ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ବିବାଦ ତୁଟିଲା

ଆକାଉଣ୍ଟ୍‌ ସଚଳ ଦାବିରେ ବ୍ୟାଙ୍କ ସାମ୍ନାରେ ଧାରଣା

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗଠିତ ଅନୁଷ୍ଠାନ ‘ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ’ରେ ଦେଖାଦେଇଥିବା ଗୋଷ୍ଠୀ ବିବାଦର ଅନ୍ତ ଘଟିଥିବା ନେଇ ମହାସଂଘର ସଭାପତି କୃପାସିନ୍ଧୁ ସାହୁ, କାର୍ଯ୍ୟକାରୀ ସଭାପତି କୃପାସିନ୍ଧୁ ପଣ୍ଡା, ଉପସଭାପତି କୃଷ୍ଣ ଚନ୍ଦ୍ର ସାହୁ ଓ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି। ଆଇଜିଆର୍‌, ଓଡ଼ିଶା ସେମାନଙ୍କୁ ସ୍ୱୀକୃତି ଦେଇଛନ୍ତି ବୋଲି ସେମାନେ ଜଣାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଥିଲେ, ମହାସଂଘ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଏ। ବିଭିନ୍ନ ସ୍ଥାନରେ ସମାବେଶ କରାଯାଇ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଏ। ୨୦୧୭ ମସିହା ଆରମ୍ଭରୁ ପୂର୍ବତନ ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ବିଭିନ୍ନ ସମସ୍ୟା ସୃଷ୍ଟି କରିବାରୁ ଗତ ବର୍ଷ ସେପ୍ଟମ୍ବର ମାସରେ ତାଙ୍କ ସ୍ଥାନରେ ଡାକ୍ତର ପ୍ରସନ୍ନ କୁମାର ଦାସଙ୍କୁ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ଭାବେ ଅବସ୍ଥାପିତ କରାଗଲା। ଏହା ପରେ ୧୮.୧୨.୨୦୧୭ରେ କର୍ମକର୍ତ୍ତା ନିର୍ବାଚନ କରାଗଲା। କିନ୍ତୁ ଶ୍ରୀ ସାହୁ ନିର୍ବାଚନ ପଦ୍ଧତ୍ତି ଅନୁସରଣ ନ କରି ନିଜକୁ ସାଧାରଣ ସମ୍ପାଦକ ଓ ମଧୁମାଧବ ଜେନାଙ୍କୁ ସଭାପତି ଘୋଷଣା କରି ଗଣମାଧ୍ୟମରେ ଖବର ପ୍ରକାଶ କଲେ। ବର୍ତ୍ତମାନର ସାଧାରଣ ସମ୍ପାଦକ ଡାକ୍ତର ଦାସଙ୍କୁ ଶ୍ରୀ ସାହୁ କୌଣସି କାଗଜପତ୍ର ହସ୍ତାନ୍ତର କରୁ ନାହାନ୍ତି। ଏ ନେଇ ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ନିୟମ ଅନୁସାରେ ୧୮.୧୨.୧୨.୨୦୧୭ରେ ହୋଇଥିବା ନିର୍ବାଚନକୁ ସିଦ୍ଧ ଘୋଷଣା କରି ଆଇଜିଆର୍‌, ଓଡ଼ିଶା ଗତ ୧୯ ତାରିଖରେ ସ୍ୱୀକୃତି ପ୍ରଦାନ କରି ଅପର ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ଖାରଜ କରିଦେଇଛନ୍ତି। ତେଣୁ ବର୍ତ୍ତମାନ କୃପାସିନ୍ଧୁ ସାହୁ ସଭାପତି ଓ ଡାକ୍ତର ପ୍ରସନ୍ନ କୁମାର ଦାସ ସାଧାରଣ ସମ୍ପାଦକ ଭାବେ ସ୍ୱୀକୃତିପ୍ରାପ୍ତ। କିନ୍ତୁ ଆନ୍ଧ୍ର ବ୍ୟାଙ୍କର ବାପୁଜୀ ନଗର ଶାଖାରେ ବିରୋଧୀ ଗୋଷ୍ଠୀଙ୍କ ପ୍ରରୋଚନାରେ ବ୍ୟାଙ୍କ କର୍ତ୍ତୃପକ୍ଷ ମହାସଂଘର ଆକାଉଣ୍ଟ୍‌କୁ ଅଚଳ କରି ଟଙ୍କା ଦେଉ ନ ଥିବା ନେଇ କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ।
ମହାସଂଘ ପକ୍ଷରୁ ଆକାଉଣ୍ଟ୍‌ ଚାଲୁ କରିବା ଦାବିରେ ସୋମବାର ବ୍ୟାଙ୍କ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର କର୍ମକର୍ତ୍ତାମାନେ ଦୀର୍ଘ ସମୟ ଧରି ସେଠାରେ ଧାରଣାରେ ବସି ରହିବା ସହ ଅନୁଷ୍ଠାନର ଜମାଥିବା ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାକୁ ତୁରନ୍ତ ପୈଠ କରିବା ପାଇଁ ଦାବି କରିଥିଲେ। ଆଇଜିଆର୍‌ଙ୍କ ରାୟ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାହାକୁ ନ ମାନିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି କର୍ମକର୍ତ୍ତାମାନେ ଯୁକ୍ତି ବାଢ଼ିଥିଲେ। ସମସ୍ୟାର ସମାଧାନ ପାଇଁ ବ୍ୟାଙ୍କ ମ୍ୟାନେଜର ପ୍ରତିଶ୍ରୁତି ଦେବାପରେ କର୍ମକର୍ତ୍ତାମାନେ ଧାରଣାରୁ ଉଠିଥିଲେ। ଯଦି ତୁରନ୍ତ ସମସ୍ୟାର ସମାଧାନ କରା ନ ଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର