ଜଣେ କନେଷ୍ଟବଳଙ୍କ ସଂଘର୍ଷ ଓ ଯନ୍ତ୍ରଣାର କାହାଣୀ : ନ୍ୟାୟ ପାଇଁ ୩୬ ବର୍ଷ ହେଲା ବାରଦୁଆର

ବିଭାଗ ଭୁଲ ମାଗିଲା, କିନ୍ତୁ ଏଯାଏ ପ୍ରାପ୍ୟ ଦେଲାନି
ପାଗଳପ୍ରାୟ ହୋଇ ଘୂରି ବୁଲୁଛନ୍ତି ଅସୁସ୍ଥ ଅଖିଳ

କନେଷ୍ଟବଳ ଭାବରେ ପୂରା ଯୌବନ ସରକାରୀ କାର୍ଯ୍ୟରେ ଉତ୍ସର୍ଗ କରିଦେଲେ। ହେଲେ ସରକାରୀ ଅଧିକାରୀଙ୍କ ଆକ୍ରୋଶ ତାଙ୍କୁ ତଳିତଳାନ୍ତ କରିଦେଲା। ୧୦ ବର୍ଷ ପରେ ବିଭାଗ କରିଥିବା ଭୁଲ୍‌ ମାନିଥିଲେ ମଧ୍ୟ ସରକାରୀ ଅଧିକାରୀଙ୍କ ଷଡ଼୍‌ଯନ୍ତ୍ରରେ ସେ ପେଷି ହୋଇଗଲେ। ନା ପ୍ରାପ୍ୟ ପାଇଲେ, ନା ପଦୋନ୍ନତି। ତଦନ୍ତ କମିଟି ତାଙ୍କ ଅଭିଯୋଗକୁ ଯଥାର୍ଥ ବୋଲି କହିବା ସହ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ କହିଥିଲେ ମଧ୍ୟ ବିଭାଗ ଶୁଣିଲାନି। ଏବେ ୭୦ ବର୍ଷ ବୟସରେ ସେ ପାଗଳପ୍ରାୟ ହୋଇ ଘୂରି ବୁଲୁଛନ୍ତି। ଆସନ୍ତୁ ଜାଣିବା ନ୍ୟାୟରୁ ବଞ୍ଚିତ ହୋଇଥିବା ଏମିତି ଜଣେ ଅବସରପ୍ରାପ୍ତ କନେଷ୍ଟବଳ ଅଖିଳ ମୋହନ ଦାସଙ୍କ ସଂଘର୍ଷମୟ ଓ ଯନ୍ତ୍ରଣାଦଗ୍ଧ ଜୀବନର ହୃଦୟବିଦାରକ କାହାଣୀ….।

ଢେଙ୍କାନାଳ ଓଢ଼ଣା ଗ୍ରାମର ଅଖିଳ ମୋହନ ଦାସ। ୧୯୭୩ ମସିହାରୁ କନେଷ୍ଟବଳ ଭାବରେ ଜୀବନ ଆରମ୍ଭ କରିଥିଲେ। ୧୦ ମାସର ପ୍ରଶିକ୍ଷଣ ପରେ ଏପିଆର କନେଷ୍ଟବଳ ଭାବରେ କାମ ଆରମ୍ଭ କଲେ। ଆଇନଶୃଙ୍ଖଳା ପରିଚାଳନା ସମୟରେ ସାଧାରଣ ଲୋକଙ୍କ ସହ ଧସ୍ତାଧସ୍ତିରେ ଆହତ ହେବା ପରେ ହାତ, ଗୋଡ଼ ଓ ବେକରେ ଗଭୀର ଆଘାତ ଲାଗିଲା। ସୁସ୍ଥ ହେଲେ ସିନା ହେଲେ ହାତରେ ଜଖମ ରହିଗଲା। ପରୀକ୍ଷା ନିରୀକ୍ଷା ପରେ ସରକାର ତାଙ୍କୁ ୬୦ ପ୍ରତିଶତ ଦିବ୍ୟାଙ୍ଗ ବୋଲି ଘୋଷଣା କରିବା ସହ ଭତ୍ତା ପ୍ରଦାନ କଲେ। ୧୯୮୪ ମସିହାରେ ଏଏସ୍‌ଆଇ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। ଏଏସ୍‌ଆଇ ଭାବରେ ଆନୁଷ୍ଠାନିକ ପ‌ଦୋନ୍ନତି ପାଇବାକୁ ହେଲେ ଅନୁଗୁଳ ପିଟିସିରେ ପ୍ରଶିକ୍ଷଣ ସମୟରେ ପିଟି ପରେଡ୍‌ ବାଧ୍ୟତାମୂଳକ ଥିଲା। ହେଲେ ଦିବ୍ୟାଙ୍ଗ ଥିବାରୁ ସରକାରୀ ନିୟମ ମୁତାବକ ତାଙ୍କୁ ଏହି ପରେଡ୍‌ରୁ ବିରତି ଦିଆଯିବା କଥା। ହେଲେ ତାଙ୍କୁ ଏହି ପରେଡ୍‌ ପାଇଁ ବାଧ୍ୟ କରାଯିବାରୁ ସେ ପ୍ରଶିକ୍ଷଣ ନେଇନଥିଲେ। ପ୍ରଶିକ୍ଷଣ ନ ନେବାରୁ ବିଭାଗ ତାଙ୍କୁ ଏଏସ୍‌ଆଇରୁ କନେଷ୍ଟବଳ ପଦକୁ ଖସାଇଦେଲା।

