ପୁଲିସର ବାତ୍ୟା ପ୍ରସ୍ତୁତି: ରାଜଧାନୀର ସବୁ ଥାନା ଆଲର୍ଟ ରହିବାକୁ ନିର୍ଦ୍ଦେଶ

ରହିବ ଜେନେରେଟର, ଲାଇଟ୍, ପାଵାର କଟର, ଗାଡ଼ି
ଫାଇଲ, କମ୍ପ୍ୟୁଟର ସୁରକ୍ଷିତ ରଖିବା ନେଇ ଗୁରୁତ୍ବ

ଭୁବନେଶ୍ବର : ବାତ୍ୟା ୟାସ୍‌ ମୁକାବିଲା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯେମିତି ସାଧାରଣ ଲୋକଙ୍କ ସେବାରେ କୌଣସି ଅସୁବିଧା ନ ହୁଏ ତା’ ଉପରେ ଦୃଷ୍ଟି ଦିଆଯାଇଛି। ରାଜଧାନୀର ସମସ୍ତ ଥାନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ୨୪ ଘଣ୍ଚିଆ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାପ୍ତ ଲାଇଟ୍ ମହଜୁଦ୍ ରଖାଯିବା ସହ ପାଵାର କଟର ରଖାଯାଇଛି। ସେହିପରି ଗାଡ଼ିରେ ତେଲ ଫୁଲ୍ ରଖାଯିବା ନେଇ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି।

ଅନ୍ୟପକ୍ଷରେ ଥାନାରେ ଲାଗିଥିବା ହୋର୍ଡିଂକୁ ଖୋଲିଦେବା କୁହାଯାଇଛି। ସେହିପରି ଫାଇଲ ଓ କମ୍ପ୍ୟୁଟର ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନାକାରେ ଥିବା ବାରିକେଡ୍‌କୁ ଭଲ ଭାବରେ ବନ୍ଧା ଯାଇଛି। ପବନ ସମୟରେ ଏହି ବାରକେଡ୍ ଉଡ଼ି ଯାଇ କେହି ଯେପରି ଆହତ ନ ହୁଅନ୍ତି ତାହା ଉପରେ ଗୁରୁତ୍ବ ଦିଆଯାଇଛି। ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ କରାଯାଇଥିବା ବେଳେ ଥାନା ଛାଡ଼ି ନ ଯିବା ଲାଗି ନିର୍ଦ୍ଦେଶ ରହିଛି। ବିଏମସିର ଯେଉଁଠି ସହାୟତା ଆବଶ୍ୟକ ପଡ଼ିବ ପୁଲିସ ପକ୍ଷରୁ ଯୋଗାଇ ଦିଆଯିବ। ବାତ୍ୟା ପରବର୍ତ୍ତୀ ମୁକାବିଲାରେ ସମସ୍ତ ସହଯୋଗ କରାଯିବ।

ସୂଚନାଯୋଗ୍ୟ, ବାତ୍ୟା ଫନି ସମୟରେ ପୂରା ଅପ୍ରସ୍ତୁତ ହୋଇ ରହିଥିଲା କମିସନରେଟ ପୁଲିସ। ବାତ୍ୟା ପରବର୍ତ୍ତୀ ସମୟରେ ଥାନା ଅନ୍ଧାର ହୋଇଯିବା ସହ ବିଦ୍ୟୁତ ସ୍ବାଭାବିକ ହେବା ପର୍ଯ୍ୟନ୍ତ ପୁଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର