ଭୁବନେଶ୍ୱର : ପାଇଖାନାରେ ବିତୁଛି ଅସହାୟ ମହିଳାଙ୍କ ଜୀବନ

ଭୁବନେଶ୍ବର : ସ୍ବାମୀଙ୍କ ମୃତ୍ୟୁ ପରେ ପିଲାଙ୍କୁ ମଣିଷ କରିବାକୁ ଫୁଲବାଣୀରୁ ରାଜଧାନୀକୁ ଚାଲି ଆସିଥିଲେ। ଏଠି ଏକ ବସ୍ତିରେ ଭଡ଼ାରେ ରହି କିଛି ହୋଟେଲରେ ବାସନ ମାଜି ଚଳୁଥିଲେ। ହେଲେ କରୋନା ଯୋଗୁଁ ଯେବେଠୁ ହୋଟେଲ ବନ୍ଦ ହେଇଯାଇଛି, କନକ ଛିତିୟାଙ୍କ କାମ ବନ୍ଦ। ସ୍ଥିତି ଏମିତି ହେଲା ଯେ ଯୋଉଠି ୧୦ ବର୍ଷ ହେଲା ଭଡ଼ା ରହି ଆସୁଥିଲେ, ସେଠି ଆଉ ଭଡ଼ା ଦେଇ ରହିବା ସମ୍ଭବ ହେଲା ନାହିଁ। ଶେଷରେ ଆସି ଜାଗମରାସ୍ଥିତ ବାରଭୁଜା ବସ୍ତିରେ ଏକ ପାଇଖାନା ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ସାଢ଼େ ୪ ଫୁଟିଆ ପାଇଖାନା ଘରେ ବୁଲିବା ସମ୍ଭବ ହେଉନଥିଲେ ମଧ୍ୟ ସେଇଥିରେ ତାଙ୍କର ଲକ୍‌ଡାଉନ୍‌ ବିତୁଛି। ଏମିତିକି ସରକାରଙ୍କ ସୂତ୍ରରୁ ଚାଉଳ ଗଣ୍ଡେ ମିଳି ନଥିବାରୁ ସେ ସାହି ପଡ଼ିଶାରୁ ମାଗି ଯାଚି ଚଳୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିକଟସ୍ଥ ତାରିଣୀ ବସ୍ତିରେ ଦୀର୍ଘ ଦିନ ହେଲା ରହି ଆସୁଥିବାରୁ ତାଙ୍କର ଆଧାର କାର୍ଡ, ରାସନ କାର୍ଡ ବି ହୋଇଛି। କିନ୍ତୁ ଯେବେ ରାସନ୍‌ କାର୍ଡ ଦିଆଗଲା, ଅଜ୍ଞତାବଶତଃ ତାହା ଆଣି ପାରି ନ ଥିଲେ। ଫଳରେ ତାଙ୍କ ନାଁରେ ରାସନ କାର୍ଡ ହୋଇ ସୁଦ୍ଧା ସେ ସରକାରଙ୍କ ପ୍ରଦତ୍ତ ସହାୟତା ପାଇପାରି ନ ଥିଲେ। କରୋନା ଲକ୍‌ଡାଉନ୍‌ରେ ପେଟ ଚିନ୍ତା ବଢ଼ିବାରୁ ଯେବେ ସେ ଯାଇ ୱାର୍ଡ ଅଧିକାରୀଙ୍କୁ ଏ ସମ୍ପର୍କରେ କହିଲେ, ତାଙ୍କୁ କୁହାଗଲା, ତୁମ କାର୍ଡରେ ଚାଉଳ ନିଆଯାଇସାରିଛି। ଏହା କେବଳ କନକଙ୍କ ଦୁର୍ଭାଗ୍ୟ ବୋଲି କୁହାଯାଉନାହିଁ, ତାଙ୍କ ରାସନ କାର୍ଡରେ ଯେ ଜାଲିଆତି ହୋଇଛି, ତାହା ମଧ୍ୟ କନକଙ୍କ କଥାରୁ ବାରି ହେଉଛି।

ଫୁଲବାଣୀ ରାଇକିଆର ବାସିନ୍ଦା କନକଙ୍କ ସ୍ବାମୀଙ୍କ ଅକାଳ ବିୟୋଗ ହେବା ପରେ ପେଟ ଚିନ୍ତାରେ ୨୦୧୦ରେ ରାଜଧାନୀକୁ ଚାଲି ଆସିଥିଲେ। କିଛି ହୋଟେଲରେ ବାସନ ମାଜି ନିଜର ଓ ନିଜ ପିଲାମାନଙ୍କ ପେଟ ସମ୍ଭାଳିବାରେ ତାଙ୍କର ସମସ୍ୟା ନଥିଲା। ମାତ୍ର କରୋନା ଏମିତି ଧୋକ୍କା ଦେବ ତାଙ୍କୁ ମାଲୁମ ନଥିଲା। ଏମିତିକି ଲକ୍‌ଡାଉନ୍‌ ଅବଧି ଏତେ ଦିନ ବଢ଼ିଯିବ ଓ ‌ତାଙ୍କ ହାତରୁ କାମ ଚାଲିଯିବ, ତାହା ବି ଜଣା ନଥିଲା। ଫଳରେ ତାଙ୍କୁ ଶେଷରେ ସାଢ଼େ ୪ ଫୁଟିଆ ଏକ ପାଇଖାନାରେ ଜୀବନ ବିତାଇବାକୁ ପଡ଼ୁଛି।

ବିଡ଼ମ୍ବନା ହେଉଛି, ଆଗରୁ ଥିବା ବସ୍ତି ଛାଡ଼ି ଦାରିଦ୍ରୢ ଯୋଗୁଁ ବାରଭୁଜା ବସ୍ତିକୁ ଚାଲି ଆସିଥିବାରୁ ସେ ବାସିନ୍ଦା ଭାବେ ଯେଉଁ ସର୍ବନିମ୍ନ ସାହାଯ୍ୟ ପାଇବା କଥା, ତାହା ବି ପାଇ ପାରିଲେ ନାହିଁ। କନକଙ୍କ କହିବା ଅନୁଯାୟୀ, ଅଙ୍ଗନବାଡ଼ି ଦିଦି ଆସି ମୋ ବିଷୟରେ ଲେଖିକି ନେଲେ। ସମସ୍ତଙ୍କୁ ଚାଉଳ, ଡାଲି ମିଳିଲା କିନ୍ତୁ ମତେ ମିଳିଲାନି।

ସମ୍ବନ୍ଧିତ ଖବର