ନ୍ୟାୟ ପାଇବା ପାଇଁ ସେବେଠାରୁ ଅଖିଳଙ୍କର ସଂଗ୍ରାମ ଆରମ୍ଭ ହେଲା। ବିଭାଗୀୟ ମୁଖ୍ୟଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଗଲେ। ଗୋଟିଏ ଅଭିଯୋଗ ଏଏସ୍‌ଆଇ ପ୍ରଶିକ୍ଷଣରୁ ପରେଡ୍‌ ବାଦ୍‌ କରିବା। ୧୯୮୫ ମସିହାରୁ ଅନେକ ଟଣାଓଟରା ପରେ ୧୯୯୪ ମସିହାରେ ସରକାର ଅଖିଳଙ୍କ ଆବେଦନ ଉପରେ ମୋହର ମାରିଲେ। ବିନା ପିଟି ପରେଡ୍‌ରେ ଅଖିଳ ଏଏସ୍‌ଆଇ ପ୍ରଶିକ୍ଷଣ ନେଇପାରିବେ ବୋଲି ସରକାର ବିଭାଗକୁ ଚିଠି ଲେଖିଲେ। ଅର୍ଥାତ ନ୍ୟାୟ ପାଇବା ପାଇଁ ତାଙ୍କୁ ୧୦ ବର୍ଷ ଲାଗିଗଲା। ୧୦ ବର୍ଷ ଧରି ଅଧିକାରରୁ ବଞ୍ଚିତ କରିଥିବା ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କଲେ ଅଖିଳ। ଯେଉଁଥିପାଇଁ ସେ ବଡ଼ବଡ଼ିଆଙ୍କ ଆକ୍ରୋ‌ଶର ଶିକାର ହେଲେ।

ସେତେବେଳକୁ ସେ କ୍ରାଇମ୍‌ବ୍ରାଞ୍ଚକୁ ବଦଳି ହୋଇ ଚାଲି ଯାଇଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମିଳିଥିବା ସରକାରୀ କ୍ବାର୍ଟର୍ସରେ ସେ ରହୁଥିଲେ। ପ୍ରଥମେ ଜଣେ ମହିଳାଙ୍କୁ ଅଖିଳ ଅସଦାଚରଣ କରିଥିବା ଅଭିଯୋଗରେ ତାଙ୍କ ବି‌ରୋଧରେ ଫୌଜଦାରୀ ମାମଲା ରୁଜୁ ହେଲା। ସେ କ୍ବାର୍ଟର୍ସରେ ରହୁଥିଲେ ମଧ୍ୟ ପୁଲିସ ଫେରାର ଦର୍ଶାଇ ୱାରେଣ୍ଟ ବାହାର କଲା ଏବଂ ଗିରଫ ମଧ୍ୟ କଲା। ହେଲେ ଏହି ଅଭିଯୋଗରୁ ସେ ନର୍ଦ୍ଦୋଷରେ ଖଲାସ ହେଲେ। ଏଭଳି ପରିସ୍ଥିତିରେ ପଡ଼ି ସେ ପ୍ରଶିକ୍ଷଣ ନେଇ ପାରିଲେ ନାହିଁ। ଡ୍ୟୁଟି ମଧ୍ୟ ନ କରି ପାରିବାରୁ ବିଭ‌ାଗୀୟ କର୍ତ୍ତୃପକ୍ଷ ଦରମା ବନ୍ଦ କରିଦେଲେ। ଶେଷରେ ୨୦୧୦ ମସିହାରେ ଏଏସ୍‌ଆଇ ନୁହେଁ; ବରଂ ସେଇ କନେଷ୍ଟବଳ ଭାବରେ ତାଙ୍କୁ ଅବସର ଦେଇଦେଲେ।

