ଆଇଗିଣିଆ ଛକରେ ଦୁର୍ଘଟଣା: ଏସ୍‌ଟିପିଏ ଇନ୍‌ସ୍‌ପେକ୍ଟର ମୃତ

ଭୁବନେଶ୍ୱର : ସୋମବାର ସନ୍ଧ୍ୟାରେ ଆଇଗିଣିଆ‌ ଛକରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏଥିରେ ‘ପ୍ରାଣୀ ହିଂସା ନିରୋଧ ସୋସାଇଟି’ (ଏସ୍‌ପିସିଏ) ଇନ୍‌ସ୍‌ପେକ୍ଟର ମନୋରଞ୍ଜନ ମହାପାତ୍ରଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୫୪ ବର୍ଷ ହୋଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ସେ ବାଇକ୍‌ ଯୋଗେ ଖୋର୍ଦ୍ଧା ଅଫିସ୍‌ରୁ ଜାଗମରାସ୍ଥିତ ବାସଭବନକୁ ଫେରୁଥିଲେ। ପଛପଟୁ ତାଙ୍କ ଉପରେ ଏକ ଟ୍ରକ୍‌ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ପୁରୀ କଣାସ ବ୍ଲକ ମୈତ୍ର ତ୍ରିଲୋଚନପୁରର ମୂଳ ବାସିନ୍ଦା।

ଶନିବାର ଏଠ‌ାରେ ଏକ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ପୂର୍ବରୁ ଏଠାରେ ମଧ୍ୟ ଏକାଧିକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିବା ନଜିର ରହିଛି। ନିୟମିତ ବ୍ୟବଧାନରେ ଏଭଳି ଅଘଟଣ ଘଟୁଛି। ଏହାର ନିରାକରଣ ପାଇଁ କୌଣସି ବ୍ୟବସ୍ଥା ହେଉନଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଦୁର୍ଘଟଣା ଘଟିବା ପରେ ରାଜପଥରେ ଯାଉଥିବା ଯାତ୍ରୀ ଓ ସାଧାରଣ ଲୋକ ଜମିଯିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ଆଉ ଏକ ଅଣ୍ଡରପାସ୍‌ ନିର୍ମାଣ ଓ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ବସି ରହିଥିଲେ। ଫଳରେ ସର୍ଭିସ୍‌ ରୋଡ୍‌ ଦେଇ ଖୋର୍ଦ୍ଧାରୁ ରସୁଲଗଡ଼ ଯିବାଆସିବା ବନ୍ଦ ହୋଇଯାଇଥିଲା। ଦୀର୍ଘ ୨୦ ମିନିଟ୍‌ କାଳ ଏଭଳି ଅଚଳାବସ୍ଥା ରହିଥିଲା। ଖୋର୍ଦ୍ଧା ପଟୁ ଆସୁଥିବା ହକି ଖେଳାଳୀଙ୍କ ବସ୍‌ ମଧ୍ୟ ଅଟକି ରହିଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୁ ଉଠାଇଥିଲା।

ସମ୍ବନ୍ଧିତ ଖବର