ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ୱାଟ୍‌କୋ, ଟିପିସିଓଡିଏଲ୍‌, ଇଡ୍‌କୋ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯନ୍ତ୍ରୀ, ଏନ୍‌ଏଚ୍‌ଏଆଇ, ଓଡ୍ରାଫ, ବ୍ଲକ ଶିକ୍ଷା ଅଧିକାରୀ, ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀ, ପରିବେଶ ଓ ଉଦ୍ୟାନ କୃଷିବିଭାଗ ଅଧିକାରୀ, ପ୍ରମୁଖଙ୍କୁ ନେଇ ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ସିଟି ଇଂଜିନିୟର ବିଳାସ କୁମାର ବେହେରା, ଜୋନାଲ କମିସନର କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ବାତ୍ୟାର ମୁକାବିଲା ନେଇ ଲାଇନ୍‌ ବିଭାଗୀୟ ଅଧିକାରୀମାନଙ୍କର କାର୍ଯ୍ୟ ଉପରେ ଆଲୋକପାତ କରିଛନ୍ତି। 

Advertisment

୨୩ ତାରିଖରୁ ବର୍ଷା ବଢ଼ିବାକୁ ଥିବାରୁ ତଳି ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ସମସ୍ତ ଜେଡ୍‌ଡିସି ଏହାକୁ ନିଶ୍ଚିତ କରିବେ। ବିଦ୍ୟାଳୟ ଓ କଲ୍ୟାଣମଣ୍ଡପରେ ଆଶ୍ରୟସ୍ଥଳ ପ୍ରସ୍ତୁତ କରିବେ। ଏବେ ବିଏମ୍‌ସିର ୭୨ଟି ବାତ୍ୟା ଆଶ୍ରୟସ୍ଥଳ ରହିଛି। ଆବଶ୍ୟକ ହେଲେ ଅଧିକ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯିବ। ସେଠାରେ ଅସ୍ଥାୟୀ ପାଇଖାନା, ପାନୀୟଜଳ, ଜେନେରେଟର, ଶୁଖିଲା ଖାଦ୍ୟ ଆଦି ମହଜୁଦ୍ ରହିବ। ଅନ୍ତେବାସୀଙ୍କୁ ଶୁଖିଲା ସହ ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରାଯିବ। ପ୍ରତ୍ୟେକ ଆଶ୍ରୟସ୍ଥଳରେ ପ୍ରାଥିମିକ ଚିକିତ୍ସା ଶିବିର ରହିବ। ଆବଶ୍ୟକ ପଡିଲେ ଗର୍ଭବତୀମାନଙ୍କୁ ଡାକ୍ତରଖାନାରେ ରଖିବାର ବ୍ୟବସ୍ଥା କରାଯାଇଛି। 

ଜଳବନ୍ଦୀ ଅଞ୍ଚଳରୁ ବନ୍ୟାଜଳ ନିଷ୍କାସନ ପାଇଁ ପମ୍ପସେଟ୍‌ ମହଜୁଦ୍ ରଖାଯାଇଛି। ଆବଶ୍ୟକ ପଡିଲେ ଅଗ୍ନିଶମ ବିଭାଗର ପମ୍ପସେଟ ବ୍ୟବହାର କରାଯିବ। ଗଛ, ଡାଳ ଭାଙ୍ଗିଲେ ଓଡ୍ରାଫ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବ। ଗଛହାଲଗୁଡ଼ିକ ଗଦା କରିବା ପାଇଁ ଜେଡ୍‌ଡିସି ଜାଗା ଚିହ୍ନଟ କରିବେ। ବିଦ୍ୟୁତ୍‌ ଖୁଣ୍ଟ, ମୋବାଇଲ୍‌ ଟାୱାର ଭାଙ୍ଗିଲେ ସମ୍ପୃକ୍ତ ବିଭାଗ ପୁନରୁଦ୍ଧାର ପାଇଁ ସଜାଗ ରହିବ। ଜରୁରୀକାଳୀନ ପରିସ୍ଥିତିରେ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଜେନେରେଟର ପ୍ରସ୍ତୁତ ରଖାଯାଇଥିବା ଟିପିସିଓଡିଏଲ୍‌ ସୂଚନା ଦେଇଛି। ଆଘାତପ୍ରାପ୍ତ ପଶୁମାନଙ୍କୁ ୧୦ ଅସ୍ଥାୟୀ ଆଶ୍ରୟସ୍ଥଳରେ ରଖାଯାଇ ଚିକିତ୍ସା ସେବା ଯୋଗାଇ ଦେବାକୁ ସବ୍‌ଡିଭିଜିନାଲ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ପାନୀୟ ଜଳଯୋଗାଣ ପାଇଁ ୱାଟ୍‌କୋ ସିନ୍ଥେକ୍ସ ଟ୍ୟାଙ୍କ ଓ ଟ୍ୟାଙ୍କର ବ୍ୟବସ୍ଥା କରିବ। ଦରକାର ହେଲେ ଘରୋଇ ଟ୍ୟାଙ୍କର କାର୍ଯ୍ୟରେ ଲଗାଇବ। ସହାୟତା ପାଇଁ ବିଏମ୍‌ସି ମୁଖ୍ୟକାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିବ। ୧୯୨୯ କିମ୍ବା ୭୮୦୯୮୯୬୬୨୧କୁ ଫୋନ୍‌ କଲେ ସହାୟତା ଯୋଗାଇ ଦିଆଯିବ।