ଭୁବନେଶ୍ୱର : ବାତ୍ୟା ଦୁର୍ବଳ ହୋଇଥିଲେ ମଧ୍ୟ ରାଜଧାନୀରେ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଜାରି ରହିଛି। ଏହାକୁ ଆଖି ଆଗରେ ରଖି ବିଏମ୍ସି ପ୍ରସ୍ତୁତି କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବିଶେଷକରି ରାସ୍ତାକଡ଼ରେ ଶୋଉଥିବା ଅସହାୟ ଓ ଭିକାରୀମାନଙ୍କୁ ଉଦ୍ଧାର କରାଯାଇଛି। ଆଜି ସୁଦ୍ଧା ୨୦ଜଣ ଅସହାୟଙ୍କୁ ଉଦ୍ଧାର କରାଯାଇଛି। ଏହାଛଡ଼ା ବସ୍ତି, ଜଳମଗ୍ନ ଅଂଚଳ, ଆବାସିକ ଅଂଚଳ ଓ ଆଶ୍ରୟସ୍ଥଳୀକୁ ଗୁରୁତ୍ବ ଦିଆଯାଇଛି।
ଗତକାଲି ବାତ୍ୟା ପ୍ରସ୍ତୁତି ସମୀକ୍ଷାରେ ବିଏମ୍ସି କମିସନର୍ ସଂଜୟ କୁମାର ସିଂହ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ କହିଥିଲେ। ତାଙ୍କ ପରାମର୍ଶକ୍ରମେ ବିଏମ୍ସି ଅଂଚଳରେ ଥିବା ୮ ଗୋଟି ସହରାଞ୍ଚଳ ଆଶ୍ରୟସ୍ଥଳୀ ଓ ୩ଟି ଭିକାରୀ ଥଇଥାନ କେନ୍ଦ୍ର ଚଳାଉଥିବା ସହଯୋଗୀ ଅନୁଷ୍ଠାନମାନଙ୍କୁ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପଟେ ଜଳମଗ୍ନ ଅଞ୍ଚଳର ବାସିନ୍ଦାମାନେ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଆଣିବା ପାଇଁ ସ୍ବତନ୍ତ୍ର ଅଧିକାରୀମାନେ ପ୍ରସ୍ତୁତ ରହିଛନ୍ତି। ବିଏମ୍ସି ତିନୋଟି ଜୋନ୍ ଜେଡ୍ଡିସିମାନେ ବିଭିନ୍ନ ବିପଦପୂର୍ଣ୍ଣ ଅଞ୍ଚଳ ବୁଲି ଦେଖୁଛନ୍ତି। ଅଧିକ ବର୍ଷା ହୋଇନଥିବାରୁ କୌଣସି ଅଞ୍ଚଳ ଜଳମଗ୍ନ ହୋଇନାହିଁ। ଏଣୁ ବସ୍ତିବାସିନ୍ଦାମାନଙ୍କୁ ଆଶ୍ରୟସ୍ଥଳକୁ ଆଣିବା ଆବଶ୍ୟକ ପଡ଼ି ନାହିଁ। ତେବେ ଆଜି ରାତିରେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଯଦି ସେଭଳି ପରିସ୍ଥିତି ସୃଷ୍ଟି ହୁଏ, ତେବେ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜେଡ୍ଡିସି ମହେନ୍ଦ୍ର କୁମାର ବଢେଇ (ଦକ୍ଷିଣ-ପୂର୍ବ ଜୋନ୍), ରବି ନାରାୟଣ ଜେଠି (ଦକ୍ଷିଣ-ପଶ୍ଚିମ ଜୋନ୍), ପୂରନ୍ଦର ନନ୍ଦ (ଉତ୍ତର ଜୋନ) ପ୍ରମୁଖ ବିଭିନ୍ନ ବସ୍ତି ବୁଲିଛନ୍ତି। ରାତିରେ ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ ରହିଥିବା ବରିଷ୍ଠ ଅଧିକାରୀମାନେ କହିଛନ୍ତି।
ଅନ୍ୟପଟେ ବାତ୍ୟାର ପ୍ରଭାବ ସେତେଟା ଅନୁଭୂତ ହୋଇନଥିବାରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବରକୁ ମଧ୍ୟ ସ୍ବଳ୍ପ ସଂଖ୍ୟକ ଫୋନ୍ କଲ ଆସିଛି। ତେବେ ଏହି ୨୪ଘଣ୍ଟିଆ ନମ୍ବର ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କାମ କରିବ ବୋଲି ବିଏମ୍ସି କହିଛି।