ନୃତ୍ୟରେ ସୀତାଙ୍କ ସମର୍ପଣର କାହାଣୀ

ଭୁବନେଶ୍ବର: ‘ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘ଗୁରୁ ପଙ୍କଜ ଉତ୍ସବ’ର ଆଜି ଥିଲା ଦ୍ବିତୀୟ ଦିନ। ଏହି ଅବସରରେ ମା’ ସୀତାଙ୍କ ଜୀବନର କରୁଣ କାହାଣୀକୁ ନେଇ ପଦ୍ମଶ୍ରୀ ଅରୁଣା ମହାନ୍ତି ପରିବେଷଣ କରିଥିଲେ ‘ଭୂମିସୂତା’। ଏହାପରେ ନୃତ୍ୟଶିଳ୍ପୀ ଆଲୋକା କାନୁନ୍‌ଗୋଙ୍କ ଦ୍ୱାରା ପରିବେଷିତ ବିଲାହାରୀ ପଲ୍ଲବୀ ଓ ଅଷ୍ଟପଦୀ ‘ସଖୀ ହେ କେସି ମଥନ ମୁଦାରଂ’ ଉଚ୍ଚକୋଟୀର ଥିଲା। ଭାରତନାଟ୍ୟମ୍ ନୃତ୍ୟଙ୍ଗନା ମନ୍ଦାକ୍ରାନ୍ତା ରାୟଙ୍କ ଦ୍ୱାରା ପରିବେଷିତ ‘କୀର୍ତ୍ତନମ୍’ ଓ ‘ପଦମ୍’ ପ୍ରେକ୍ଷାଳୟରେ ଭକ୍ତିଭାବ ସୃଷ୍ଟି କରିଥିଲା। ନୃତ୍ୟଶିଳ୍ପୀ ଅମ୍ରିତା ଦାସ ଆଦିଗୁରୁ ପଙ୍କଜଚରଣ ଦାସଙ୍କ କାଳଜୟୀ କୃତି ‘ପଞ୍ଚକନ୍ୟା’ ଅନ୍ତର୍ଗତ ଦୌପଦୀଙ୍କ ଜୀବନୀ ଆଧାରିତ ପ୍ରସଙ୍ଗକୁ ନୃତ୍ୟରେ ପରସିଦେଇଥିଲେ। ‘ନୃତ୍ୟାୟନ’ ଅନୁଷ୍ଠାନର ଦଳଗତ ପରିବେଷଣ, ଶ୍ରେୟା ସବରୱାଲ୍‌ଙ୍କ ‘ଜନ ସମ୍ମୋହିନୀ ପଲ୍ଲବୀ’ ଓ ‘ଶିବ ପଞ୍ଚାକ୍ଷର ସ୍ତୁତି’ ପରିବେଷଣ ଦେଖିବାକୁ ମିଳିଥିଲା।

ଆଜି ସନ୍ଧ୍ୟାରେ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଓ ଅର୍ଥ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ୱାଳ ଯୋଗ ଦେଇଥିଲେ। ଏହି ଅବସରରେ ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ସହ ଜଡ଼ିତ ୨୦ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅପରାହ୍‌ଣ ଅଧିବେଶନରେ ଗୁରୁ କେଶବଚନ୍ଦ୍ର ରାଉତ, ଗୁରୁ ରତିକାନ୍ତ ମହାପାତ୍ର, ଗୁରୁ ବିଜୟ କୁମାର ଜେନା ଓ ଗୁରୁ ନିରଞ୍ଜନ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଗୁରୁ ଶରତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର