କଟାମୁଣ୍ଡ ପଛର କାହାଣୀ : କେମିତି ଭେଦିଲେ ରହସ୍ୟ…

ଠିକ୍ ସାତ ଦିନ ତଳେ ଚନ୍ଦକା-ଦାସପୁର ରାସ୍ତାରୁ ମିଳିଥିଲା ଜଣେ ପରିଚୟହୀନ ମହିଳାଙ୍କ ମୁଣ୍ଡବିହୀନ ଶବ। ଏହାକୁ ନେଇ ଖାଲି ଭୁବନେଶ୍ବର ନୁହେଁ; ସାରା ରାଜ୍ୟରେ ସୃଷ୍ଟି ହୋଇଥିଲା ଆଲୋଡ଼ନ। କିଏ ଏହି ମହିଳା? କିଏ ଓ କାହିଁକି ତାଙ୍କୁ ଏମିତି ନୃଶଂସ ଭାବେ ହତ୍ୟା କଲା? ମହିଳାଙ୍କ ପରିଚୟ ଖୋଜିବା ଏବଂ ହତ୍ୟାକାରୀ ପାଖରେ ପହଞ୍ଚିବା ଥିଲା କମିସନରେଟ୍‌ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ। ଯେତେ ଖୋଜିଲେ ବି କଟାମୁଣ୍ଡ ମିଳୁ ନ ଥିଲା କି ମହିଳାଙ୍କ ପରିଚୟ ଜଣା ପଡ଼ୁ ନ ଥିଲା। ତେଣୁ ଏହି ବୀଭତ୍ସ ହତ୍ୟାକାଣ୍ଡର ରହସ୍ୟ ଭେଦ କରି ପାରୁ ନ ଥିଲା କମିସନରେଟ୍ ପୁଲିସର ୫ଟି ଟିମ୍। ହେଲେ ନିଜ ଉପରୁ ବିଶ୍ବାସ ହରାଇ ନ ଥିଲା । ଶେଷରେ ନିରନ୍ତର ଉଦ୍ୟମ ଓ ଠିକଣା ରଣନୀତି ବଳରେ ପୁଲିସ ସପ୍ତମ ଦିନରେ ରହସ୍ୟ ଉପରୁ ପରଦା ଉଠାଇବାରେ ସମର୍ଥ ହେଲା।

ହତ୍ୟାକାରୀ ନିକଟରେ ଏମିତି ପହଞ୍ଚିଲା ପୁଲିସ
୧୦ ତାରିଖ ଅପରାହ୍ଣରେ ମୃତ ପୁଷ୍ପଲତାଙ୍କ ମା’ ମିନତି ଓ ପୁଷ୍ପଲତାଙ୍କ ସ୍ବାମୀ ପ୍ରୀତିରଞ୍ଜନ ଡିସିପିଙ୍କ ଅଫିସ୍‌ରେ ପହଞ୍ଚି ଶବ ଚିହ୍ନଟ କରିବା ପରେ ପୁଲିସ ତତ୍ପର ହୋଇ ଉଠିଥିଲା। ମୃତଦେହ ଚିହ୍ନଟ ହୋଇଯାଇଛି ବୋଲି ଜାଣିପାରିଲେ ଅଭିଯୁକ୍ତ ଅଙ୍ଗଦ ଫେରାର ହେବା ଆଶଙ୍କା ରହିଥିଲା। ତେଣୁ ପୁଲିସ ଉଭୟଙ୍କୁ ନିଜ ହେପାଜତକୁ ନେଇଥିଲା। ଏହାପରେ ଅଭିଯୁକ୍ତର ମୋବାଇଲ ଫୋନ୍‌ ଟ୍ରାକିଂ କରାଯା‌ଇଥିଲ‌ା। ମୋବାଇଲ ଦଶପଲ୍ଲାରେ ଥିବା ଜାଣିବା ପରେ ୩ଟି ଟିମ୍‌ ରାତାରାତି ଦଶପଲ୍ଲା ପହଞ୍ଚିଥିଲା। ଦଶପଲ୍ଲା ବଜାରରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ମୋବାଇଲର ଲୋକେସନ୍ ଦେଖାଉଥିଲା। ଗୋଟିଏ ଟିମ୍‌ ମୋବାଇଲ ଲୋକେସନଠାରୁ ପ୍ରାୟ ୧ କିଲୋମିଟର ଦୂରକୁ ଯାଇ ବାଟ ଜଗିଥିବା ବେଳେ ଆଉ ଦୁଇଟି ଟିମ୍‌ ଲୋକେସନରେ ପହଞ୍ଚିଥିଲେ। ରାସ୍ତାକଡ଼ରେ ଥିବା ଏକ ଜଳାଶୟରୁ ପାଣି ଆଣି ଅଙ୍ଗଦ ଗାଡ଼ି ଧୋଉଥିବାବେଳେ ସହଯୋଗୀ ସାଙ୍ଗ ଶ୍ରୀକାନ୍ତ ମୋବାଇଲରେ ଗେମ୍‌ ଖେଳୁଥିଲା। ଉଭୟଙ୍କ ଫଟୋ ପୁଲିସ ପାଖରେ ଥିବାରୁ ସେମାନଙ୍କୁ କାବୁ କରିବାରେ ସମସ୍ୟା ହୋଇନଥିଲା। ବୋଲେରୋ ଜବତ କରିବା ସହ ଉଭୟଙ୍କୁ ଭୁବନେଶ୍ବର ଉଠାଇ ଆଣିଥିଲା ସ୍ପେସାଲ ସ୍କ୍ବାଡ୍‌ ଟିମ୍‌।

