ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀ, ସହାୟିକାଙ୍କୁ ଓ୍ଵାର୍କରର ମାନ୍ୟତା ଦାବିରେ ଆସନ୍ତା ଜୁଲାଇ ୯ତାରିଖରେ ବିଧାନସଭା ଘେରିବ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ, ସଂଯୁକ୍ତ ମୋର୍ଚା। ଆଜି ଏଆଇଟିୟୁସି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆବାହକ ବିଜୟ ଜେନା ଏହା କହିଛନ୍ତି। ସେ କହିଥିଲେ, ଅକ୍ଟୋବର ମାସରେ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନର ଦିବାରାତ୍ର ଧାରଣା ଫଳରେ ମୁଖ୍ୟମନ୍ତ୍ରୀ ୨ହଜାର ଟଙ୍କା ଭତ୍ତା ବୃଦ୍ଧି କରିଥିଲେ। ମାତ୍ର ଅନ୍ୟାନ୍ୟ ଦାବିଗୁଡ଼ିକ ଉପରେ ଏ ପର୍ଯ୍ୟନ୍ତ କୌଣସି ନିର୍ଦେଶନାମା ଜାରି ହୋଇନାହିଁ। ଅବସର ସୀମା ୬୫ବର୍ଷକୁ ବୃଦ୍ଧି, ଏସ୍ଏନ୍ପିର ଦର ସଂଶୋଧନ, ପ୍ରକଳ୍ପ ବୈଠକ, ଗ୍ରୀଷ୍ଣକାଳୀନ ଛୁଟି, ସୁପର ଭାଇଜର୍ ପଦୋନ୍ନତି ୫୦ପ୍ରତିଶତକୁ ବୃଦ୍ଧି, ସହାୟିକାମାନଙ୍କୁ ଅଙ୍ଗନବାଡ଼ି କର୍ମୀଭାବେ ନିଯୁକ୍ତି ପାଇଁ ସମୟସୀମା କୋହଳ, ମିଳିତ ଜମାଖାତାରୁ ଓ୍ଵାର୍ଡମେମ୍ବର ଓ କର୍ପୋରେଟରଙ୍କୁ ବାଦ୍ ଦେବା ଭଳି ଦାବି ରହିଥିଲା। ମାତ୍ର ରାଜ୍ୟ ସରକାର ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଉପରେ ରାଜନୈତିକ ଓ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବଢ଼ି ଚାଲିଛି। ସାମାନ୍ୟ ଘଟଣାରେ ଦରମା ବନ୍ଦ କରି ଦିଆଯାଉଛି। ଅପରପକ୍ଷରେ ୪୫ ଓ ୪୬ତମ ଜାତୀୟ ଶ୍ରମ ସମ୍ମିଳନୀରେ ଅଙ୍ଗନବାଡ଼ି କର୍ମୀ/ସହାୟିକାଙ୍କୁ ଓ୍ଵାର୍କର ମାନ୍ୟତା ପାଇଁ ନିର୍ଦେଶ ଦେଇଥିଲେ ହେଁ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ତେଣୁ ଏସବୁର ପ୍ରତିବାଦରେ ଆସନ୍ତା ମାସରେ ୯ ତାରିଖରେ ରେଳ ଷ୍ଟେସନ୍ରୁ ଏକ ଶୋଭାଯାତ୍ରା ବାହାରି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କୁମାର ପାଢ଼ୀ, ରାଧାରମଣ ଷଡ଼ଙ୍ଗୀ, ହରପ୍ରିୟା ସ୍ୱାଇଁ, ବିଷ୍ଣୁପ୍ରିୟା ଜେନା ଓ ମମତାଜ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।
୯ ଜୁଲାଇରେ ବିଧାନସଭା ଘେରିବେ ଅଙ୍ଗନବାଡ଼ି କର୍ମୀ
/sambad/media/post_attachments/wp-content/uploads/2018/06/download-2-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)