ସ୍ୱପ୍ନ ମରିଗଲା, ଜିଅନ୍ତା ଶବ ପାଲଟିଗଲେ ବାସନ୍ତୀ

ଜିଇଁବା ପାଇଁ ରାହା ଖୋଜୁଛନ୍ତି

ଭୁବନେଶ୍ୱର : ଆଖିରେ ଥିଲା ଅସୁମାରୀ ସ୍ୱପ୍ନ। ନିଜ ପ୍ରେମକୁ ସଫଳ କରିବି। ମନ ପସନ୍ଦର ସାଥୀକୁ ଜୀବନସାଥୀ କରିବି। ସ୍ୱପ୍ନ ବି ପୂରଣ ହେଲା। ପ୍ରେମିକର ହାତ ଧରି ଶାଶୂ ଘର ଗଲି। ହେଲେ ଦିନ କେଇଟାରେ ସ୍ୱପ୍ନର ସଂସାର ଚୂନା ହୋଇଗଲା। ସ୍ୱପ୍ନ ଠୁ ବାସ୍ତବତାର ଦୂରତା ଅସୀମ ଲାଗିଲା। ଜୀବନ ସାଥୀ ବଛାରେ ଭୁୁଲ ହୋଇଗଲା କି? ମନକୁ ଏହି ପ୍ରଶ୍ନ ବିଦାରି ପକାଇଲା। ହାତ ଧରି ବହୁ ସ୍ୱପ୍ନ ଦେଖାଇଥିବା ପ୍ରେମିକ ଯେ ଯୌତୁକ ନିଆଁରେ ଜାଳି ଦେବ, ଏହା କଳ୍ପନା ବାହାରେ ଥିଲା। କଳ୍ପନାରୁ ବି ଭୟାନକ ଥିଲା ବାସ୍ତବତା। ଏସିଡ୍‌ ପକାଇ ଶାଶୂ ଓ ସ୍ୱାମୀଙ୍କ ମନ ଭରିଲାନି ଯେ କିରାସିନି ପକାଇ ନିଆଁ ଲଗାଇ ଦେବାକୁ ବି ପଛାଇ ନ ଥିଲା ରାକ୍ଷସ ସ୍ୱାମୀ। ଏହା ହେଉଛି ଯୌତୁକ ନିଅାଁରେ ବଳି ପଡ଼ିଥିବା ଆଉ ଜଣେ ଅବଳା; ବାସନ୍ତୀ ପରିଡ଼ାଙ୍କ କଥା। ବର୍ତ୍ତମାନ ବାସନ୍ତୀ ବଞ୍ଚିଛନ୍ତି ସତ, କିନ୍ତୁ ପାଲଟି ଯାଇଛନ୍ତି ଗୋଟେ ଜିଅନ୍ତା ଶବ। ନା ଚାଲିପାରୁଛନ୍ତି ନା ନିଜ କାମ ନିଜେ କରି ପାରୁଛନ୍ତି। ପେଟରୁ ଗୋଡ଼ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଅଙ୍ଗ ପୋଡ଼ି ଯାଇଥିବା ବେଳେ ଦେଢ଼ ବର୍ଷ ହେଲାଣି ନା ପୋଡ଼ା ଘା’ ଭରିଛି ନା ତାଙ୍କ ଯନ୍ତ୍ରଣା।