ଆମଫୋଇରେ ବାହାଘର ବେଳେ ସ୍ବାମୀ ପ୍ରୀତିରଞ୍ଜନଙ୍କ ସହ ପୁଷ୍ପଲତାଙ୍କ ଫାଇଲ୍‌ ଫଟୋ

ଚିହ୍ନାଇଦେଲା ତ୍ରିଶୂଳ ଟାଟୁ
ମୁଣ୍ଡବିହୀନ ଶବରେ ଏକ ତ୍ରିଶୂଳ ଟାଟୁ ଥିବା ଜା‌ଣିବାକୁ ପାଇ ପୁଷ୍ପଲତାଙ୍କ ସ୍ବାମୀ ପ୍ରୀତିରଞ୍ଜନଙ୍କର ସନ୍ଦେହ ହୋଇଥିଲା। ତେଣୁ ସେ ପୁଷ୍ପଲତାଙ୍କ ମା’ ମିନତିଙ୍କୁ ଖବର ଦେଇଥିଲେ। ତାଙ୍କର ମଧ୍ୟ ସନ୍ଦେହ ହେବାରୁ ଦୁହେଁ ଡିସିପି ଅଫିସ୍‌ ଯାଇଥିଲେ। ସେଠାରେ ସେ ଝିଅର ଶବକୁ ଚିହ୍ନଟ କରି ଫଟୋ ଦେଖାଇଥିଲେ।

ସ୍ଥାନୀୟ ଲୋକେ ତାତିଲେ: ଆମକୁ ଅଧଘଣ୍ଟେ ଛାଡ଼ିଦିଅ
ପୁଷ୍ପଲତାକୁ ହତ୍ୟା କରିବା ପରେ ମୁଣ୍ଡକୁ ଅତି ନୃସଂଶ ଭାବରେ କାଟି ନେଇଥିଲା ଅଙ୍ଗଦ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଅଙ୍ଗଦ ଉପରେ ସାଧାରଣ ଲୋକଙ୍କର ଘୃଣାଭାବ ସୃଷ୍ଟି ହୋଇଥିଲା। ଅ‌ାଜି ଦୁଇ ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ‌େଲାକେ କ୍ରୋଧାନ୍ବିତ ହୋଇ ପାଟି କରିଥିଲେ,‘ସେମାନଙ୍କର ମୁହଁ ଖୋଲ, ଆମକୁ ଅଧଘଣ୍ଟେ ପାଇଁ ଦେଇଦିଅ। ଆମେ ତାଙ୍କ କଥା ବଝିବୁ।’ କେହିକେହି ‘ମାର ମାର’ ବୋଲି ହଲ୍ଲା କରିଥିଲେ। ଫଳରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

