୟା ବେଳେ ସେ ପାଞ୍ଚ ଦିନ ବିସ୍କୁଟ ଖାଇ ରହିଥିଲେ। ତେଣୁ ଏଥର ଆଉ ସେ ଭୁଲ କରିବେ ନାହିଁ ବୋଲି ସବୁ ଜିନିଷ ଅଧିକ କିଣି ନେଇଛନ୍ତି। ପିଲାଛୁଆଙ୍କୁ ଭୋକରେ ରଖିବାକୁ କିଏ ଇଛା କରିବ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ।

ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବା କଥା ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ। ଲୋକମାନେ ବାତ୍ୟା ଭୟରେ ପ୍ରତିଯୋଗିତା କଲା ଭଳି ଅଧିକ ସାମଗ୍ରୀ ବୋହି ନେଉଛନ୍ତି। ତେଣୁ କିଛି ଛୋଟ ଦୋକାନୀଙ୍କ ପାଖରୁ ମାଲ୍ ସରି ଯାଇଥିବ। ମାତ୍ର ଭୁବନେଶ୍ବରରେ ଖାଦ୍ୟ ସାମଗ୍ରୀ ଅଭାବ ହେବ ବୋଲି ସେମିତି ଆଶଙ୍କା କରିବାର କିଛି ନାହିଁ।

ସମ୍ବନ୍ଧିତ ଖବର