ଭୁବନେଶ୍ବର: ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳମାନେ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ଚିରାଚରିତ ଢଙ୍ଗରେ ତୁହାକୁ ତୁହା ପ୍ରଚାର, ଶୋଭାଯାତ୍ରା ଓ କର୍ମୀ ସମ୍ମିଳନୀ ଚାଲିଛି। ଭୋଜିଭାତ, ଖିଆପିଆରେ ବି କର୍ମୀଙ୍କୁ ଖୁସି କରାଯାଉଛି। ଏଥିସହ ପୋଷ୍ଟର, ବ୍ୟାନର, ହୋଡିଂ ମଧ୍ୟ ଲଗାଯାଉଛି। କିନ୍ତୁ ଯୁଗ ସହ ତାଳ ଦେଇ ଏସବୁ ଅପେକ୍ଷା ଏଥର ଡିଜିଟାଲ୍ ପ୍ରଚାରକୁ ଅଧିକ ଗୁରୁତ୍ବ ଦେଇଛନ୍ତି ପ୍ରାୟ ସବୁ ରାଜନୈତିକ ଦଳ। ଦଳର ଆଭିମୁଖ୍ୟ ପ୍ରଚାର ସହିତ ବିରୋଧୀଙ୍କୁ ଜବାବ ଦେବାକୁ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଖୋଲା ଯାଇଛି ଶତାଧିକ ପେଜ୍। ଯେଉଁଥିରେ ଶହଶହ ଯୁବକ ଯୁବତୀଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିଛି। ଖର୍ଚ୍ଚ ହେଉଛି ଶହ ଶହ କୋଟି ଟଙ୍କା।
ଡିଜିଟାଲ୍ ପ୍ରଚାର ପାଇଁ ଆଗଧାଡ଼ିର ରାଜନୈତିକ ଦଳ ଓ ନେତାମାନେ ଏକ ସ୍ବତନ୍ତ୍ର ବଜେଟ୍ ପ୍ରସ୍ତୁତ କରିଛନ୍ତି। ସେଥିରେ ନିର୍ବାଚନ ଖର୍ଚ୍ଚର ଏକ ସିଂହଭାଗ ଟଙ୍କା ବିନିଯୋଗ କରାଯାଉଛି। ଦଳର ଡିଜିଟାଲ୍ ପ୍ରଚାର ମଙ୍ଗ ଧରିଛନ୍ତି ରାଜ୍ୟ ବାହାରର କିଛି ଏଜେନ୍ସି। ଦିଲ୍ଲୀ ଓ ମୁମ୍ବାଇରୁ ଏହି ଏଜେନ୍ସିମାନେ ଦଳ ପାଇଁ କାମ କରୁଛନ୍ତି। ମୁଖ୍ୟତଃ ଭଲ ଓଡ଼ିଆ ଲେଖା, ପଢ଼ା ଜାଣିଥିବା ଓ କହି ପାରୁଥିବା ପିଲାଙ୍କୁ ଭଲ ଦରମାରେ ନିଯୁକ୍ତି ଦେଇଛନ୍ତି ଏହି ଏଜେନ୍ସି। ଏଥି ମଧ୍ୟରେ ଓଡ଼ିଶାର ଆଗଧାଡ଼ିର ଲେଖକ, ସାମ୍ବାଦିକ, ସିନେମା ନିର୍ଦ୍ଦେଶକ, ଡିଜିଟାଲ୍ ଏକ୍ସପର୍ଟ ଟିମ୍, କ୍ୟାମେରା ଟିମ୍, ଗ୍ରାଫିକ୍ସ ଡିଜାଇନର, ଭିଜୁଆଲ୍ ଏଡିଟର ପ୍ରମୁଖଙ୍କୁ ସାମିଲ କରାଯାଇଛି।
୨୦୨୪ ସାଧାରଣ ନିର୍ବାଚନର ପ୍ରାୟ ୨ ବର୍ଷ ପୂର୍ବରୁ ସାମାଜିକ ଗଣମାଧ୍ୟମ ଫେସ୍ବୁକ୍, ୟୁଟ୍ୟୁବ୍, ଏକ୍ସ, ଇନ୍ଷ୍ଟାଗ୍ରାମ୍ରେ ରାଜନୈତିକ ଦଳ ଓ ବଡ଼ ନେତାଙ୍କର ଫ୍ୟାନ୍ ପେଜ୍ ଖୋଲା ଯାଇଛି। ସମୟକ୍ରମେ ପେଜ୍ଗୁଡ଼ିକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ସବୁ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବାକୁ ବର୍ତ୍ତମାନ ଏହିସବୁ ପେଜ୍ରେ ପ୍ରତିଦିନ ଶହ ଶହ ପୋଷ୍ଟ କରାଯାଉଛି। ଶାସକ ଦଳ ବିଜେଡି ପକ୍ଷରୁ ବିଭିନ୍ନ ବିକାଶ ମୂଳକ ଯୋଜନା ଓ ଦଳର ସୁପ୍ରିମୋଙ୍କ ଭାବମୂର୍ତ୍ତି ସହ ବିଚାରଧାରାକୁ ନେଇ ସୁନ୍ଦର ଡିଜାଇନ୍ର ଫଟୋ ଓ ଗ୍ରାଫିକ୍ସ ସାହାଯ୍ୟରେ ଆକର୍ଷଣୀୟ ଭିଡ଼ିଓ ପ୍ରସ୍ତୁତ କରାଯାଇ ପୋଷ୍ଟ କରାଯାଉଛି। ଏଥିସହ ତାଙ୍କର ପ୍ରଚାର ଓ ବାର୍ତ୍ତା ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଯାଉଛି। କଂଗ୍ରେସ ଦଳ ନିଜର ଆଭିମୁଖ୍ୟ ସହ ବିଜେପି ଓ ବିଜେଡି ସରକାରଙ୍କ ବିଫଳତାକୁ ପଦାକୁ ଆଣୁଛି। ସେହିପରି ବିଜେପିର ଡିଜିଟାଲ୍ ଟିମ୍ ଓଡ଼ିଶାରେ ମୁଖ୍ୟତଃ ଶାସକ ଦଳକୁ ଟାର୍ଗେଟ କରି ପୋଷ୍ଟ କରୁଛି।
ଶାସକ ଦଳର ପ୍ରତିଟି ଦୋଷ ଦୁର୍ବଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲାଗି ପଡ଼ିଛି ବିଜେପି ଡିଜିଟାଲ୍ ମିଡିଆ ଟିମ୍। ମୁଖ୍ୟତଃ ଓଡ଼ିଶା କଂଗ୍ରେସ, ବିଜେପି ଓଡ଼ିଶା, ଜବାବ ମାଗୁଛି ଓଡ଼ିଶା, ବିଲୁଆ ବିଚାର-ମୋଦି କା ପରିବାର, ଛାମୁ, ହେଇଟି ଭାଇନା, ମଞ୍ଜକଥା, ନବୀନ ଓଡ଼ିଶା, ନବୀନ ଓଡ଼ିଶା ଅଫିସିଆଲ୍, ଶଙ୍ଖ, ପରଖିଛୁ ଯାହାକୁ ବାଛିବୁ ବି ତାହାକୁ, ଓଡ଼ିଆ ଅସ୍ମିତା, ନୂଆ ଓଡ଼ିଶା- ନବୀନ ଓଡ଼ିଶା, ସୁବର୍ଣ୍ଣ ଓଡ଼ିଶା, ବିଜେଡି ଆଇଟି ୱିଂଗ୍ ଭଳି ଶତାଧିକ ପେଜ୍ ଏବେ ଭାରି ସକ୍ରିୟ ଥିବାର ଦେଖିବାକୁ ମିଳୁଛି। ଏହାବାଦ୍ ନିର୍ବାଚନ ଲଢ଼ୁଥିବା ପ୍ରାୟ ସବୁ ପ୍ରାର୍ଥୀଙ୍କର ଦୁଇ ତିନିଟି ଲେଖାଏଁ ଫ୍ୟାନ୍ ପେଜ୍ ରହିଛି। କେବଳ ଓଡ଼ିଶାରେ ୫ ହଜାରରୁ ଅଧିକ ଫ୍ୟାନ୍ ପେଜ୍ ରହିଛି। ଏବେ ବିଷୟବସ୍ତୁକୁ ନେଇ ଭିଡ଼ିଓ ପ୍ରସ୍ତୁତ କରାଯାଉଛି। ୨୫ରୁ ୩୦ ସେକେଣ୍ଡ ଭିଡ଼ିଓ ପାଇଁ ଦିଆଯାଉଛି ୩ରୁ ୫ ଲକ୍ଷ ଟଙ୍କା। ଗୋଟିଏ ଗୋଟିଏ ଦଳ ୨୦୦ରୁ ଅଧିକ ଭିଡ଼ିଓ ତିଆରି କରିଥିବା ଜଣା ପଡ଼ିଛି। ଏବେ ବି ଆହୁରି ତିଆରି ଚାଲିଛି ଓ ପୋଷ୍ଟ୍ ହେଉଛି। ଏଥିରେ ଅଭିନୟ କରୁଥିବା କଳାକାରଙ୍କୁ ୨୦ ହଜାରୁ ଅଧିକ ପାରିଶ୍ରମିକ ମିଳୁଛି। ସେହିପରି ନିର୍ବାଚନୀ ଗୀତ ପାଇଁ ମଧ୍ୟ ୨ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଛି। ଏଜେନ୍ସିରୁ ଇନ୍ପୁଟ୍ ଆସିବା ପରେ ଦଳ ପକ୍ଷରୁ ଗଢ଼ା ହୋଇଥିବା ଆଇଟି ସେଲ୍ ପକ୍ଷରୁ ଦଳୀୟ କର୍ମୀ ଓ ମୁଖ୍ୟତଃ ଦଳ ପାଇଁ ସୋସିଆଲ ମିଡିଆରେ କାମ କରୁଥିବା କର୍ମୀମାନେ ସାମାଜିକ ଗଣମାଧ୍ୟମରେ ତାହାକୁ ତୁରନ୍ତ ଅପ୍ଲୋଡ୍ କରିବା ସହ ହ୍ବାଟ୍ସଅପ୍ ଗ୍ରୁପ୍ରେ ସେୟାର୍ କରୁଛନ୍ତି।