ନାଟକ କହିଲା ‘ବାଇଶି ପାହାଚ’ର କାହାଣୀ

ଭୁବନେଶ୍ବର: ପ୍ରଭୁ ଶ୍ରୀଜଗନ୍ନାଥ ବି ଧର୍ମାନ୍ଧଙ୍କ କ୍ରୂର ଦୃଷ୍ଟିରୁ ବର୍ତି ପାରିନଥିଲେ। ତକି ଖାଁ’ ଚତୁର୍ଧା ମୂର୍ତିକୁ ଅନିଷ୍ଟ ପହଞ୍ଚାଇବା ଖବର ପାଇବା ପରେ ଗଜପତି ୨ୟ ରାମଚନ୍ଦ୍ର ଦେବ ପ୍ରଭୁଙ୍କୁ ଧରି ଚିଲିକା କୂଳ ଆଠଗଡ଼ ଜଙ୍ଗଲରେ ଆତ୍ମଗୋପନ କଲେ। ମାତ୍ର ତକି ଖାଁ’ର ଶ୍ବାନ ଦୃଷ୍ଟିରୁ ବର୍ତି ପାରିନଥିଲେ। ସେ ଅନିଷ୍ଟ ପହଞ୍ଚାଇବାକୁ ଉଦ୍ୟତ ବେଳେ ଗଜପତି ପ୍ରଭୁଙ୍କ ଅନିଷ୍ଟ ନକରିବାକୁ ମିନତି କଲେ। କିନ୍ତୁ ପ୍ରତିବଦଳରେ ଗଜପତି ନିଜର ଧର୍ମ ପରିବର୍ତନ କରନ୍ତୁ ବୋଲି ତକି ଖାଁ ସର୍ତ ରଖିଲେ। ପ୍ରଜାମାନେ ଏହା ସହ୍ୟ କରିପାରିଲେ ନାହିଁ। ଇସ୍‌ଲାମ ଧର୍ମ ଗ୍ରହଣ କରିଥିବାରୁ ସେବକମାନେ ତାଙ୍କୁ ଜଗନ୍ନାଥଙ୍କୁ ଦର୍ଶନ କରେଇ ଦେଲେନାହିଁ। ଗଜପତିଙ୍କ ଭକ୍ତି ପ୍ରାଣକୁ ବୁଝିପାରି ତାଙ୍କର ଅନୁଗତ ରାଜଗୁରୁ ମନ୍ଦିରକୁ ବାଇଶି ପାହାଚର ବ୍ୟବସ୍ଥା କରି ସିଂହଦ୍ବାର ପ୍ରବେଶ ପଥରେ ପତିତପାବନ ବିଗ୍ରହ ପ୍ରତିଷ୍ଠା କଲେ। ଭକ୍ତଟିଏ ଯେ ପ୍ରଭୁଙ୍କୁ ସୁରକ୍ଷା ଦେବାକୁ ନିଜ ଧର୍ମ ପରିବର୍ତନ କରିଦେଇପାରେ ଏହିଭଳି ଏକ ସତ୍ୟ କଥାବସ୍ତୁକୁ ନେଇ ଆଜି ବିଜୁ ନାଟ୍ୟ କେନ୍ଦ୍ରରେ ‘ଶତାବ୍ଦୀର କଳାକାର’ ଅନୁଷ୍ଠାନର ୨୨ତମ ବ୍ୟାଚ୍‌ର କଳାକାରମାନେ ଭେଟି ଦେଇଥିଲେ ନାଟକ ‘ବାଇଶି ପାବଚ୍ଛ’। ଡ.ରଜତ କୁମାର କର ନାଟକ ରଚନା କରିଥିବା ‌ବେଳେ ନିର୍ଦେଶନା ଦେଇଥିଲେ ଦର୍ପନାରାୟଣ ସେଠୀ। ଦୂରଦର୍ଶନର ନିର୍ଦେଶକ ନୀଳାଦ୍ରି ମୋହନ ଶତପଥୀ, ନାଟ୍ୟକାର ଚନ୍ଦ୍ରଶେଖର ନନ୍ଦ, ଡ.ରଜତ କୁମାର କର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ନାଟ୍ୟାନୁଷ୍ଠାନର ସଭାପତି ଗୌରହରି ଦାସ ଏବଂ ପ୍ରତିଷ୍ଠାତା ସମ୍ପାଦକ ଧୀରେନ୍ଦ୍ରନାଥ ମଲ୍ଲିକ ଉପସ୍ଥିତ ଥିଲେ। ଏହି ନାଟକ ଆସନ୍ତାକାଲି ରବୀନ୍ଦ୍ର ମଣ୍ଡପ ଏବଂ ୧ ତାରିଖ ଦିନ ଭଂଜ କଳା ମଣ୍ଡପରେ ମଂଚସ୍ଥ ହେବ।

ସମ୍ବନ୍ଧିତ ଖବର