ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ। ଏଥିସହ ଭୁବନେଶ୍ବର ହେଉଛି ଶୈବପୀଠ। ତେବେ ଭୁବନେଶ୍ବରକୁ ଶୈବଧର୍ମର ମୁଖ୍ୟସ୍ଥଳୀ ଓ ଲିଙ୍ଗରାଜ ମନ୍ଦିର ପ୍ରତିଷ୍ଠା କରିଥିବା ମୁଖ୍ୟ ବିନ୍ଧାଣୀକୁ ଏ ସହର ଭୁଲିଯିବ ବା କେମିତି? ଭୁବନେଶ୍ୱରକୁ ଶୈବପୀଠ କରି ନାନା ମନ୍ଦିର ତଥା କୀର୍ତ୍ତିରାଜିମାନ ସ୍ଥାପନ କରି ଯାଇଥିବା ଉତ୍କଳୀୟ ମହାନ ‘କେଶରୀ ରାଜବଂଶ’ଙ୍କ ସମ୍ମାନରେ ହିଁ ରାଜଧାନୀର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳର ନାମ ‘କେଶରୀନଗର’ ରଖାଯାଇଥିଲା। ଆସନ୍ତୁ ଜାଣିବା କେଶରୀ ରାଜବଂଶ ଓ ରାଜଧାନୀର କେଶରୀ ନଗର ସମ୍ପର୍କରେ ଆଉ କିଛି କଥା। ‘ଭୌମକର’ ଶାସନ ପରେ ଉତ୍କଳର ଶାସନ ଭାର ଚାଲିଯାଇଥିଲା ସୋମବଂଶର ନରପତିଙ୍କ ହାତକୁ। ଏହି ବଂଶର ନରପତିମାନେ ସେମାନଙ୍କ ନାମ ଶେଷରେ ‘କେଶରୀ’ ଶବ୍ଦ ବ୍ୟବହାର କରୁଥିଲେ। ୯୫୦ ଖ୍ରୀଷ୍ଟାବ୍ଦରୁ ୧୧୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ (ପ୍ରାୟ ୨୦୦ ବର୍ଷ) ଏହି ରାଜବଂଶର ୧୦ ଜଣ ନରପତି ଉତ୍କଳର ଶାସନ ଭାର ସମ୍ଭାଳିଥିଲେ। ଏହି ରାଜବଂଶର ରାଜଧାନୀ ଥିଲା ଅଭିନବ ଯଯାତି ନଗର ବା ଏବେକାର ଯାଜପୁର ସହର। ଏହି ବଂଶର ପ୍ରଥମ ରାଜା ଥିଲେ ପ୍ରଥମ ଜନ୍ମେଜୟ ଏବଂ ଶେଷ ରାଜା ଥିଲେ କର୍ଣ୍ଣ ଦେବ। ସେମାନଙ୍କ ମଧ୍ୟରେ ଦ୍ୱିତୀୟ ଯଯାତିଙ୍କୁ ରାଜବଂଶର ସର୍ବୋତ୍କୃଷ୍ଟ ଶାସକ ଭାବେ ଚିତ୍ରଣ କରାଯାଇଛି।
ସଂସ୍କୃତିବିତ୍ ଗୋଲକବିହାରୀ ସିଂହ କହିଛନ୍ତି, କ୍ଷେତ୍ରାଧିପତି ପ୍ରଭୁ ଶ୍ରୀ ତ୍ରିଭୁବନେଶ୍ୱର ବା ଲିଙ୍ଗରାଜଙ୍କ ନାମ ଆଧାରରେ ଭୁବନେଶ୍ୱର ସହରର ନାମକରଣ ହୋଇଛି। ଏହି ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଏହି ରାଜବଂଶର ଦ୍ୱିତୀୟ ଯଯାତି କେଶରୀ। ନିର୍ମାଣକୁ ପୂର୍ଣ୍ଣାଙ୍ଗ ରୂପ ପ୍ରଦାନ କରିଥିଲେ ତାଙ୍କ ପୁତ୍ର ଉଦ୍ୟୋତ କେଶରୀ। ଏହି ବଂଶର ନରପତିମାନେ ଭୁବନେଶ୍ୱରକୁ ଶୈବଧର୍ମର ମୁଖ୍ୟ ସ୍ଥଳୀ କରି ନାନା ମନ୍ଦିର ତଥା କୀର୍ତ୍ତିରାଜିମାନ ସ୍ଥାପନ କରିଥିଲେ। ସେମାନଙ୍କ ସମୟରେ ଏକାମ୍ର କ୍ଷେତ୍ରଟି ପ୍ରସିଦ୍ଧ ଶୈବପୀଠ ତଥା ଯାଜପୁର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିପୀଠ ରୂପେ ଖ୍ୟାତି ଲାଭ କରିଥିଲା। ଯଯାତିଙ୍କ ସମୟରେ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍ଥାନ ପାଇଁ ବହୁମୁଖୀ ଉଦ୍ୟମ କରାଯାଇଥିଲା। ସେ କାନ୍ୟକୁବ୍ଜରୁ ଦଶ ହଜାର ବ୍ରାହ୍ମଣ ଡକାଇ ବୈତରଣୀ ନଦୀ କୂଳରେ ଏକ ବିଶାଳ ଯଜ୍ଞ କରିଥିଲେ। ଉଦ୍ୟୋତ କେଶରୀଙ୍କ ରାଜତ୍ୱ କାଳରେ କୁମାର ପର୍ବତରେ ୨୪ ଜଣ ଜୈନମୁନିଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ବିବିଧ ଦୃଷ୍ଟିକୋଣରୁ ଏହି ରାଜବଂଶ ଅତ୍ୟନ୍ତ ଯଶସ୍ୱୀ ଥିଲା। ଏଣୁ ରାଜଧାନୀ ପ୍ରତିଷ୍ଠା ସମୟରେ ଏହି ରାଜବଂଶ ନାମରେ ରାଜଧାନୀର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶାସନ ବ୍ୟବସ୍ଥାର କେନ୍ଦ୍ରାଞ୍ଚଳର ନାମ ‘କେଶରୀନଗର’ ରଖାଗଲା।
ଉତ୍ତରରେ ୧୨୦ ବାଟାଲିୟନ୍ରୁ ପିଏମ୍ଜି ଅଫିସ୍ ଯାଏ ଲମ୍ବିଥିବା ଗୋପବନ୍ଧୁ ମାର୍ଗ, ପୂର୍ବରେ ପିଏମ୍ଜି ଅଫିସ୍ରୁ ଏଜି ଅଫିସ୍ ଯାଏ ଜବାହରଲାଲ ନେହରୁ ମାର୍ଗର ଏକ ଅଂଶ, ଦକ୍ଷିଣରେ ଏଜି ଛକରୁ ରାଜଭବନ ପର୍ଯ୍ୟନ୍ତ ଥିବା ରାଜପଥ ତଥା ପଶ୍ଚିମରେ ରାଜଭବନ ଛକରୁ ୧୨୦ ବାଟାଲିଅନ୍ ପର୍ଯ୍ୟନ୍ତ ଲମ୍ବିଥିବା ବିଦ୍ୟୁତ ମାର୍ଗ ରାସ୍ତା; ଏହା ମଧ୍ୟସ୍ଥ ଅଞ୍ଚଳ ‘କେଶରୀ ନଗର’ ନାମରେ ପରିଚିତ। ରାଜ୍ୟ ତଥା ପ୍ରାଦେଶିକ ପ୍ରଶାସନର ଶ୍ରେଷ୍ଠ ସ୍ଥାନ ଏହି ଅଞ୍ଚଳ। କେଶରୀ ଶବ୍ଦର ଅର୍ଥ ହେଉଛି ଶ୍ରେଷ୍ଠ, ପଶୁରାଜ ସିଂହ, କେଶର ବିଶିଷ୍ଟ। ସ୍ମରଣଯୋଗ୍ୟ, ରାଜଧାନୀର ପ୍ରତିଷ୍ଠାତା ତଥା ଜନକ ହରେକୃଷ୍ଣ ମହତାବ ମଧ୍ୟ ‘ଉତ୍କଳ କେଶରୀ’ ନାମରେ ସୁପରିଚିତ। ରାଜଧାନୀର ହୃତ୍ପିଣ୍ଡ ବୋଲି କୁହାଯାଉଥିବା ‘କେଶରୀନଗର’ରେ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ କାର୍ଯ୍ୟାଳୟ ମାନ ସ୍ଥାନିତ ହୋଇଛି। ଯେପରିକି, ବିଧାନସୌଧ, ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନ, ନ’ତାଲା ବା ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ଉନ୍ନତି ଭବନ, ସେଚ ସଦନ, କୃଷିଭବନ, ନିର୍ମାଣ ସୌଧ, ପୁଲିସ କମିସନରେଟ୍ କାର୍ଯ୍ୟାଳୟ, ଅତିରିକ୍ତ ଜିଲ୍ଲାପାଳ, ଷ୍ଟାଫ୍ ସିଲେକ୍ସନ୍, ଅର୍ଥନୈତିକ ଅପରାଧ ଶାଖା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଭଳି କାର୍ଯ୍ୟାଳୟ ମାନ। ତାହା ସହ ରହିଛି ଓଏମ୍ସି ମୁଖ୍ୟ ଦପ୍ତର, ସୂଚନା ଓ ଲୋକସମ୍ପର୍କ ବିଭାଗ, ଏଜି, ଆଇବି ଅଫିସ୍ ତଥା ରାଜ୍ୟ ଅତିଥି ଭବନ।
ଉପସ୍ଥାପନା: ସସ୍ମିତା ସାହୁ
ଫଟୋ: ଅସିତ ଶତପଥୀ