ଭୁବନେଶ୍ବର: ଏମିତି ଗାଧୋଇଲେ ଯେ ଜ୍ବର ଧରିଥିଲା। ସେବାୟତଙ୍କ ମହୌଷଧି ସେବା ପରେ ଜ୍ବର ଛାଡ଼ିଛି। ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ୧୫ ଦିନର ପ୍ରତୀକ୍ଷା ପରେ ଭାବର ଠାକୁର ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବାକୁ ସଜ ହେଲେଣି। ତେବେ ସୁସ୍ଥ ହେଉହେଉ ମାଉସୀ ଘର ବୁଲିବାକୁ ମନ ବଳିଛି। ପ୍ରଭୁଙ୍କ ମନ ଜାଣି ମହାରଣା ପୁଅ ବି ରଥ ଗଢ଼ି ଦେଇଛି। ପଥ ବି ରଥାରୂଢ଼ ପ୍ରଭୁଙ୍କ ବାଟ ଚାହିଁ ବସିଛି। ପ୍ରଭୁଙ୍କର ଏ ମାନବୀୟ ଲୀଳା ଦେଖିବାକୁ ଭକ୍ତଗଣ ବ୍ୟାକୁଳ ନେତ୍ରରେ ଚାହିଁ ରହିଛନ୍ତି। ପ୍ରଭୁ ମନ୍ଦିରରୁ ବାହାରି ରଥ ଉପରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେ‌ଇ ଗୁଣ୍ଡିଚାବାଡ଼ିକୁ ଯାତ୍ରା କରିବେ। ଭକ୍ତଗଣଙ୍କ ଦୀର୍ଘ ବର୍ଷକର ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ପଡ଼ିବ। ଶ୍ରୀକ୍ଷେତ୍ର ଭଳି ରାଜଧାନୀରେ ବି ରଥଯାତ୍ରାକୁ ନେଇ ନାହିଁ ନଥିବା ଉତ୍ସାହ। ପୁରୀରେ ପ୍ରଭୁଙ୍କ ରଥଯାତ୍ରାରୁ ବଞ୍ଚିତ ଭକ୍ତମାନେ ରାଜଧାନୀର ୬୦ରୁ ଊର୍ଧ୍ବ ସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିପାରିବେ।

Advertisment

ପୁରୀ ରଥ ଚକ ସହ ସମାନ
ପୁରୀ ଓ ‘କିସ୍‌’ ଶ୍ରୀବାଣୀ କ୍ଷେତ୍ରରେ ପ୍ରସ୍ତୁତ ରଥ ମଧୢରେ ଅନେକା˚ଶରେ ସାମଞ୍ଜସ୍ୟ ଥାଏ। ବିଧି ଅନୁଯାୟୀ ପୁରୀରେ ଜଗନ୍ନାଥଙ୍କ ରଥ ୧୬ ଚକ, ବଳଭଦ୍ରଙ୍କ ରଥ ୧୪ ଚକ ଏବ˚ ସୁଭଦ୍ରାଙ୍କ ରଥ ୧୨ ଚକ ବିଶିଷ୍ଟ ହୋଇଥିବା ବେଳେ ଶ୍ରୀବାଣୀ କ୍ଷେତ୍ରରେ ମଧୢ ଅନୁରୂପ ଚକ ଲାଗେ। କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ରଥଯାତ୍ରା ଦିନ ଛେରାପହଁରା କରିବେ। ଇନ୍‌ଫୋସିଟି ଥାନା ନିକଟରେ ନିର୍ମିତ ଅସ୍ଥାୟୀ ମାଉସୀ ମା’ମନ୍ଦିର ପର୍ଯ୍ୟନ୍ତ ତିନି ରଥକୁ ଶ୍ରଦ୍ଧାଳୁମାନେ ଟାଣି ‌ନେବେ। ଆର୍‌ସିଏମ୍ ମନ୍ଦିରରେ ତିନି ଠାକୁରଙ୍କୁ ପାରମ୍ପରିକ ଆଦିବାସୀ ଢୋଲ ଓ ମାଦଳରେ ମୈତ୍ରୀବିହାର ଆଦିବାସୀ ନୃତ୍ୟଶିଳ୍ପୀମାନେ ନୃତ୍ୟ କରି ପ୍ରେସ୍ କଲୋନି କାଳୀ ମନ୍ଦିର ପରିସରରେ ଥିବା ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଆଣିବେ।