ହତ୍ୟାକାରୀ ସମ୍ପର୍କୀୟ ଦିଅର
ପୁଷ୍ପଲତାଙ୍କ ସହ ଲିଭ୍‌ଇନ୍‌ ସମ୍ପର୍କରେ ରହୁଥିବା ଅଭିଯୁକ୍ତ ଅଙ୍ଗଦ ହେଉଛି ତାଙ୍କ ସମ୍ପର୍କୀୟ ଦିଅର। ପୁଷ୍ପଲତାଙ୍କ ତିନି ଭଉଣୀ। ଏମାନେ ତିନି ଭାଇଙ୍କୁ ବିବାହ କରିଥିଲେ। ସମ୍ପର୍କୀୟ ଦିଅର ଭାବେ ଅଙ୍ଗଦ ତାଙ୍କ ଘରକୁ ଯିବାଆସିବା କରୁଥିବାରୁ ପୁଷ୍ପଲତାଙ୍କ ସହ ସମ୍ପର୍କ ହୋଇଥିଲା। ସେହି ସମ୍ପର୍କରୁ ସେ ତାଙ୍କ ଘରେ ଭଡ଼ାରେ ରହୁଥିଲା।

ସାତ ଦିନରେ ସଫଳତା
ମୁଣ୍ଡବିହୀନ ଶବ ମିଳିବା ପରେ ପୁଲିସର ନିଦ ହଜି ଯାଇଥିଲା। କାରଣ ହତ୍ୟାକାରୀ କୌଣସି ପ୍ରମାଣ ଛାଡ଼ି ନ ଥିଲା। ପୁଲିସ ପାଖରେ ବଡ଼ ସମସ୍ୟା ଥିଲା ମହିଳାଙ୍କ ପରିଚୟ ଜାଣିବା। ଦିନ ଯେତେ ଗଡ଼ୁଥିଲା, ଟେନ୍‌ସନ୍‌ ସେତେ ବଢ଼ୁଥିଲା। ସ୍ପେସାଲ ସ୍କ୍ବାଡ୍‌ ଏସିପିଙ୍କ ସମେତ ୫ଟି ଟିମ୍‌ରେ ୩୦ ଅଧିକାରୀ ଏ କାମରେ ଲାଗିଥିଲେ। ଫରେନ୍‌ସିକ୍‌ରୁ ସଂଗୃହୀତ ପ୍ରମାଣ, ସନ୍ଧାନୀ କୁକୁର, ବ୍ୟବଚ୍ଛେଦ ରିପୋର୍ଟ, ୫ଟି ଟିମ୍‌ର ରାଜ୍ୟ ବାହାରେ ଛାନ୍‌ଭିନ୍‌, କିଛି କାଟୁ କରିନଥିଲା। ଶେଷରେ ପୋଷ୍ଟର କାମ ଦେଇଥିଲା। ବସ୍ତିରେ ପୋଷ୍ଟର ଲଗିବା ପରେ ପୁଷ୍ପଲତାଙ୍କ ମା’ ଙ୍କ ଜରିଆରେ ୯ ତାରିଖ ସନ୍ଧ୍ୟାରେ ପୁଲିସ ପାଖରେ ସୂଚନା ପହଞ୍ଚିଥିଲା। ଖବର ପହଞ୍ଚିବାର ୭ ଘଣ୍ଟା ମଧ୍ୟରେ ଠାବ ହୋଇଥିଲା ଅଭିଯୁକ୍ତ। ଶୂନ୍‌ରୁ ତଦନ୍ତ ଆରମ୍ଭ କରିଥିବା କମିସନରେଟ୍‌ ପୁଲିସ ୭ ଦିନ ମଧ୍ୟରେ ରହସ୍ୟ ଭେଦ କରିବାକୁ ସମର୍ଥ ହୋଇଥିଲା