ସେ ଏଏସ୍‌ଆଇ ଭାବରେ ଅବସର ପାଇବା ପାଇଁ ଯୋଗ୍ୟ ଥିଲେ ମଧ୍ୟ ଅଧିକାରୀଙ୍କ ଆକ୍ରେଶର ଶିକାର ହୋଇ କନେଷ୍ଟବଳ ଭାବରେ ଅବସର ନେଲେ। ଏଣୁ ସେ ପୁଣିଥରେ ସଂଗ୍ରାମ ଆରମ୍ଭ କଲେ। ୧୦ ବର୍ଷ ପର୍ଯ୍ୟନ୍ତ ସରକାର ମୌଳିକ ଅଧିକାରରୁ ବଞ୍ଚିତ କରିଥିବାରୁ ଏଏସ୍‌ଆଇ ଭାବରେ ମୋତେ ସମସ୍ତ ପ୍ରାପ୍ୟ ଦିଆଯାଉ ବୋଲି ଦାବି କରି ସେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଗଲେ। ଶେଷରେ କୋର୍ଟଙ୍କ ଆଦେଶ ବଳରେ ପେନ୍‌ସନ୍‌ କମିଟି ବସି ଏହି ଅଭିଯୋଗର ତଦନ୍ତ କଲା। ତଦନ୍ତ ପରେ ଅଖିଳଙ୍କର ଆବେଦନର ଯଥା‌ର୍ଥତା ଥିବା ଦର୍ଶାଇ ସମସ୍ତ ବକେୟା ଦରମା ଓ ପେନ୍‌ସନ୍‌ ପ୍ରଦାନ କରିବା ପାଇଁ କମିଟି ଆଦେଶ ଦେଲା। ଏହି ଆଦେଶ ପୁଣିଥରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଯାଇଥିଲା। ଏଣୁ କମିଟି ଆଦେଶ ସତ୍ତ୍ବେ ତାଙ୍କ ବକେୟା ପ୍ରାପ୍ୟ ପ୍ରଦାନ କଲେ ନାହିଁ। ଏତିକିରେ ଅଖିଳଙ୍କ ଦୁଃଖ ସରିଲା ନାହିଁ। ୨୦୧୫ ମସିହାରେ ତାଙ୍କୁ ବର୍ଷାଦିନେ ହଠାତ୍‌ ସରକାରୀ କ୍ବାର୍ଟର୍ସରୁ ଜବରଦସ୍ତ କାଢ଼ି ଦିଆଗଲା। କ୍ବାର୍ଟର୍ସ କ୍ରାଇମ୍‌ବ୍ରାଞ୍ଚ ତରଫରୁ ମିଳିଥିଲେ ମଧ୍ୟ ଓପିପି ଆକ୍ଟ ବଳରେ ତାଙ୍କୁ ଉଚ୍ଛେଦ କରି ଦିଆଗଲା। ଅଖିଳ ଏହି ଉଚ୍ଛେଦକୁ ବିରୋଧ କରୁଥିବା ବେଳେ ଅନ୍ୟମାନେ ଘରୁ ୫୦ ଲକ୍ଷ ଟଙ୍କାର ସୁନା ଗହଣା ସମେତ ସୂଚନା‌ ଅଧିକାର ବଳରେ ସେ ହାସଲ କରିଥିବା ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରରେ ନିଆଁ ଲଗାଇଦେଲେ। ତା’ ସହିତ ୨୦୧୦ରୁ ଅବସର ନେଇଥିଲେ ମଧ୍ୟ ସରକାରୀ କ୍ବାର୍ଟର୍ସ ଛାଡ଼ିନଥିବାରୁ ତାଙ୍କ ଉପରେ ୫ ବର୍ଷର ଭଡ଼ା ମଧ୍ୟ କଷିଦେଲେ।

ବ୍ରେନ୍‌ ଟ୍ୟୁମର ସାଙ୍ଗକୁ ଗଳା କର୍କଟ ରୋଗରେ ପିଡ଼ୀତ ଅଖିଳ ସେବେଠାରୁ ପାଗଳପ୍ରାୟ ଘୂରି ବୁଲୁଛନ୍ତି। କେହି ଶୁଣିବାକୁ ନାହାନ୍ତି। ପ୍ରଶ୍ନ ଉଠୁଛି, ଯଦି ତାଙ୍କର କିଛି ପ୍ରା‌ପ୍ୟ ପାଇବାକୁ ନାହିଁ, ତେବେ ତଦନ୍ତ କମିଟି କଣ ଭୁଲ ଲେଖିଲା? ଯଦି ସେ ପିଟି ପରେଡ୍ କରିବା ପାଇଁ ବାଧ୍ୟ ଥିଲେ ତେବେ ୧୦ ବର୍ଷ ପରେ ସରକାର ମନା କଲେ କାହିଁକି? ଯେଉଁ ଅଧିକାରୀଙ୍କ ଦୋଷ ପାଇଁ ସେ ନିଜର ଅଧିକାର ହରାଇଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତ? ଆଉ ଏତେ ବର୍ଷ ଧରି ନ୍ୟାୟରୁ ବଞ୍ଚିତ ହୋଇ ଏଭଳି ଅକଥନୀୟ ଯନ୍ତ୍ରଣା ପାଇ ଆସୁଥିବା ଅଖିଳଙ୍କୁ ତାଙ୍କ ପ୍ରାପ୍ୟ ମିଳିବ ତ?

ସମ୍ବନ୍ଧିତ ଖବର