ସବୁଠୁ ଭିଡ଼, ଆଡ଼ମ୍ବର
ଇସ୍କନ୍‌ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ରଥ ସିଆର‌୍‌ପି ଓ ୟୁନିଟ୍‌ ୮ ଡିଏଭି ସ୍କୁଲ୍‌ ଦେଇ ଗୁଣ୍ତିଚା ମନ୍ଦିରକୁ ଯିବା ବେଳେ ପ୍ରବଳ ଭକ୍ତଙ୍କ ସମାଗମ ହୁଏ। ଜାଗମରା ଧର୍ମବିହାରସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ସବୁଠୁ ଆଡ଼ମ୍ବରପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହୁଏ। ସ˚କୀର୍ତନ ସାଙ୍ଗକୁ ଘୋଡ଼ା, ବୃଷଭ, ନାଗାନାଚ, ବୁଢ଼ାବୁଢ଼ି, ବଗବଗୁଲି ନାଚ ଆକର୍ଷଣ ସାଜିଥାଏ ବୋଲି ସମ୍ପାଦକ ଅଜୟ ପଟ୍ଟନାୟକ କହିଛନ୍ତି।

publive-image

ପିଲାଙ୍କ ରଥ
ପ୍ରଭୁଙ୍କ ପହଣ୍ତିଠୁ ଆରମ୍ଭ କରି ଘଣ୍ଟୁଆ ସାଜି ରଥ ଟାଣି ନେବେ ପିଲା। ଚଳିତ ବର୍ଷ ୩ଟି ସ୍ଥାନରେ ପିଲାଙ୍କ ରଥ ଗଡ଼ିବ। ଜମ୍ବେଶ୍ବର ପାଟଣା ସାହି ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ନିଆରା ରଥଯାତ୍ରାରେ ୧୦୦ରୁ ଊର୍ଧ୍ବ ପିଲା ମୁଖ୍ୟ ଭୂମିକା ତୁଲାଇବେ ବୋଲି କମିଟି ସମ୍ପାଦକ ବସନ୍ତ ସମର୍ଥା କହିଛନ୍ତି। ସେହିପରି ବଡ଼ଦାଣ୍ଡ ସାହି ଛକଠାରେ ଶ୍ରୀଜଗନ୍ନାଥ ଘୋଷଯାତ୍ରା କମିଟି ପକ୍ଷରୁ ରଥ ପ୍ରସ୍ତୁତି ଚାଲିଛି। ପିଲାମାନେ ରଥକୁ ରଙ୍ଗ କରୁଛନ୍ତି। ଚଳିତ ବର୍ଷ ୪ଟି ନୂଆ ୩ ଫୁଟିଆ କାଠ ଘୋଡ଼ା ଅଣାଯାଇଛି। ବାହୁଡ଼ା ଦିନ ନୃତ୍ୟ କାର୍ଯ୍ୟକ୍ରମ, ସୁନାବେଶ ଦିନ ଭଜନ ସମାରୋହ ଓ ପରଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି କମିଟିର ସଭାପତି ଶକ୍ତିପ୍ରସାଦ ସାହୁ କହିଛନ୍ତି। ସେହିପରି ଭୀମଟାଙ୍ଗି ତଳ ଫେଜ୍‌ ମଙ୍ଗଳା ମନ୍ଦିର ନିକଟରେ ସାଇଶ୍ରୀ କ୍ଲବ୍‌ ପକ୍ଷରୁ ମହିଳା ଓ ପିଲାମାନଙ୍କ ଦ୍ବାରା ରଥ ପ୍ରସ୍ତୁତି ଚାଲିଛି। ପାରମ୍ପରିକ ସଂକୀର୍ତନ ସହ ମହିଳାଙ୍କ ଦ୍ବାରା ରଥ ଟଣାଯିବ ବୋଲି ଆୟୋଜକ ବବିତା ସାହୁ କହିଛନ୍ତି।

ପଟିଆ ଗଡ଼ସ୍ଥିତ ଚନ୍ଦନ କ୍ଷେତ୍ରରେ ବଳଦେବ ଜିଉ ଶ୍ରୀମନ୍ଦିର ପକ୍ଷରୁ ନିର୍ମିତ ରଥ ସବୁଠୁ ଉଚ୍ଚ ରଥ। ଏହି ରଥର ଉଚ୍ଚତା ୩୫ ଫୁଟ ହୋଇଥିବା ବେଳେ ଦଧିନଉତି ଓ ଓଲଟ ଶୁଆକୁ ମିଶାଇ ୩୭ ଫୁଟ। ଠିକ୍‌ ସେହିଭଳି ୟୁନିଟ୍‌ ୮ ରଥର ଉଚ୍ଚତା ୩୧ ଫୁଟ ବିଶିଷ୍ଟ। ଏଠାରେ ଗୋଟିଏ ରଥରେ ୩ ଠାକୁର ଯାତ୍ରା କରିବେ। ଗୋଟିଏ ଦଉଡ଼ିକୁ ପୁରୁଷ ଓ ଅନ୍ୟ ଏକ ଦଉଡ଼ିକୁ ମହିଳାମାନେ ଟାଣିବେ। ଚନ୍ଦ୍ରଶେଖରପୁର ଶ୍ରୀଜିଉ ମନ୍ଦିର ଏବଂ ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ହୋଇଛି।

୪୭ ବର୍ଷରେ ରଥଯାତ୍ରା
ୟୁନିଟ୍‌ ୮ସ୍ଥିତ ଓୟୁଏଟି କଲୋନିରେ ହେଉଥିବା ରଥଯାତ୍ରା ରାଜଧାନୀର ସବୁଠୁ ପୁରୁଣା ରଥଯାତ୍ରା। ୧୯୭୨ରେ ପୁରୀରେ ଚତୁର୍ଧା ମୂର୍ତି ଗଢ଼ା ଯିବା ପରେ ବଳକା କାଠରେ ଗଢ଼ା ଯାଇଥିଲା ଆଉ ଏକ ଚତୁର୍ଧା ମୂର୍ତି। ଏହାକୁ ନିଜ ବାସଭବନକୁ ନେଇ ଆସିଥିଲେ ତତ୍କାଳୀନ ଓୟୁଏଟି ପ୍ରଫେସର ଡ. ସୁପ୍ରସନ୍ନ ମହାନ୍ତି। ପରେ ମୁକ୍ତିମଣ୍ତପର ସଦାଶିବ ରଥଶର୍ମାଙ୍କ ସମେତ କିଛି ମୁକ୍ତିମଣ୍ତପର ବ୍ରାହ୍ମଣମାନଙ୍କ ଦ୍ବାରା ଓୟୁଏଟି କଲୋନି ମଧ୍ୟରେ ଏକ ମନ୍ଦିରରେ ପ୍ରଭୁଙ୍କୁ ପ୍ରତିଷ୍ଠା କରାଯାଇଥିଲା। ୧୯୭୩ ମସିହାରୁ ଏଠାରେ ଏହି ଦାରୁ ବିଗ୍ରହଙ୍କୁ ନେଇ ଅନୁଷ୍ଠିତ ହେଉଛି ରଥଯାତ୍ରା। ଚଳିତ ଏହା ୪୭ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଠିକାର ରଥଯାତ୍ରା ରାଜଧାନୀର ସବୁଠୁ ପୁରୁଣା ଓ ପ୍ରଥମ ରଥଯାତ୍ରା।

