ଜଟଣୀ: ଜଟଣୀ ବ୍ଲକ୍ କାର୍ଯ୍ୟାଳୟ ନିକଟସ୍ଥ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ଗୋଦାମ ଘର ଏବେ ବିପଦସଂକୁଳ ଅବସ୍ଥାରେ। ରକ୍ଷଣାବେକ୍ଷଣ ଅଭାବରୁ ସଟର୍ ଝରକା ସବୁ ଭାଙ୍ଗିରୁଜି ଗଲାଣି। ପରିସର ପାଲଇଯାଇଛି ଗାଡ଼ି ପାର୍କିଂସ୍ଥଳ। ବୁଲା ଗୋରୁଙ୍କ ଅବାଧ ପ୍ରବେଶ ସାଙ୍ଗକୁ ସଂଜ ବୁଡ଼ୁବୁଡୁ ଜମିଯାଉଛି ନିଶାଡ଼ିଙ୍କ ଆସର। ବିଳମ୍ବିତ ରାତିରେ ଅସାମାଜିକ ତତ୍ତ୍ବମାନେ ଏଇଠି ଏକାଠି ହୋଇ ଅପରାଧର ନୀଳନକ୍ସା ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଆସୁଛି। ଆଗକୁ ସାମୁଦ୍ରିକ ବାତ୍ୟା ‘ମୋଚା’ ଆସିବାର ଆଶଙ୍କା ପ୍ରକାଶ ପାଇଛି। ଯଦି ସତକୁ ସତ ବାତ୍ୟା ଭୟଙ୍କର ରୂପ ନିଏ, ଲୋକଙ୍କୁ ଏହି ଆଶ୍ରୟସ୍ଥଳୀରେ ରଖିବା ସମ୍ଭବ ହେବ ନାହିଁ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି। ଗୋଦାମ ଘର ସ୍ଥିତି ଏମିତି ଯେ ସେଥିରେ ରିଲିଫ୍ ସାମଗ୍ରୀ ମହଜୁଦ୍ ରଖିବା ବି ସମ୍ଭବ ହେବ ନାହିଁ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବିଭାଗୀୟ ଉଦାସୀନତା ଯୋଗୁ ଏହି ବାତ୍ୟା ଆଶ୍ରୟସ୍ଥଳୀର ଅବସ୍ଥା ଶୋଚନୀୟ ହୋଇଗଲାଣି। କ୍ୟାମ୍ପସ୍ ପରିସର ସମେତ ବିଲ୍ଡିଂ ଅବସ୍ଥା ବଡ଼ କଦର୍ଯ୍ୟ ହୋଇପଡ଼ିଛି। ମୁଖ୍ୟ ଗେଟ୍ ଦିନରାତି ଖୋଲାମେଲା ରହୁଥିବାରୁ ଯିଏ ଯେତେବେଳେ ପାରିଲା ଅବାଧରେ ଭିତରେ ପଶୁଛି। ଗୋଦାମ ଘରର ସଟରଗୁଡ଼ିକ ସବୁ ଭାଙ୍ଗି ଯାଇଥିବାରୁ ଲୋକମାନେ ସେଠାରେ ଗାଡ଼ି ପାର୍କିଂ କରୁଛନ୍ତି। କେହି ଜଗିବାକୁ ନଥିବାରୁ ଭଙ୍ଗା ସଟର୍ଗୁଡ଼ିକ ଦୁର୍ବୃତ୍ତମାନେ ଲୁଟିନେଲେଣି। କ୍ୟାମ୍ପସ ପରିସରରେ ଲାଇଟ୍ ଜଳୁ ନଥିବାରୁ ସନ୍ଧ୍ୟା ହେଲେ ଅସାମାଜିକ ଲୋକଙ୍କ ପାଇଁ ଆଡ଼ା ଜମୁଛି।
ପରିସର ଭିତରେ ପୁଳାପୁଳା ମଦ ବୋତଲ ଗଡ଼ୁଛି। ସେଇଠୁ ସଟର୍ ତାଡ଼ି କବାଡ଼ିଆଙ୍କୁ ବିକି ମଦ ମାଂସର ଆସର ଚାଲୁଛି। ସୂଚନାଯୋଗ୍ୟ ଯେ, କରୋନା ସଂକଟ ବେଳେ ଏଠାରେ କୋଭିଡ୍ କେୟାର୍ ଚାଲିଥିଲା। ସବୁ କିଛି ଠିକ ଥିଲା। ମାତ୍ର କୋଭିଡ୍ କେୟାର୍ ସେଣ୍ଟର ବନ୍ଦ ହୋଇଯିବା ପରେ ଆଉ କେହି ନଜର ଦେଲେ ନାହିଁ। ବଡ଼କଥା ହେଉଛି ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଥାଇ ବି ଏହାକୁ ଅଣଦେଖା କରାଯାଉଛି। ଅଧିକାରୀଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧିମାନେ ସବୁ ଦେଖୁଛନ୍ତି, କିନ୍ତୁ ସମସ୍ତେ ନ ଦେଖିବାର ଅଭିନୟ କରୁଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ସରୋଜ କୁମାର ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମରାମତି ପାଇଁ ଯୋଜନା କରାଯାଇଛି ଏବଂ ଅନୁଦାନ ଆସିଲେ, କାମ ଆରମ୍ଭ କରାଯିବ। ହେଲେ ଅନ୍ୟ ସମସ୍ୟା ବିଷୟରେ ସେ ଅବଗତ ନଥିବା କହିଛନ୍ତି।