ଲୁହଭରା ଆଖି ଓ କୋହଭରା ସ୍ୱରରେ ଆମକୁ ତାଙ୍କ ଦୁଃଖ ବାଣ୍ଟି ଚାଲିଥିଲେ ବାସନ୍ତୀ । ବୟସ ୧୯। ଘର ବାଲିଅନ୍ତା ବ୍ଲକ୍‌ କାକରୁଦ୍ରପୁରରେ। ପିଲା ଦିନୁ ବାପଛେଉଣ୍ଡ ବାସନ୍ତୀ ପରିବାର ଭରଣପୋଷଣ ପାଇଁ ଭୁବନେଶ୍ୱର ପଟିଆସ୍ଥିତ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେଠାରେ ତାଙ୍କର ଦେଖାହୁଏ ତାଳଚେରର କୁଲାଇ ଗାଁର ପିଙ୍କୁ ପ୍ରଧାନଙ୍କ ସହ। ଅଳ୍ପ ପରିଚୟରୁ ଗଢ଼ି ଉଠେ ପ୍ରେମ ସମ୍ପର୍କ। ସେତେବେଳକୁ ବାସନ୍ତୀଙ୍କୁ ମାତ୍ର ୧୬ ବର୍ଷ। ଅତି କମ୍‌ ଦିନରେ ବିବାହ ନିଷ୍ପତ୍ତି ନିଅନ୍ତି ଉଭୟ। ଅଳ୍ପ କିଛି ଗହଣା ଓ ଅସୁମାରି ସ୍ୱପ୍ନ ସହ ଶାଶୂଘରେ ପାଦ ଦିଅନ୍ତି ବାସନ୍ତୀ। କିନ୍ତୁ ଦିନ କେଇଟାରେ ଦେଖନ୍ତି ସେ ପିଙ୍କୁର ଅସଲ ରୂପ। ଯୌତୁକ ପାଇଁ ପ୍ରତିଦିନ ଶାଶୂ ଓ ସ୍ୱାମୀଙ୍କ ଲାଞ୍ଛନା ସହ ଶାରୀରିକ ନିର୍ଯାତନା। ଦିନକୁ ଦିନ ଏହା ବଢ଼ି ଚାଲେ। ୫୦ ହଜାର ଟଙ୍କା ଯୌତୁକ ରାଶି ପାଇଁ ଦିନେ ବାସନ୍ତୀ ତାଙ୍କ ମାସକର ଝିଅକୁ କ୍ଷୀର ପିଆଉଥିବା ସମୟରେ ସ୍ୱାମୀ ପିଙ୍କୁ ଓ ଶାଶୂ ତାଙ୍କ ଉପରେ କିରାସିନି ଓ ଏସିଡ୍‌ ପକାଇ ନିଆଁ ଲଗାଇ ଦେଇଥିଲେ। ଜୀବନ ବିକଳରେ ବାସନ୍ତୀ ନିକଟସ୍ଥ ଏକ ଜଳାଶୟରେ ଡେଇଁ ପଡ଼ିଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ପଡ଼ୋଶୀ ଘର ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ନିକଟସ୍ଥ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଏହାପରେ ସ୍ୱାମୀ ଓ ଶାଶୂ ହସ୍‌ପିଟାଲ୍‌ରେ ପହଞ୍ଚି ତାଙ୍କୁ ମାର୍‌ପିଟ୍‌ କରିବା ଯୋଗଁ ବାସନ୍ତୀ ସେଠାରୁ ଲୁଚି ଘୁଷୁୁଡ଼ି ଘୁଷୁୁଡ଼ି ବସ୍‌ ଯାଏଁ ଆସି ନିଜ ବାପ ଘରେ ପହଞ୍ଚିଥିଲେ।

ଏହି ଘଟଣା ବାଲିଅନ୍ତା ବ୍ଲକ୍‌ ଏସ୍‌ଏଜି ଫେଡେରେସନ୍‌ର ଅଧ୍ୟକ୍ଷା ସୌଦାମିନୀ ମହାନ୍ତିଙ୍କ ଜରିଆରେ ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ ଲୋକ ଓ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ସହଯୋଗରେ ତାଙ୍କ ପ୍ରାଥମିକ ଚିକିତ୍ସା ହୋଇଥିଲା। ସେ ଭୁବନେଶ୍ୱର ଏମ୍‌ସ୍‌ରେ ୬ ମାସ ଚିକିତ୍ସାଧୀନ ଥିଲେ। ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ବେଡ୍‌ ରେଷ୍ଟ୍‍ ପାଇଁ ଡାକ୍ତର କହିଥିବା ବାସନ୍ତୀ କହିଛନ୍ତି। ଗତ ଦେଢ଼ ବର୍ଷ ହେଲା ମରଣ ସହ ଲଢ଼ୁଥିବା ଏହି ମହିଳାଙ୍କ ପାଇଁ ଏଯାଏଁ ସରକାରୀସ୍ତରରୁ କିଛି ସାହାଯ୍ୟ ମିଳିନାହିଁ। ଆଜି ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓମେନ୍‌ସ୍‌ ଫୋରମ୍‌ ପକ୍ଷରୁ ଆୟୋଜିତ ‘ମହିଳା ଓ ଶିଶୁ ଅଧିକାର ମହାସମ୍ମେଳନ’ ଅବସରରେ ତାଙ୍କୁ ଏକ ସିଲେଇ ମେସିନ୍‌ ପ୍ରଦାନ କରାଯାଇଛି। କେବେ କିଛି ସରକାରୀ ପ୍ରୋତ୍ସାହନ କିମ୍ବା ଘର ଖଣ୍ଡେ ମିଳିଲେ ଦୋକାନଟିଏ କରି ଚଳନ୍ତି ବୋଲି କହିଛନ୍ତି ବାସନ୍ତୀ।

ସମ୍ବନ୍ଧିତ ଖବର