ବଡ଼ ବିଗ୍ରହ, ମାଳିକା ସିଦ୍ଧାନ୍ତ ରଥଯାତ୍ରା
ଖଣ୍ତଗିରିସ୍ଥିତ କୋଳଥିଆ ନିକଟ ଚିଦାନନ୍ଦ ବିହାର ଜଗନ୍ନାଥ ମନ୍ଦିରରେ ବିରାଜିତ ପ୍ରଭୁ ରାଜଧାନୀରେ ପୂଜିତ ଚତୁର୍ଧା ମୂର୍ତିମାନଙ୍କ ମଧୢରେ ସବୁଠୁ ଉଚ୍ଚ। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଦାରୁ ବିଗ୍ରହ ୩ଫୁଟ ୧୧ ଇଞ୍ଚ ଏବ˚ ମା’ ସୁଭଦ୍ରାଙ୍କ ବିଗ୍ରହ ୩ଫୁଟ ୬ ଇଞ୍ଚ ବିଶିଷ୍ଟ। ଖଣ୍ତଗିରିର ଦକ୍ଷିଣରେ ରଥଯାତ୍ରା ଅନୁଷ୍ଠିତ ହେବା ବିଷୟ ମାଳିକାରେ ଉଲ୍ଲେଖ ରହିଥିବା ବେଳେ ଏହା ସେଇ ମାଳିକା ସିଦ୍ଧାନ୍ତ ରଥଯାତ୍ରା। ଶ୍ରୀକ୍ଷେତ୍ର ରୀତିନୀତି ମୁତାବକ ଏଠାରୁ ପ୍ରଭୁ ଉତ୍ତର ମୁଖା ହୋଇ ରଥରେ ଯାଆନ୍ତି ଏବ˚ ଦକ୍ଷିଣ ମୁଖା ହୋଇ ଫେରନ୍ତି। ବାସ୍ତବରେ ପ୍ରତିଷ୍ଠିତ ଚତୁର୍ଧା ମୂର୍ତି ଫିଲାଡେଲ୍‌ଫେଲିଆ ଯିବା ପାଇଁ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବୃହତ୍ତାକାର ଯୋଗୁ ଠାକୁରଙ୍କୁ ସେଠାକୁ ନେବା ବାତିଲ୍‌ ହୋଇଥିଲା। ୧୯୯୮ରେ ଏହି ଚତୁର୍ଧା ମୂର୍ତିକୁ ଦିବ୍ୟ ଜୀବନ ସ˚ଘ ଏକ ସମ୍ମିଳନୀକୁ ଆଣି ପୁରୀକୁ ଫେରାଇ ଦେଇଥିଲେ। ସେହି ସମୟରେ ଏହି ଚତୁର୍ଧା ମୂର୍ତିଙ୍କୁ ଖଣ୍ଡଗିରି ନିକଟ‌ରେ ପ୍ରତିଷ୍ଠା ପାଇଁ ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀଙ୍କୁ ସ୍ବପ୍ନ ହୋଇଥିଲା। ୨୦୦୧ରେ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୨ରୁ ରଥଯାତ୍ରା ଅନୁଷ୍ଠିତ ହେଉଥିବା ସମ୍ପାଦକ ଉପେନ୍ଦ୍ରନାଥ ମିଶ୍ର କହିଛନ୍ତି।

ମହିଳା ଟାଣିବେ ସୁଭଦ୍ରା ରଥ
ଇସ୍କନ, ଆର‌୍‌ସିଏମ୍‌, କିସ୍‌, ତମାଣ୍ତୋର ସୁଭଦ୍ରା ରଥକୁ ମହିଳା ଓ ଯୁବତୀମାନେ ଟାଣନ୍ତି। ଆର‌୍‌ସିଏମ୍‌ରେ ରଥ ସମ୍ମୁଖରେ ଆଦିବାସୀ ମାନେ ନୃତ୍ୟ ପରିବେଷଣ କରନ୍ତି। ଚନ୍ଦ୍ରଶେଖରପୁର ରଥର ଗୋଟେ ଦଉଡ଼ି ଆଦିବାସୀ ଏବ˚ ଅନ୍ୟ ଦଉଡ଼ିକୁ ଅନ୍ୟ ବର୍ଗର ଲୋକେ ଟାଣନ୍ତି। ଶୈଳଶ୍ରୀ ବିହାର ରଥ ଉପରେ ସୁନା ଝାଡ଼ୁରେ ଛେରା ପହଁରା ହୁଏ।