‘ହେଲୋ ଆର୍‌ସି’ ପଛର କାହାଣୀ

ଭୁବନେଶ୍ବର: ବଡ଼ବଡ଼ ଶିଳ୍ପ ପ୍ରକଳ୍ପ ହେଲେ ଲୋକଙ୍କୁ ବିସ୍ଥାପନ କରାଯାଏ। ଟଙ୍କା ଦେଇ ଥଇଥାନ କରାଯାଉଥିବା କୁହାଯାଏ। ମାତ୍ର ଏଇ ଟଙ୍କା କିଭଳି ଅନେକଙ୍କୁ ଅବାଟକୁ ନେଇଯାଏ ସେହିପରି ଏକ କଥାବସ୍ତୁକୁ ନେଇ କାହାଣୀଟିଏ ଚିନ୍ତା କରିଥିଲେ ଚଳଚ୍ଚିତ୍ରର ନିର୍ଦେଶକ ସ୍ବର୍ଗତ ସମ୍ବିତ ମହାନ୍ତି। ମିଛର ସହରରେ କେହି କାହାକୁ ବିଶ୍ବାସ କରିପାରୁ ନଥିବା ବେଳେ ଏହି ଅବିଶ୍ବାସର ସହରୀ ବ୍ୟବସ୍ଥାକୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ ହେବା ପରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଏହାର ପ୍ରଯୋଜକ ଅଜୟ ରାଉତରାୟଙ୍କ କହିବା ମୁତାବକ, କାର୍‌ରେ ଆରମ୍ଭ ହୋଇଥିବା କାହାଣୀ ସେଇ କାର୍‌ରେ ହିଁ ଶେଷ ହୋଇଛି। ବିସ୍ଥାପିତଙ୍କୁ ଦିଆଯାଉଥିବା କ୍ଷତିପୂରଣ ପରର ଦୁଃଖ ଏବଂ ନିଜ ଅନ୍ତରର ଅଭିବ୍ୟକ୍ତିକୁ ପରିପ୍ରକାଶ ପାଇଁ ଦୁଇ ବ୍ୟକ୍ତି ଗଣମାଧ୍ୟମକୁ ଖୋଜିବାର କଥାବସ୍ତୁ ଏଥିରେ ସ୍ଥାନିତ ହୋଇଛି। ଏଥିରେ ପ୍ରକୃତି ମିଶ୍ର, ପାର୍ଥସାରଥୀ ରାୟ ଏବଂ ପ୍ରିୟମ୍ବଦା ରାୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଦେଖିବା ପରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଜୁରି ପ୍ୟାନେଲ୍‌ର ନିର୍ଦେଶକ ତଥା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ଓ ଅଭିନେତା ଶେଖର କପୁର କହିଥିଲେ, ମୁଁ ଆଗରୁ ଏମିତି ଚଳଚ୍ଚିତ୍ର କେବେ ଦେଖିନାହିଁ। କେନ୍ସ ଭଳି ଚଳଚ୍ଚିତ୍ର ପର୍ବରେ ବି ଏମିତି ଚଳଚ୍ଚିତ୍ର ଦେଖିବାର ଅବକାଶ ଜୁଟିନି। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରକୃତି ମିଶ୍ରଙ୍କ ଅଭିନୟକୁ ମଧ୍ୟ ସେ ଢେର ପ୍ରଶଂସା କରିଥିଲେ। ସେ ଏକଥା ବି କହିଥିଲେ, ଯଦି ଏମିତି ଗୋଟେ ଚଳଚ୍ଚିତ୍ର କରିବାକୁ ସେ ଚେଷ୍ଟା କରିଥାଆନ୍ତେ ତେବେ ବିଫଳ ହୋଇଥା’ନ୍ତେ। ତେଣୁ ଓଡ଼ିଆରେ କପିର ଧାରା ଚାଲିଥିବା ବେଳେ ଏକ ମୌଳିକ କାହାଣୀ ଯେ, ଜାତୀୟସ୍ତରର ଚଳଚ୍ଚିତ୍ର ପ୍ରତିଭାଙ୍କୁ ରୋମାଞ୍ଚିତ କରିପାରେ ତାହାର ନିଚ୍ଛକ ଉଦାହରଣ ହେଉଛି ‘ହାଲୋ ଆର୍‌ସି’।

ଆଗକୁ ବଢ଼ିବାକୁ ଉତ୍ସାହ ଯୋଗାଇଛି
ଏତେ ଦକ୍ଷ କଳାକାରଙ୍କ ଭିତରେ ମତେ ଶ୍ରେଷ୍ଠ ଅଭିନେତା ଭାବେ ବାଛିବା ମତେ ପ୍ରେରଣା ଦେଇଛି। ନୂଆ ଧରଣର କାହାଣୀକୁ ନେଇ ଚଳଚ୍ଚିତ୍ରଟି ନିର୍ମିତ ହୋଇଥିବା ବେଳେ ଶେଖର କପୁରଙ୍କ ଭଳି ବଲିଉଡ୍‌ର ପ୍ରତିଭା ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରିଥିଲେ। ମୋ ଉପରେ ବିଚାରକମାନେ ଏତେ ଭରସା କରିଥିବା ବେଳେ ମୋର ୪ର୍ଥ ଚଳଚ୍ଚିତ୍ରରେ ମତେ ଏପରି ସଫଳତା ମିଳିବା ଆଗକୁ ବଢ଼ିବାକୁ ଉତ୍ସାହ ଯୋଗାଇଛି।
ପାର୍ଥସାରଥୀ ରାୟ (ଶ୍ରେଷ୍ଠ ଅଭିନେତା)

ମୋ ଅଭିନୟ ଦାୟିତ୍ବକୁ ଦ୍ବିଗୁଣିତ କରିଛି
ଯେବେ ଚଳଚ୍ଚିତ୍ର ମୁକ୍ତିଲାଭ କଲା ଏମିତି ପ୍ରଶଂସା ମିଳିବ ବୋଲି ଭାବିନଥିଲି। କ୍ୟାମେରାକୁ ସାମ୍ନା କରିବା ଆଗରୁ ଫିଲ୍ମ କି ଅଭିନୟର ଜ୍ଞାନ ନଥିଲା। ଯାହା ଶିଖାଯାଉଥିଲା ତାହା ଧ୍ୟାନର ସହ କରୁଥିଲି। ମତେ ଯେ ଲୋକେ ଅଭିନେତ୍ରୀ ଭାବେ ଗ୍ରହଣ କରିଛନ୍ତି ଏବଂ ଭଲ ପାଉଛନ୍ତି ତାହା ଏହି ପୁରସ୍କାର ହିଁ ମତେ ସୂଚେଇ ଦେଇଛି। ମୁଁ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ଏତେ କମ୍‌ ବୟସରେ ଏହି ସମ୍ମାନ ପାଇଥିବାରୁ ଏହା ମୋ ଅଭିନୟ ଦାୟିତ୍ବକୁ ଦ୍ବିଗୁଣିତ କରିଛି।
ସନ୍‌ମୀରା (ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନୀତ)

ସମ୍ବନ୍ଧିତ ଖବର