ଲୋକେ ଭରସା ରଖନ୍ତୁ: ସିପି
ଏହି ଘଟଣାରେ କମିସନରେଟ୍‌ ପୁଲିସକୁ ୭ ଦିନ ମଧ୍ୟରେ ବଡ଼ ସଫଳତା ମିଳିଛି। ଏଥିରେ ଡିସିପି ଉମାଶଙ୍କର ଦାଶ, ସ୍ପେସାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀ, ଏସିପି-୬ ପ୍ରକାଶ ଚନ୍ଦ୍ର ପାଲ, ଚନ୍ଦକା ଥାନା ଇନ୍ସପେକ୍ଟର ଦେବେନ୍ଦ୍ର ବିଶ୍ବାଳ ପ୍ରମୁଖଙ୍କ ସମେତ ୩୦ କର୍ମଚାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଏଣୁ ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ; ‘ଲୋକେ ଭରସା ରଖନ୍ତୁ, କମିସନରେଟ୍‌ ପୁଲିସ ସେମାନଙ୍କର ସୁରକ୍ଷା ପାଇଁ ଅବିରତ ପରିଶ୍ରମ କରୁଛି।’

ଘଟଣାସ୍ଥଳ ଲୋକାରଣ୍ୟ
ମୁଣ୍ଡବିହୀନ ଶବ ମିଳିବା ଖବର ସକାଳୁ ସକାଳୁ ରାଜଧାନୀରେ ଚହଳ ପକାଇଥିଲା। ସମସ୍ତଙ୍କର ନଜର ଏହି ଘଟଣା ଉପରେ ଥିଲା। କିଏ ମାରିଲା? କେମିତି ମାରିଲା? କାହିଁକି ମାରିଲା? ଜାଣିବା ପାଇଁ ସମସ୍ତଙ୍କ ମନରେ କୌତୂହଳ ଥିଲା। ଆଜି ମଧ୍ୟାହ୍ନରେ ଦୁଇ ଅଭିଯୁକ୍ତଙ୍କୁ ନେଇ ପୁଲିସ ଚନ୍ଦକା-ଦାସପୁର ରାସ୍ତାର ଘଟଣାସ୍ଥଳକୁ ଯାଇଥିଲେ। ଏହି ଖବର ପ୍ରଚାର ହୋଇଯିବାରୁ ଅ‌ାଖପାଖରୁ ଶହଶହ ଲୋକ ଘଟଣାସ୍ଥଳକୁ ଛୁଟି ଆସିଥିଲେ। ଅଭିଯୁକ୍ତମାନେ ସେଠାରେ କଟାମୁଣ୍ଡ ପଡ଼ିଥିବା ଜାଗା ଚିହ୍ନଟ କରିଥିଲେ। କେଉଁଠି ଗାଡ଼ି ରଖିଥିଲେ, କେଉଁଠି ବେକ କାଟିଥିଲେ, କେଉଁଠି ମୁଣ୍ଡ ଫିଙ୍ଗିଥିଲେ ସେ ସବୁ ଦେଖାଇଥିଲେ। ଏହି ପ୍ରକ୍ରିୟା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଲୋକମାନେ ମଧ୍ୟ ସେମାନଙ୍କ ପଛେ ପଛେ ରହିଥିଲେ। ଲୋକଙ୍କ ଭିଡ଼ ଯୋଗୁଁ ଭରତପୁର-ଚନ୍ଦକା ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ପୁଲିସ ରାସ୍ତାରେ କର୍ଡନ କରି ଉଭୟ ଅଭିଯୁକ୍ତଙ୍କୁ ନେବା ସହ ଟ୍ରାଫିକ୍‌ ପରିଚାଳନା କରିବା ପାଇଁ ନୟାନ୍ତ ହୋଇଥିଲା।

କଟାମୁଣ୍ଡ ସହ ଆଉ ଥରେ ହେବ ଶବ ବ୍ୟବଚ୍ଛେଦ
ପୂର୍ବରୁ ଦୁଇଦୁଇ ଥର ବ୍ୟବଚ୍ଛେଦ ହୋଇଥିଲା। ଏବେ କଟାମୁଣ୍ଡ ମିଳିବା ପରେ କଟାମୁଣ୍ଡ ସହିତ ମହିଳାଙ୍କ ମୃତଦେହର ତୃତୀୟ ଥର ବ୍ୟବଚ୍ଛେଦ ହେବ ଏବଂ ଭିସେରା ରିପୋର୍ଟ ଆଧାରରେ ମୁଣ୍ଡ ସମ୍ପୃକ୍ତ ଶରୀରର ବୋଲି ସ୍ପଷ୍ଟ ହେବ। କମିନସନରେଟ୍‌ ପୁଲିସ ଇତିହାସରେ ଏପରି ଘଟଣା ପୂର୍ବରୁ କେବେ ଘଟିନାହିଁ।

ଘଟଣାକ୍ରମ
୪ ଫେବ୍ରୁଆରି: ସକାଳ ସାଢ଼େ ୬ଟା। ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରେ ଜଣେ ମହିଳାଙ୍କ ପୋଷାକପତ୍ର ପଡ଼ିଥିବା ଦେଖି ଅନ୍ଧାରୁଆ ଗ୍ରାମର କିଛି ଲୋକ କୌତୂହଳ ବଶତଃ ପାଖକୁ ଯାଇଥିଲେ। ରାସ୍ତାକଡ଼ ବୁଦା ଭିତରେ ପଡ଼ିଥିଲା ମହିଳାଙ୍କ ମୁଣ୍ଡବିହୀନ ଶବ।

୫ ଫେବ୍ରୁଆରି: ତଦନ୍ତ ଲାଗି କମିସନରେଟ୍‌ ପୁଲିସ ୫ଟି ଟିମ୍‌ ଗଠନ କଲା। ସ୍ପେସାଲ ସ୍କ୍ବାଡ୍‌ ଅନୁସନ୍ଧାନ ଦାୟିତ୍ବ ନେଲା। ରାଜ୍ୟର ସବୁ ଥାନା ସମେତ ପଡ଼ୋଶୀ ରାଜ୍ୟର ଥାନାକୁ ମଧ୍ୟ ଖବର ଗଲା। ଥରେ କ୍ୟାପିଟାଲ ହସ୍‌ପିଟାଲରେ ବ୍ୟବଚ୍ଛେଦ ହେବା ପରେ ଏମ୍‌ସରେ ଆଉ ଥରେ ଶବ ବ୍ୟବଚ୍ଛେଦ ହେଲା।

୬ ଫେବ୍ରୁଆରି: ମୃତ ମହିଳାଙ୍କ ଶବ ଚିହ୍ନଟ ଲାଗି ପୁଲିସ ପୋଷ୍ଟର ଜା‌ରି କଲା। ରାଜଧାନୀର କେତେକ ସ୍ଥାନରେ ପୋଷ୍ଟର ଲାଗିଲା।

୭ ଫେବ୍ରୁଆରି: ବସ୍ତିକୁ ଯାଇ ତଦନ୍ତ ଆରମ୍ଭ କଲା ପୁଲିସ। କିଏ କେଉଁଠି ରହୁଛି ତାହାର ତାଲିକା ତିଆରି ହେଲା।

୮ ଫେବ୍ରୁଆରି: ପୁଲିସ ଆନ୍ଧ୍ର ସମେତ ନୟାଗଡ଼, ଯାଜପୁର ଓ ପୁରୀ ଯାଇ କେତେକ ନିଖୋଜ ଏତଲା ବାବଦରେ ତଥ୍ୟ ସଂଗ୍ରହ କଲା।

୯ ଫେବ୍ରୁଆରି: ପୁଲିସ ଏନ୍‌ସିଆର୍‌ବିକୁ ଫିଙ୍ଗର ପ୍ରିଣ୍ଟ ପଠାଇଲା। ଭୁବନେଶରରେ ୧୨ଶହ ପୋଷ୍ଟର ଲଗାଇବାକୁ ଯୋଜନା କଲା।

୧୦ ଫେବ୍ରୁଆରି: ଅପରାହ୍ନ ୩ଟା। ମୃତ ମହିଳାଙ୍କ ମା’ ଡିସିପିଙ୍କ ପାଖରେ ପହଞ୍ଚି ଶବ ଚିହ୍ନଟ ସହ ପରିଚୟ ପ୍ରକାଶ କଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ ଦଶପଲ୍ଲାରୁ ଗିରଫ ହେଲେ ଦୁଇ ଅଭିଯୁକ୍ତ।

୧୧ ଫେବ୍ରୁଆରି: ମଧ୍ୟାହ୍ନ ସାଢ଼େ ୧୨ଟା। ଦୁଇ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ଚନ୍ଦକା ଜଙ୍ଗଲ କଡ଼ରୁ କଟାମୁଣ୍ଡ ଜବତ କଲା ପୁଲିସ।

ସମ୍ବନ୍ଧିତ ଖବର